pakka

ମହିଳାଙ୍କୁ ମାରି ସମୁଦ୍ରରେ ପକାଇବା ଧମକ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ତିନି ଅଭିଯୁକ୍ତ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ହରିପୁରରେ ତିନିଜଣ ମହିଳାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିବାକୁ ଧମକ ଦେବା ମାମଲାର ଶୁଣାଣି କରି ଆଜି ଛତ୍ରପୁର ଏସ୍‌ଡ଼ିଜେଏମ୍ ପ୍ରୀତିଶ କୁମାର ରଥ, ଅଭିଯୁକ୍ତ ହରିପୁର ଗ୍ରାମର ତାରିଣୀ ବେହେରା ଓ ତାଙ୍କ ଦୁଇ ପୁଅ ହେମନ୍ତ କୁମାର ବେହେରା ଓ ପବିତ୍ର ବେହେରାଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୫୦୬ରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଓ ପ୍ରୋବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ଧାରା ୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପୂର୍ବକ କଠୋର ଚେତାବନୀ ଦେବା ସହ ବ୍ୟକ୍ତିଗତ ଦଶ ହଜାର ଟଙ୍କା ବଣ୍ଡରେ ଛାଡିଛନ୍ତି । ଉକ୍ତ ଧାରା ୪ ଅନୁସାରେ ବର୍ତ୍ତମାନ ସେମାନେ ଜିଲ୍ଲା ପ୍ରୋବେଶନର ଅଧିକାରୀଙ୍କ ନଜରରେ ଏକ ବର୍ଷ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ଓ ଏହି ଅଧିକାରୀ ସେମାନଙ୍କ କାର୍ଯ୍ୟକଳାପକୁ ତୀକ୍ଷ୍ଣ ନଜର ରଖିବା ସହ ରିପୋର୍ଟ ପ୍ରଦାନ କରିବେ । ସରକାରଙ୍କ ପକ୍ଷରୁ କ୍ୟାଡ଼ର ଏ .ପି. ପି. ରାଜେଶ କୁମାର ମିଶ୍ର ଏହି ମାମଲାକୁ ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ ଯେ, ୫ ଡିସେମ୍ବର, ୨୦୨୧ ଦିନ ୨ଟା ସମୟରେ ଯେତେବେଳେ ଅଭିଯୋଗକାରିଣୀ ଶ୍ରୀମତୀ ଅଞ୍ଜନା ବେହେରା ଦୁଇଜଣ ମହିଳାଙ୍କ ସହ ନିଜ ଘର ସମ୍ମୁଖରେ ବସି କଥା ହେଉଥିଲେ, ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ତାରିଣୀ ବେହେରା ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । କାହିଁକି ଗାଳି କରୁଛୁ ପଚାରିବାରୁ ସିଏ ଓ ତାଙ୍କ ଦୁଇ ପୁଅ ପବିତ୍ର ବେହେରା ଓ ହେମନ୍ତ ବେହେରା ହାତରେ ଧରିଥିବା କାତି ଓ କୁରାଢ଼ୀରେ ତାଙ୍କୁ ଜୀବନରେ ମାରି ସମୁଦ୍ରରେ ପକାଇଦେବା ନେଇ ଧମକ ଦେଇଥିଲେ । ଏହି ସମୟରେ ଅଭିଯୋଗକାରିଣୀ ଓ ଅନ୍ୟ ମହିଳାମାନେ ପାଟି କରିବାରୁ ସେଠାକୁ ଗାଁ ଲୋକ ଆସିବା ଦେଖି ଅଭିଯୁକ୍ତମାନେ ସେ ସ୍ଥାନ ଛାଡି ପଳାଇଥିଲେ । ପରେ ନିଜ ଜୀବନ ପ୍ରତି ବିପଦ ଥିବା ଭାବି ଏହି ଘଟଣାକୁ ନେଇ ସେହିଦିନ ରାତି ୭ଟାରେ ଅଭିଯୋଗକାରିଣୀ ଶ୍ରୀମତୀ ଅଞ୍ଜନା ବେହେରା ଚମାଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ୍‌ ନମ୍ବର ୨୩୨/୨୦୨୧ରେ ଉକ୍ତ ମାମଲାଟି ପଞ୍ଜିକୃତ ହୋଇ ଛତ୍ରପୁର ଏସ୍‌ଡ଼ିଜେଏମ୍ କୋର୍ଟରେ ମାମଲା ବିଚରାଧୀନ ରହିଥିଲା । ସବ୍‌ଇନ୍ସପେକ୍ଟର୍‌ ମାନସୀ ସାହୁ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ । ଆଜି ୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ନ୍ୟାୟାଧୀଶ ଅଭିଯୁକ୍ତମାନଙ୍କୁ ଉକ୍ତ ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ସହ ଏଭଳି କାର୍ଯ୍ୟରୁ ଭବିଷ୍ୟତରେ ବିରତ ରହିବାକୁ ଚେତାଇ ଦେବା ସହ ବର୍ଷେ ପର୍ଯ୍ୟନ୍ତ ପ୍ରୋବେଶନ ଅଫିସର୍‌ଙ୍କ ନଜରାଧୀନ ରହିବେ ବୋଲି କହିଥିଲେ ।

Leave A Reply

Your email address will not be published.

10 + three =