ନିଶା ଦ୍ରବ୍ୟ ସୁଂଘାଇ ବାଇକ ଓ ଟଙ୍କା ଲୁଟ ଅଭିଯୋଗ : ୨୪ ଘଣ୍ଟା ପରେ ଯୁବକ ଉଦ୍ଧାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମଟଖାଇ ଜଙ୍ଗଲରୁ ଜଣେ ଯୁବକଙ୍କୁ ପୋଲିସ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍ରେ ଭର୍ତ୍ତି କରିଛି । ଉକ୍ତ ଯୁବକ ତୁଷୁରାରୁ ଫେରୁଥିବା ବେଳେ ପଛପଟୁ କେହି ତାଙ୍କୁ ନିଶା ଦ୍ରବ୍ୟ ସୁଂଘାଇ ତାଙ୍କର ଗ୍ଲେମର ବାଇକ ଓ ପ୍ରାୟ ଦଶ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଲୁପୁରସିଂଘା ଗ୍ରାମର ୨୪ ବର୍ଷୀୟ ନରେନ୍ଦ୍ର ଖଣ୍ଡଗିରି ସ୍ଥାନୀୟ ଶ୍ରୀରାମ ଫାଇନାନ୍ସ କମ୍ପାନୀରେ କାମ କରନ୍ତି । ସୋମବାର ଦିନ ସେ ତୁଷୁରା ଅଂଚଳକୁ କଲେକ୍ସନ ପାଇଁ ଯାଇଥିଲେ । ତୁଷୁରାରୁ ବଲାଙ୍ଗିର ଫେରୁଥିବା ବେଳେ ପ୍ରାୟ ୪ ଟାରେ ମଟଖାଇ ଜଙ୍ଗଲରେ ପରିସ୍ରା ଯିବା ପାଇଁ ବାଇକ ରୋକିଥିଲେ । ଠିକ ଏତିକି ବେଳେ ପଛପଟୁ କେହି ଆସି ତାଙ୍କୁ କଣ ସୁଂଘାଇ ଦେବା ଫଳରେ ସେ ବେହୋସ ହୋଇ ଯାଇଥିଲେ । ନରେନ୍ଦ୍ର ଆଜି ହୋସରେ ଆସିଲା ପରେ ସାଥୀ କର୍ମଚାରୀଙ୍କୁ ମେସେଜ କରିଥିଲେ । କମ୍ପାନୀ ପାଖରୁ ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ଯୁବକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଛି । ଯୁବକ ମୁର୍ମୁଷୁ ଅବସ୍ଥାରେ ଥିବା ବେଳେ ତାଙ୍କ ପାଖରୁ କିଛି ସବିଶେଷ ତଥ୍ୟ ମିଳିପାରି ନାହିଁ । ସେ ହୋସରେ ଆସିଲା ପରେ ଘଟଣାର ସତ୍ୟ ସତ୍ୟ ଜଣା ପଡିବ ବୋଲି ପରିଚିତ କହିଛନ୍ତି ।

Leave A Reply

Your email address will not be published.

fourteen − two =