ମଡ଼୍‌ମଡ଼ାରେ ସାର ବିକ୍ରୟ ସମୟରେ ଅଚାନକ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୁଇଁନ୍ତଲା ବ୍ଲକ ମଡ଼୍‌ମଡ଼ା ଗ୍ରାମରେ ଚାଷୀମାନଙ୍କୁ ଆଜି ୟୁରିଆ ସାର ବିକ୍ରୟ କରାଯାଉଥିଲା । ଚଳିତ ବର୍ଷ ସାର ବିକ୍ରୟରେ ଅହେତୁକ ବିଳମ୍ବ ହୋଇଥିବାରୁ ସାର ବିକ୍ରୟ କେନ୍ଦ୍ରରେ ଶତାଧିକ ଚାଷୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ତେବେ ଠିକ ଏତିକି ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ଉକ୍ତ ସାର ବିକ୍ରୟ କେନ୍ଦ୍ରରେ ପହଂଚିଥିଲେ ଓ ଏତେ ସଂଖ୍ୟକ ଚାଷୀ କାହିଁକି ଧାଡି ବାନ୍ଧିଛନ୍ତି ବୋଲି ବିଭାଗୀୟ କର୍ମଚାରୀମାନଙ୍କୁ ପଚାରିଥିଲେ । ଚାଷୀମାନଙ୍କ ଠାରୁ ଶ୍ରୀ ମିଶ୍ର ଜାଣିବାକୁ ପାଇଥିଲେ ଯେ, ୟୁରିଆ ସାର ଯୋଗାଣରେ ଅହେତୁକ ବିଳମ୍ବ କରାଯାଉଛି । ଏହା ସହିତ ଆବଶ୍ୟକତା ଠାରୁ ଖୁବ କମ ସାର ଯୋଗାଣ ହେଉଛି । ଚାଷୀମାନଙ୍କୁ ମାତ୍ର ଏକ ପ୍ୟାକେଟ ସାର ବିକ୍ରୟ କରାହେଉଛି । ଏକ ପ୍ୟାକେଟ ସାର କେବଳ ଅଧ ଏକର ଜମିରେ ଉପଯୋଗ ହୋଇପାରିବ । କିନ୍ତୁ ପ୍ରାୟତଃ ଚାଷୀମାନଙ୍କ ପାଖରେ ଏକରୁ ଦୁଇ ଏକର ପର୍ୟ୍ୟନ୍ତ ଚାଷ ଜମି ରହିଛି । ବିଧାୟକ ଚାଷୀମାନଙ୍କ ଠାରୁ ସବୁ ଶୁଣିବା ପରେ ସେ ଏ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସାର କିଭଳି ଯୋଗାଣ ହେବ ସେ ଉପରେ ଉଦ୍ୟମ କରିବେ ବୋଲି କହିଥିଲେ । ଅପର ପକ୍ଷରେ ସାର ନେବା ପାଇଁ ଶତାଧିକ ଚାଷୀ କେନ୍ଦ୍ରରେ ଭିଡ ଲଗାଇଛନ୍ତି । ତେଣୁ ଚାଷୀମାନେ କିଭଳି ସୁବିଧାରେ ସାର ନେଇ ପାରିବେ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଯେଭଳି ନ ଉପୁଜେ ସେ ଉପରେ ସଜାଗ ରହିବାକୁ ପୁଇଁନ୍ତଲା ଥାନାଧିକାରୀଙ୍କୁ ଶ୍ରୀ ମିଶ୍ର କହିଥିଲେ । କିଛି ଚାଷୀମାନଙ୍କ ତାଙ୍କର ନିକଟସ୍ଥ ସୋସାଇଟିରେ ସାର ମିଳୁ ନଥୀବା ବେଳେ ବହୁ ଦୁରରୁ ଚାଷୀଙ୍କୁ ସାର ପାଇଁ ଏଠାକୁ ଆସିବକୁ ବାଧ୍ୟ ହେଉଥିବା ଜଣାଇଥୀଲେ । ଏହାର ତୁରନ୍ତ ସୁବିଧା କରିବା ପାଇଁ ବ୍ଲକ କୃଷି ଅଧୀକାରିଙ୍କୁ କହିବା ପରେ ଶ୍ରୀ ମିଶ୍ର ନିଜ ଗନ୍ତବ୍ୟସ୍ଥଲକୁ ବାହାରିଥିଲେ । ସୁଚନାଯୋଗ୍ୟ ଯେ, ମଡ଼୍‌ମଡ଼ା ସ୍ଥିତ ହୋଲସେଲର ପ୍ରଶାନ୍ତ ପଟେଲ ସମୁଦାୟ ୨୨୩୦ ପ୍ୟାକେଟ ୟୁରିଆ ସାର ଉଠାଇଥିବା ବେଳେ ଏଥିରୁ ୧୧୫୦ ପ୍ୟାକେଟ ରିଟେଲରମାନଙ୍କୁ ବିକ୍ରୟ କରିବା ପାଇଁ ଦେଇଛନ୍ତି । ତାଙ୍କ ପାଖରେ ଆଉ ମାତ ୧୦୫୦ ପ୍ୟାକେଟ ସାର ରହିଛି । ତେଣୁ ସମସ୍ତ ଚାଷୀ ଯେମିତି କିଛି ପରିମାଣରେ ସାର ପାଇ ପାରିବେ ସହି ଉଦ୍ଦେଶ୍ୟରେ ଚାଷୀ ପିଛା ମାତ୍ର ଗୋଟିଏ ପ୍ୟାକେଟ ବିକ୍ରୟ କରାଯାଉଛି ବୋଲି ଶ୍ରୀ ପଟେଲ କହିଥିଲେ । ସେହିପରି ଆଜି ପର୍ୟ୍ୟନ୍ତ ସମୁଦାୟ ୧୪ଟି ସୋସାଇଟି ମଧ୍ୟରୁ ମଳମୁଣ୍ଡା, ପୁଇଁନ୍ତଲା, ଭାଲେର, ସାଉଁନ୍ତପୁର, ଜାମଗାଁ, ତଲଗଛ, ଛତାମଖନା ଓ ବିଲେସର୍ଡାରେ ସାର ଦିଆ ସରିଥିବା ବେଳେ ଆସନ୍ତା କାଲି ଅନ୍ୟ ୮ଟି ସୋସାଇଟି ବୁବେଲ, ବଇରାସର, ପିପିର୍ଡା, ମାନମୁଣ୍ଡା, ଦଶପୁର ଓ ଛତାପିପଲରେ ବିକ୍ରୟ କାରାଯିବା ବୋଲି ବ୍ଲକ କୃଷି ଅଧୀକାରୀ ବରୁନ କୁମାର ବେହେରା ସୁଚନା ଦେଇଥିଲେ । ସାର ବିକ୍ରୟ କେନ୍ଦ୍ରରେ ତହସିଲଦାର ରୋହିତ ଭୋଇ, ବ୍ଲକର ଉପ କୃଷୀ ଅଧିକାରୀ ଶାନ୍ତନୁ ପଟେଲ ଓ ଭିଏଲଡବ୍ଲୁ ମନିତା ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.