jayashree

ପାଇକମାଲ ବିଡିଓ କାର୍ଯ୍ୟାଳୟରେ ପିଅନଙ୍କୁ ଜାତିଆଣ ଆକ୍ଷେପ ଓ ଗାଳିଗୁଲଜ

  • ଅଭିଯୁକ୍ତ ଯୁବକ ଗିରଫ, କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟରେ ପଶି କାର୍ଯ୍ୟରତ ପିଅନଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଲଜ ଓ ଅଶାଳୀନ ବ୍ୟବହାର କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଏହି ଘଟଣାରେ ପାଇକମାଲ ପୁଲିସ ଅଭିଯୁକ୍ତ ବିବେକ କୁମାର ପାଢ଼ୀ (୨୪)ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ଅନୁଯାୟୀ, ଗତ ୩୦ ତାରିଖରେ ପାଇକମାଲ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଡିଓଙ୍କ ପ୍ରକୋଷ୍ଠକୁ ଅଭିଯୁକ୍ତ ବିବେକ ଯାଇଥିଲେ । ସେହି ସମୟରେ ବିଡିଓ ଉପସ୍ଥିତ ନଥିବାରୁ କାର୍ଯ୍ୟରତ ପିଅନ ସୁରେନ୍ଦ୍ର ଭୋଇ ତାଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ବିବେକ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏପରିକି ସେ ବିଡିଓଙ୍କ ପ୍ରକୋଷ୍ଠରେ ପଶି ତାଙ୍କ ବସିବା ଆସନରେ ବସିପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ପିଅନ ସୁରେନ୍ଦ୍ର ଭୋଇ ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ କେସ୍‌ ନଂ ୨୮୬/୦୧.୧୧.୨୦୨୬ ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପରେ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ପରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬(୨), ୨୯୬, ୨୨୧, ୧୩୨ ଏବଂ ଏସ୍‌ସି/ଏସ୍‌ଟି ନିର୍ଯ୍ୟାତନା ନିବାରଣ ଆଇନର ଧାରା ୩(୧)(ଆର୍‌)(ଏସ୍‌) ଓ ୩(୨) ଭିଏ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ପାଇକମାଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.