
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି ଏକ ଦୁଃଖଦ ଘଟଣା । ନିର୍ମାଣାଧୀନ ମ୍ୟାରେଜ ପ୍ୟାଲେସରେ କାମ କରୁଥିବା ବେଳେ ମୁଣ୍ଡ ଉପରେ ଲୁହା ଛଡ଼ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ମୃତ ଶ୍ରମିକ ହେଉଛନ୍ତି ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବୁରୋବାହାଲ ଗ୍ରାମର ଭାବଗ୍ରାହୀ ପୁଟେଲ । ସୂଚନା ଅନୁସାରେ, କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ରାସ୍ତାରେ ଏକ ନୂତନ ମ୍ୟାରେଜ ପ୍ୟାଲେସ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଚାରି ମହଲା ଉପରୁ ଏକ ଲୁହା ଛଡ଼ ଖସି ତଳେ କାମ କରୁଥିବା ଭାବଗ୍ରାହୀଙ୍କ ମୁଣ୍ଡରେ ପଡ଼ିଥିଲା । ଫଳରେ ସେ ଗୁରୁତର ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଘଟଣା ପରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ ଶ୍ରମିକଙ୍କ ପରିବାର ପକ୍ଷରୁ ଉଚିତ କ୍ଷତିପୂରଣ ଦାବି କରାଯାଇଛି । ତେବେ ଏହି ମୃତ୍ୟୁ ଘଟଣା ପରେ ନିର୍ମାଣସ୍ଥଳରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ । ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, ନିର୍ମାଣ କାର୍ଯ୍ୟର ମାଲିକ ଶ୍ରମିକମାନଙ୍କୁ ଆବଶ୍ୟକ ସେଫ୍ଟି କିଟ୍ ଯୋଗାଇ ଦେଇନଥିଲେ । ଏପରିକି ଶତାଧିକ ଶ୍ରମିକ ବିନା ହେଲମେଟ୍ ଓ ଅନ୍ୟାନ୍ୟ ସୁରକ୍ଷା ସରଞ୍ଜାମରେ କାମ କରୁଥିବା ଅଭିଯୋଗ ହୋଇଛି । ଶ୍ରମିକଙ୍କ ସୁରକ୍ଷା ପ୍ରତି ଅବହେଳା ଏହି ଦୁର୍ଘଟଣାର କାରଣ କି ? ନିର୍ମାଣସ୍ଥଳରେ ସୁରକ୍ଷା ନିୟମ ପାଳନ ହେଉଥିଲା ନା ନାହିଁ ? ଏବେ ଏଭଳି ଅନେକ ପ୍ରଶ୍ନ ଉଠୁଥିବା ବେଳେ ପୋଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ।