
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଚୁଲିଫୁଙ୍କା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗାଁର ଅଞ୍ଜନା ଦାସ ନାମକ ଜଣେ ବିବାହିତା ମହିଳାଙ୍କୁ ସେହି ଗାଁର ଜଣେ ଯୁବକ ମରଣାନ୍ତକ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଅଞ୍ଜନା ଗୁରୁତର ଭାବେ ଆହତ ହୋଇଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକମାନେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣାକୁ ନେଇ ଗୁରୁତର ମହିଳାଙ୍କ ସ୍ୱାମୀ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦାଖଲ କରିଛନ୍ତି । ପୋଲିସ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଆକ୍ରମଣର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ଅଧିକ ତଥ୍ୟ ସଂଗ୍ରହ କରୁଛି ।