ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଗଇଁତାସ୍ଲା ଗ୍ରାମର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ସୁଧାଂଶୁ ଶେଖର ନାଏକଙ୍କର ପରଲୋକ ଘଟିଛି । ଗତ ୨୩ ତାରିଖ ସକାଳେ ସେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ନିମୋନିଆ ରୋଗରେ ପୀଡ଼ିତ ଥିଲେ ଏବଂ ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ନାଏକ କେବଳ ପୂର୍ବତନ ସରପଞ୍ଚ ନୁହେଁ, ଜଣେ ସକ୍ରିୟ ସମାଜସେବୀ ଭାବେ ମଧ୍ୟ ଅଞ୍ଚଳରେ ସୁପରିଚିତ ଥିଲେ । ପୂର୍ବରୁ ସେ ସମିତି ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଳାଇଥିଲେ । ଗ୍ରାମର ବିକାଶ, ସାମାଜିକ କାର୍ଯ୍ୟକ୍ରମ ଏବଂ ସଂଗଠନମୂଳକ କାର୍ଯ୍ୟରେ ତାଙ୍କର ଅବଦାନ ପାଇଁ ସେ ସର୍ବମହଲରେ ସମ୍ମାନିତ ଥିଲେ । ତାଙ୍କର ପରଲୋକ ସମୟରେ ସ୍ତ୍ରୀ ଜୟନ୍ତୀ ନାଏକ, ବୃଦ୍ଧା ମାତା ନିର୍ବାଣୀ ନାଏକ, ଝିଅ ବର୍ଷା, ଭାଇବୋହୂ ପୁଷ୍ପାଞ୍ଜଳି, ଭଉଣୀ ପ୍ରତିଭା, ଭାଇ ହିମାଂଶୁ, ଶୁଭ୍ରାଂଶୁ ଓ ସୀତାଂଶୁଙ୍କ ସମେତ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ଅଙ୍କୁଶ ନାଏକ ମୁଖାଗ୍ନି ଦେଇଥିଲେ । ଗଇଁତଲାଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସ୍ୱର୍ଗତ ସୁଧାଂଶୁ ଶେଖର ନାଏକଙ୍କ ବିୟୋଗରେ ଗଇଁତଲା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଲିଟିଲ ଏଞ୍ଜେଲସ୍ ସ୍କୁଲ, ବୀଣାପାଣି ଶିକ୍ଷା ସୌଧ, ରେନ୍ବୋ ପବ୍ଲିକ ସ୍କୁଲର କର୍ମକର୍ତ୍ତାଙ୍କ ସମେତ ବଲାଙ୍ଗିର ସିଭିଲ ସୋସାଇଟି, ସରପଞ୍ଚ ସଂଘ ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜନସେବା ପ୍ରତି ତାଙ୍କର ନିଷ୍ଠା ଓ ସମାଜ ପାଇଁ କରିଥିବା ଅବଦାନକୁ ଅଞ୍ଚଳବାସୀ ସଦା ସ୍ମରଣରେ ରଖିବେ। ତାଙ୍କର ଅକାଳ ବିୟୋଗ ସମଗ୍ର ଗଇଁତଲା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସ୍ଥାନୀୟ ବାସିନ୍ଦାମାନେ ମତ ପ୍ରକାଶ କରିଛନ୍ତି ।
