jayashree

‘ମନ କି ବାତ୍’ର ୧୩୮ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମୋର ପ୍ରିୟ ଦେଶବାସୀଗଣ,

ନମସ୍କାର ‘ମନ୍ କି ବାତ୍’ର ସେପ୍ଟେମ୍ବର ମାସ ଅଧ୍ୟାୟରେ ପୁଣିଥରେ ଆପଣମାନଙ୍କ ସହ ଭେଟିବାର ସୁଯୋଗ ମିଳୁଛି । ମୁଁ ଦେଶର ସମସ୍ତ ଲୋକଙ୍କୁ ସ୍ୱାଗତ କରୁଛି । ‘ମନ୍ କି ବାତ୍’ରେ ଆମେ ଦେଶବାସୀଙ୍କ ସକାରାତ୍ମକ ପ୍ରଚେଷ୍ଟାକୁ ମଞ୍ଚ ପ୍ରଦାନ କରିଥାଉ । ଦେଶର ଉପଲବଧିଗୁଡ଼ିକ ବିଷୟରେ କଥା ହୋଇଥାଉ । ଭାରତର ଏହିଭଳି ଏକ ବଡ଼ ଐତିହାସିକ ଉପଲବଧିକୁ ଦିନକ ପରେ ୧୦ ବର୍ଷ ପୂରଣ ହେବାକୁ ଯାଉଛି । ଏହି ଉପଲବଧି ହେଉଛି ‘ସର୍ଜିକାଲ ଷ୍ଟ୍ରାଇକ୍’ । ଦଶବର୍ଷ ପୂର୍ବେ ୨୦୧୬ ମସିହା ସେପ୍ଟେମ୍ବର ମାସ ୨୮-୨୯ ତାରିଖ ଦିନ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ । ଏଲ୍ଓସି ସେପାରି ଯାଇ ଆମର ବୀର ଯବାନମାନେ ଆତଙ୍କବାଦ ବିରୁଦ୍ଧରେ ଯେତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା । ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପୂର୍ଣ୍ଣ ଭାବେ ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଥିଲା । ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ‘ସର୍ଜିକାଲ ଷ୍ଟ୍ରାଇକ୍’ ସେହି ଯନ୍ତ୍ରଣା ବିରୁଦ୍ଧରେ ଆମର ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା । ବିଗତ ଦଶନ୍ଧିରେ, ବାଲାକୋଟର ଏୟାର ଷ୍ଟ୍ରାଇକ୍ ଠାରୁ ଆରମ୍ଭକରି ‘ଅପରେସନ୍ ସିନ୍ଦୁର’ ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ, ତେବେ ତାହାର ଦୃଢ଼ ଜବାବ ଦିଆଯିବ ।
ବନ୍ଧୁଗଣ,
ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି । ଦିନ ଥିଲା ଯେବେ ଭାରତରେ ସିରିଏଲ୍ ବିସ୍ଫୋରଣ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା । ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ ସେପ୍ଟେମ୍ବର ୧୩, ୨୦୦୮ ତାରିଖ ଦିନ ଦିଲ୍ଲୀଠାରେ ହୋଇଥିବା ସିରିଏଲ୍ ବିସ୍ଫୋରଣରେ ଅନେକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିଲେ । ଏହାର କିଛି ସପ୍ତାହ ପରେ ହିଁ ମୁମ୍ବାଇରେ ୨୬/୧୧ ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା । ବନ୍ଧୁଗଣ, ଆଗରୁ ମଧ୍ୟ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ଥାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା କିନ୍ତୁ ତାହା ଉପରେ ସେତେଟା ଦୃଷ୍ଟି ଦିଆଯାଉନଥିଲା । ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା । କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି ଧରି ଚାଲିଛି ଏବଂ ଆମେ ଏହାର ପରିଣାମ ମଧ୍ୟ ଦେଖୁଛୁ ।
ବନ୍ଧୁଗଣ,
ଚଳିତ ବର୍ଷ ୯/୧୧ ଦିନ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ ୨୫ ବର୍ଷ ପୂରଣ ହେଉଛି । ଆମେରିକାର ୱାର୍ଲଡ ଟ୍ରେଡ୍ ସେଣ୍ଟରରେ ଯେଉଁ ନିର୍ଦ୍ଦୋଷ ଲୋକେ ନିଜ ଜୀବନ ହରାଇଥିଲେ, ସେଥିରେ ଆମେରିକୀୟଙ୍କ ପରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା । ମୋର ମନେଅଛି, ୨୦୧୪ରେ ପ୍ରଧାନମନ୍ତ୍ରୀ ହେବାପରେ ଯେତେବେଳେ ମୁଁ ଆମେରିକା ଯାଇଥିଲି, ସେତେବେଳେ ନ୍ୟୁୟର୍କରେ ମୁଁ ଏହି ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚିଯାଇଥିଲି । ଆଉ ଆଜି ପୁଣିଥରେ ମୁଁ ଭାରତର କୋଟି କୋଟି ନାଗରିକଙ୍କ ତରଫରୁ ସେହି ପୀଡ଼ିତ ପରିବାରମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ଏବେ ଦେଶର ଗୋଟିଏ ପ୍ରଭାବଶାଳୀ ଛବି ପ୍ରସ୍ତୁତ ହେଉଛି । ଏହି ଛବିରେ ଆପଣ ମଧ୍ୟ ରହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ରହିଛି, ଆପଣଙ୍କ ପାଖପଡ଼ୋଶୀ ଲୋକ ମଧ୍ୟ ଅଛନ୍ତି । ମୁଁ କହୁଛି, ଭାରତର ଜନଗଣନା ବିଷୟରେ । ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି । ୩୨ କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜୀକୃତ କରାଯାଇଛି । ଆଜିକାଲି ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର ଦୁର୍ଗମ ଏବଂ ବରଫାବୃତ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି । ସେଠାରୁ ଅନେକ ପ୍ରେରଣାଦାୟୀ ଅନୁଭୂତି ଆମ ଆଗକୁ ଆସିଛି । ଉତ୍ତରାଖଣ୍ଡରେ ଜନଗଣନାର ଶୁଭାରମ୍ଭ ଚମୋଲିର ମାଣା ନାମକ ଗାଁରୁ ହୋଇଥିଲା । ମାଣା’କୁ ଦେଶର ପ୍ରଥମ ଗାଁ ବୋଲି କୁହାଯାଏ । ମାଣା’ରେ ସବୁଠାରୁ ପ୍ରଥମେ ୮୩ ବର୍ଷୀୟ ପୂର୍ଣ୍ଣିମା ରାୱତ ଜୀଙ୍କ ଠାରୁ ଏହାର ଶୁଭାରମ୍ଭ ହୋଇଥିଲା । ଉତ୍ତରକାଶୀର ବଗୋରୀ ନାମକ ଗାଁରେ ହୋମଷ୍ଟେ ଚଳାଉଥିବା ହରଦେବ ସିଂହ ରାଣା ଜୀ ଡିଜିଟାଲ୍ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି ।
ବନ୍ଧୁଗଣ,
ଜନଗଣନା ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ । ମୁଁ ଏଥିପାଇଁ ସମୟ ବାହାର କରିବାକୁ ଅଗଷ୍ଟ ୧୫ ତାରିଖ ଦିନ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଥିଲି । ଜନଗଣନା ପାଇଁ ନିଜ ସମ୍ପର୍କରେ ସୂଚନା ନିଜେ ପଞ୍ଜୀକରଣ କରିବାର ଏହି ସୁବିଧା ବହୁତ ସହଜ । ଆପଣ ନିଜ ମୋବାଇଲ୍ ମାଧ୍ୟମରେ ହିଁ ନିଜର ଏବଂ ନିଜ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ । ଏହି ସୁବିଧା ହିନ୍ଦୀ ସହିତ ୧୬ଟି ଭାଷାରେ ଉପଲବ୍ଧ ।
ବନ୍ଧୁଗଣ,
ଏଥିପାଇଁ ଆପଣଙ୍କୁ ଜନଗଣନାର ଅନଲାଇନ୍ ପୋର୍ଟାଲକୁ ଯିବାକୁ ହେବ । ଏହି ପୋର୍ଟାଲ ହେଉଛି se.census.gov.in । ଏହି ପୋର୍ଟାଲକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗ୍ଇନ୍ କରନ୍ତୁ, ନିଜର ସ୍ଥାନ ବିଷୟରେ ସୂଚନା ଦିଅନ୍ତୁ, ନିଜ ପରିବାର ସମ୍ପର୍କରେ ସୂଚନା ପୂରଣ କରନ୍ତୁ ଏବଂ ଏହାକୁ ଦାଖଲ କରିଦିଅନ୍ତୁ । ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ ୧୫ରୁ ୨୦ ମିନିଟ୍ ସମୟ ଲାଗିଥାଏ । ଏଥିପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ଅପଲୋଡ୍ କରିବାକୁ ପଡିନଥାଏ । ସୂଚନା ଦାଖଲ କରିବା ପରେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ । ଯେତେବେଳେ ଗଣନାକର୍ମୀ ଆପଣଙ୍କ ଘରକୁ ଆସିବେ, ସେତେବେଳେ ଆପଣ ତାଙ୍କୁ ଏହି ଆଇଡି ଜଣାଇପାରିବେ । ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ନିଶ୍ଚିତ ହେବାପରେ ଏହା ଜନଗଣନାର ଅଂଶ ପାଲଟିଯିବ ।
ବନ୍ଧୁଗଣ,
ଏଯାବତ୍ ମୋବାଇଲ୍ ମାଧ୍ୟମରେ ୨ କୋଟି ୬୦ ଲକ୍ଷରୁ ମଧ୍ୟ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜର ସୂଚନା ପ୍ରଦାନ କରିସାରିଛନ୍ତି, ସ୍ୱ-ଗଣନା କରିସାରିଛନ୍ତି । ଆପଣଙ୍କର ମଧ୍ୟ ଏଥିରେ ଅଳ୍ପକିଛି ସମୟ ଖର୍ଚ୍ଚ ହେବ, କିନ୍ତୁ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣଙ୍କ ସଠିକ୍ ସୂଚନା ଆପଣଙ୍କ ପରିବାରର ସଠିକ୍ ସୂଚନା, ଦେଶର ଭବିଷ୍ୟତ ପାଇଁ ସଠିକ୍ ଛବି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ ।
ମୋର ପ୍ରିୟ ଦେଶବାସୀଗଣ,
ଆଜି ସେପ୍ଟେମ୍ବର ୨୭ ତାରିଖ ଦିନଟି ଏକ ବିଶେଷ କାରଣରୁ ଆହୁରି ବିଶେଷ ହୋଇଯାଇଛି । ଆଜି ଏଭଳି ଜଣେ ମହାନୁଭବଙ୍କ ୧୦୦ତମ ଜନ୍ମଜୟନ୍ତୀ ଯିଏ ସଂସ୍କୃତି, ସମାଜ ଏବଂ ରାଷ୍ଟ୍ର ପାଇଁ ନିଜର ସାରା ଜୀବନ ସମର୍ପିତ କରିଦେଇଥିଲେ । ମୁଁ କହୁଛି ‘ବିଶ୍ୱ ହିନ୍ଦୁ ପରିଷଦ’ର ପୂର୍ବତନ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରଦ୍ଧେୟ ସ୍ୱର୍ଗୀୟ ଅଶୋକ ସିଂହଲ ଜୀଙ୍କ ବିଷୟରେ । ୧୯୨୬, ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ୍ ଆଜିର ଦିନରେ ହିଁ ସେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ । ସେ ସମାଜରେ ରହି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କଲେ । ସେ ରାମଜନ୍ମଭୂମି ଆନ୍ଦୋଳନକୁ ଯେଉଁ ଦିଗ ପ୍ରଦାନ କଲେ, ଯେଉଁ ଶକ୍ତି ପ୍ରଦାନ କଲେ, ଆଜି ତାହାର ପରିଣାମ ସ୍ୱରୂପ ଆମେ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ସାକ୍ଷାତ ଭାବେ ଦେଖୁଛୁ । ମୋର ତ ବହୁତ ବଡ଼ ସୌଭାଗ୍ୟ ଯେ ମୁଁ କେବଳ ତାଙ୍କ ଜୀବନକୁ ନିକଟରୁ ଦେଖିପାରିଲି, ସେତିକି ନୁହେଁ ବରଂ ମତେ ତାଙ୍କ ସହିତ ଏହି ମିଶନରେ ଯୋଡ଼ିହେବାର ମଧ୍ୟ ସୁଯୋଗ ମିଳିଲା । ଯେତେବେଳେ ମୁଁ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରୁଥିଲି ସେତେବେଳେ ମଧ୍ୟ ମୋତେ ବାରମ୍ବାର ଅଶୋକ ଜୀଙ୍କ କଥା ମନେପଡ଼ିବା ସ୍ୱାଭାବିକ ଥିଲା ।
ବନ୍ଧୁଗଣ,
ଅଶୋକ ଜୀଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ବିଶେଷ ଭାବେ ଆଲୋଚିତ ହୋଇନଥାଏ । ରାମମନ୍ଦିର ଆନ୍ଦୋଳନ ସଙ୍ଗେ ସଙ୍ଗେ ସେ ସାମାଜିକ ଭେଦଭାବ ଏବଂ ବିଷମତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ସଂଗ୍ରାମ ଲଢ଼ିଥିଲେ । ତାଙ୍କ ଜନ୍ମ ଏକ ଅତି ସମୃଦ୍ଧ ପରିବାରରେ ହୋଇଥିଲା । ତାଙ୍କ ପିତା ଜଣେ ସିଭିଲ ସର୍ଭିସ ଅଧିକାରୀ ଥିଲେ । ତାଙ୍କର ଭାଇଭଉଣୀମାନଙ୍କ ମଧ୍ୟରେ ବି ଅଧିକାଂଶ ଲୋକ ବଡ଼ ବଡ଼ ପଦବୀରେ ରହିଥିଲେ । ସେ ନିଜେ ମଧ୍ୟ IIT BHUର ଜଣେ ସ୍ନାତକ ଥିଲେ । କିନ୍ତୁ ଏସବୁ ସତ୍ତ୍ୱେ ସେ ସମାଜ ଏବଂ ସଂସ୍କୃତି ପାଇଁ ନିଜ ଜୀବନ ସମର୍ପିତ କଲେ । ଏହାହିଁ ମହାନ ବ୍ୟକ୍ତିମାନଙ୍କ ପରିଚୟ ହୋଇଥାଏ । ଆଜି ମୁଁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକମାନଙ୍କ ତରଫରୁ ତାଙ୍କୁ ପ୍ରଣାମ ଜଣାଉଛି । ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ମୋର ପ୍ରିୟ ଦେଶବାସୀଗଣ,
ଚଳିତ ବର୍ଷର ଶୁଭାରମ୍ଭ ଆମେ ସ୍ୱାଭିମାନର ଏକ ମହାପର୍ବ ସହ କରିଥିଲୁ । ଏହି ପର୍ବ ଥିଲା “ସୋମନାଥ ସ୍ୱାଭିମାନ ପର୍ବ” ଆଜିଠାରୁ ଏକ ହଜାର ବର୍ଷ ପୂର୍ବେ, ଖ୍ରୀଷ୍ଟାବ୍ଦ ୧୦୨୬ରେ ମହମ୍ମଦ ଗଜନୀ ପ୍ରଥମ ଥର ସୋମନାଥ ମନ୍ଦିରକୁ ଧ୍ୱଂସ କରିଥିଲେ । କିନ୍ତୁ, ଯେଉଁ ଲୋକ ସୋମନାଥକୁ ଭାଙ୍ଗି ଭାରତର ପରିଚୟ ଲିଭାଇବାକୁ ଆସିଥିଲେ, ଆଜି ତାଙ୍କର ନିଜର କୌଣସି ଅସ୍ତିତ୍ୱ ନାହିଁ ଏବଂ ସୋମନାଥ ମନ୍ଦିର ସମ୍ପୂର୍ଣ୍ଣ ଭବ୍ୟତା ସହ ବିଶାଳ ସାଗରତଟରେ ଭାରତର ଅମରତ୍ୱ ପାଇଁ ଆଶୀର୍ବାଦ ପ୍ରଦାନ କରୁଛି । ସେଥିପାଇଁ ଆମେ ଗର୍ବର ସହିତ ଏହି ବର୍ଷ ‘ସୋମନାଥ ସ୍ୱାଭିମାନ ପର୍ବ’ ପାଳନ କଲୁ ।
ବନ୍ଧୁଗଣ,
ଏହି ବିଷୟରେ ଆଜି ‘ମନ୍ କି ବାତ୍’ରେ ମୁଁ ପୁଣିଥରେ କାହିଁକି ଆଲୋଚନା କରୁଛି – ତାହାର ମଧ୍ୟ ଏକ ବିଶେଷ କାରଣ ରହିଛି । ଖ୍ରୀଷ୍ଟାବ୍ଦ ୧୦୨୬ରେ ଯେତେବେଳେ ଗଜନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହୋଇଥିଲା, ସେହି ବର୍ଷ ଗୁଜୁରାଟର ମୋଢେରାଠାରେ ସୁପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା, ଏହାକୁ ଭଙ୍ଗାଯାଇଥିଲା । ଅର୍ଥାତ୍ ମୋଢେରା ମନ୍ଦିର ବିଧ୍ୱଂସକୁ ମଧ୍ୟ ଏକ ହଜାର ବର୍ଷ ପୂରଣ ହୋଇଛି, ଅଥଚ ସେତେବେଳେ ସେହି ମନ୍ଦିର ନିର୍ମାଣକୁ ମାତ୍ର ଏକବର୍ଷ ପୂରଣ ହୋଇଥିଲା । ଖ୍ରୀଷ୍ଟାବ୍ଦ ୧୦୨୫ରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରାଇଥିଲେ ।
ବନ୍ଧୁଗଣ,
ଆପଣ ସେହି କାଳଖଣ୍ଡ ସମ୍ପର୍କରେ ଚିନ୍ତା କରନ୍ତୁ ଯେତେବେଳେ ଏତେ ବଡ଼ ଧରଣର ଆକ୍ରମଣ ହୋଇଥିବ, ସୋମନାଥ ମନ୍ଦିର ଭଳି ଆସ୍ଥାର ଏତେବଡ଼ କେନ୍ଦ୍ରକୁ ଖଣ୍ଡିତ କରାଯାଇଥିବ ଏବଂ ଆହୁରି ଅନେକ ସ୍ଥାନରେ ମଧ୍ୟ ଆକ୍ରମଣ ହୋଇଥିବ! ଏହିଭଳି ଆକ୍ରମଣ ଦ୍ୱାରା ଯେକୌଣସି ସମାଜ କିମ୍ବା ପ୍ରଶାସନର ମନୋବଳ ଭାଙ୍ଗିବା ସ୍ୱାଭାବିକ । କିନ୍ତୁ ରାଜା ଭୀମଦେବ ପ୍ରଥମ କେବଳ ଯେ ଗଜନୀର ଆକ୍ରମଣର ମୁକାବିଲା କରିନଥିଲେ ବରଂ ମାତ୍ର କିଛି ସମୟ ମଧ୍ୟରେ ମୋଢେରା ସୂର୍ଯ୍ୟମନ୍ଦିରର ପୁନର୍ନିମାଣ ମଧ୍ୟ କରାଇଦେଲେ । ଏହିଭଳି ଉତ୍ସାହ ଯୋଗୁଁ ସୋମନାଥ ମନ୍ଦିର ବାରମ୍ବାର ବିଧ୍ୱଂସ ହେବା ସତ୍ତ୍ୱେ ଏହାର ପୁନର୍ନିମାଣ ହୋଇଚାଲିଥିଲା ।
ବନ୍ଧୁଗଣ,
ମୋଢେରା ସୂର୍ଯ୍ୟମନ୍ଦିର ଉପରେ ମଧ୍ୟ ସେହି କାଳଖଣ୍ଡରେ ଆକ୍ରମଣ ଅଟକିନଥିଲା । ପରବର୍ତ୍ତୀ ସମୟରେ ଆଲ୍ଲାଉଦ୍ଦିନ୍ ଖିଲଜୀ ଦ୍ୱାରା ମଧ୍ୟ ବାସ୍ତୁକଳାର ଏହି ଭବ୍ୟ ମନ୍ଦିରକୁ ଭଙ୍ଗାଯାଇଥିଲା । କିନ୍ତୁ ବନ୍ଧୁଗଣ, ଆମେ ଭାରତୀୟ ସୂର୍ଯ୍ୟ ଉପାସନା କେବଳ ବାସ୍ତୁ ଏବଂ ମନ୍ଦିର ମାଧ୍ୟମରେ କରିନଥାଉ, ଆମ ସୂର୍ଯ୍ୟ ଉପାସନାର ଅନ୍ୟ ଏକ ଅର୍ଥ ହୋଇଥାଏ ଆଲୋକ, ଶକ୍ତି, ବିଜ୍ଞାନ ଏବଂ ନିରନ୍ତରତାର ପ୍ରେରଣା । ସେଥିପାଇଁ ମୋଢେରା ମଧ୍ୟ ଆଜି କେବଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ, ତାହାନୁହେଁ ବରଂ ଗୁଜରାଟର ଏହି ଗାଁ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ବା ସୌର ଗ୍ରାମ ହୋଇସାରିଛି, ମୋଢେରା ଆଜି ସମ୍ପୂର୍ଣ୍ଣ ଭାବେ ସୌରଶକ୍ତିରେ ପରିଚାଳିତ ଏବଂ ଏହା ଦେଶ ଆଗରେ ସ୍ଥାୟୀତ୍ୱର ଏକ ଉଦାହରଣ ସୃଷ୍ଟି କରିଛି । ମୋଢେରାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଏବଂ ସୁବିଧାଗୁଡ଼ିକର ଶୁଭାରମ୍ଭ ମଧ୍ୟ ହୋଇଛି । ଜାନୁଆରୀରେ ମକର ସଂକ୍ରାନ୍ତି ପରେ ସେଠାରେ ମୋଢେରା ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ । ଏଥିରେ ଭାରତର ସାଂସ୍କୃତିକ ଏବଂ ଶାସ୍ତ୍ରୀୟ ନୃତ୍ୟଗୁଡ଼ିକର ଚମତ୍କାର ପରିବେଷଣ ହୋଇଥାଏ । ମୁଁ ଚାହୁଁଛି ଯେ ଆପଣ ସମସ୍ତେ ମଧ୍ୟ ଥରେ ନିଶ୍ଚୟ ମୋଢେରା ଯାଆନ୍ତୁ ଏବଂ ଭାରତର ଏହି ଗୌରବପୂର୍ଣ୍ଣ ଐତିହ୍ୟକୁ ଦର୍ଶନ କରନ୍ତୁ ।
ବନ୍ଧୁଗଣ,
ଅତୀତ ସହିତ ଆମର ସମ୍ପର୍କ ଆଜି ମଧ୍ୟ ବହୁତ ଜୀବନ୍ତ । ଏହା ପଛରେ ସେହି ଲୋକମାନଙ୍କର ସମର୍ପଣ ଏବଂ ପରିଶ୍ରମ ରହିଛି ଯେଉଁମାନେ ତାକୁ ଆହୁରି ଅଧିକ ଯୋଡ଼ିରଖିଛନ୍ତି । ତାମିଲନାଡୁର ତିରୁଚିରାପଲ୍ଲୀରେ ମନପ୍ପାରଇ ଠାରେ ଏହିଭଳି ଏକ ନୂତନ ପ୍ରୟାସ ହେଉଛି । ଗୋଟିଏ କଲେଜର ତାମିଲ ଅଧ୍ୟୟନ ବିଭାଗର ଏ. ସେଲଭାରାଜୁ ନାମକ ବ୍ୟକ୍ତି ଏହାକୁ ଆଗେଇ ନେଉଛନ୍ତି । ଗୋଟିଏ ବକ୍ତୃତା ଦେଉଥିବା ସମୟରେ ତାଙ୍କୁ ନିଜର ଜଣେ ଛାତ୍ରଙ୍କଠାରୁ କିଛି ପ୍ରାଚୀନ ପ୍ରତିମା ସମ୍ପର୍କରେ ସୂଚନା ମିଳିଥିଲା । ଏହି ବିଷୟରେ ଆଲୋଚନା ପରେ ସେ ସେହି ସ୍ଥାନକୁ ଦେଖିବାର ଯୋଜନା କଲେ । ଏହି ଯାତ୍ରା ମଧ୍ୟରେ ଭିନ୍ନ ଭିନ୍ନ ଜାଗାରେ ଅନେକ ପ୍ରତିମା ମିଳିଲା ଏବଂ ପ୍ରାଚୀନ ମନ୍ଦିର ମଧ୍ୟ ମିଳିଲା । ଅତୀତ ସହିତ ଯୋଡ଼ିହେବାର ଏହା ଏକ ଆକର୍ଷଣୀୟ ପ୍ରୟାସ ଥିଲା । ଏହିଭଳି ଭାବରେ ଆମେ ଆମର ଐତିହ୍ୟକୁ ଭଲଭାବରେ ଜାଣିପାରିବା । ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିଭଳି ପ୍ରୟାସ କରାଯାଇପାରେ । ଏହାଦ୍ୱାରା ଆମକୁ ଆମର ଇତିହାସକୁ ଅତି ନିକଟରୁ ଦେଖିବା ଏବଂ ଜାଣିବାର ସୁଯୋଗ ମିଳେ ।
ମୋର ପ୍ରିୟ ଦେଶବାସୀଗଣ,
ଏହି କିଛିଦିନ ପରେ ଅକ୍ଟୋବର ୨ ତାରିଖ – ପୂଜ୍ୟ ବାପୁଙ୍କ ଜୟନ୍ତୀ । ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି । ସ୍ୱଚ୍ଛତା ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନ୍ୟତମ । ଆମେ ପ୍ରାୟ ନିଜର ଆଖପାଖରେ ସ୍ୱଚ୍ଛତା ପାଇଁ ଉଦ୍ଦିଷ୍ଟ ଅନେକ ପ୍ରୟାସ ଦେଖୁଛନ୍ତି । ଏହି ପ୍ରୟାସଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଉତ୍ସାହବର୍ଦ୍ଧକ । ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହିଭଳି ଫଟୋ, ଭିଡ଼ିଓ ଏବଂ ରିଲ୍ସ ବାରମ୍ବାର ଆମର ଧ୍ୟାନ ଆକର୍ଷଣ କରେ । ବର୍ତ୍ତମାନ ସମୟରେ ମୁଁ ଏହିଭଳି ଅନେକ ପ୍ରୟାସ ଦେଖିଛି । ମଧ୍ୟପ୍ରଦେଶରେ କେଉଁଠି କିଛି ଯୁବକ ନଦୀକୁ ପରିଷ୍କାର କରୁଛନ୍ତି । ସେମାନଙ୍କର ଏହି ଛୋଟ ପ୍ରୟାସ ସହିତ ପୁରା ସମାଜ ଯୋଡ଼ିହୋଇଯାଉଛି । ସେହିଭଳି ଆନ୍ଧ୍ରପ୍ରଦେଶରେ ଯୁବକମାନେ ପୁରୁଣା ବାମ୍ଫି ଏବଂ କୂଅଗୁଡ଼ିକୁ ପରିଷ୍କାର କରୁଛନ୍ତି । ଏହାଦ୍ୱାରା ଆମର ପ୍ରାଚୀନ ଐତିହ୍ୟଗୁଡ଼ିକୁ ପୁଣିଥରେ ପରିଷ୍କୃତ କରାଯାଇପାରୁଛି । ମୁମ୍ବଇରେ କିଛି ଯୁବକ ସମୁଦ୍ରକୂଳକୁ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରୁଛନ୍ତି । ପ୍ରତି ସପ୍ତାହରେ କୌଣସି ନା କୌଣସି ବିଚରେ ଶହ ଶହ ଯୁବବନ୍ଧୁ ଏକତ୍ରିତ ହେଉଛନ୍ତି ଏବଂ ସ୍ୱଚ୍ଛତା ମାଧ୍ୟମରେ ସେବା କରୁଛନ୍ତି । ଏଠି ଦିଲ୍ଲୀରେ ମଧ୍ୟ ପିଲା ଏବଂ ଯୁବକମାନେ ଆବର୍ଜନାକୁ ଅଲଗା ଅଲଗା ରଖିବା ଏବଂ ନିଜର ଚତୁଃପାର୍ଶ୍ୱ ସଫା ରଖିବା ପାଇଁ ସଚେତନ କରୁଛନ୍ତି। ପଶ୍ଚିମବଙ୍ଗରେ ଯୁବକମାନେ ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ବଣଭୋଜି ସ୍ଥଳ ଏବଂ ପାଖ ବଜାରଗୁଡ଼ିକର ସଫାଇ କରୁଛନ୍ତି । ବନ୍ଧୁଗଣ, ଏହି ସମସ୍ତ ପ୍ରଚେଷ୍ଟା ଭିତରେ ଗୋଟିଏ କଥା ଅତି ସହଜରେ ଦେଖାଯାଉଛି । କେଉଁଠି ଜଣେ କାମ ଆରମ୍ଭ କଲେ, ପୁଣି କିଛି ଲୋକ ଯୋଡ଼ିହେଲେ, ଆଉ ସଂଖ୍ୟା ବଢ଼ିଚାଲିଲା – ଏହାହିଁ ତ ଜନଭାଗିଦାରୀ । ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେଉ ।
ମୋର ପ୍ରିୟ ଦେଶବାସୀଗଣ,
ଆମେମାନେ ପରିବେଶ ରକ୍ଷା କରୁଛେ, ଏହାଦ୍ୱାରା ଆମେ ଖାଲି ଗଛଲତା ବା ଜୀବଜନ୍ତୁଙ୍କୁ ବଞ୍ଚାଉଛେ ସେତିକି ନୁହେଁ ବରଂ ଆମେ ସମ୍ପୂର୍ଣ୍ଣ ଜୀବନ ବ୍ୟବସ୍ଥାକୁ ଦୃଢ଼ କରୁଛେ । ଦେଶର ଭିନ୍ନ ଭିନ୍ନ ଭାଗରେ ହେଉଥିବା ଏହିଭଳି କିଛି ପ୍ରୟାସ ଏହି ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକାଶିତ କରୁଛି ।
ବନ୍ଧୁଗଣ,
ଆସାମର ସୋନାଇ ରୂପାଇ ବନ୍ୟଜୀବ ଅଭୟାରଣ୍ୟ ରହିଛି । ସମୟ ଥିଲା ଯେତେବେଳେ ଏଠାରେ ହାତୀମାନଙ୍କର ଘର ଥିଲା, କିନ୍ତୁ, ଧୀରେ ଧୀରେ ଜଙ୍ଗଲ ଜମି ଉପରେ ମଣିଷମାନଙ୍କର ଦଖଲ ବଢ଼ିବାକୁ ଲାଗିଲା, ଯାହାଦ୍ୱାରା ହାତୀମାନେ ଏହି ଅଞ୍ଚଳଠାରୁ ଦୂରକୁ ଚାଲିଗଲେ । ତିନିବର୍ଷ ପୂର୍ବେ ଏହି ଜମିକୁ ଅତିକ୍ରମଣ ମୁକ୍ତ କରାଗଲା, ଏବଂ ଏବେ ତା’ର ଅଦ୍ଭୁତ ପରିଣାମ ଦେଖିବାକୁ ମିଳୁଛି । ହାତୀମାନେ ପୁଣି ଏଠାକୁ ଫେରିଆସିଲେଣି । ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ସେମାନଙ୍କର ଗହଳି ନ ଥିଲା, ଆଜି ସେହିଠାରେ ଦଳ ଦଳ ହାତୀ ଦେଖାଯାଉଛନ୍ତି । ବନ୍ଧୁଗଣ, ଆସାମରେ ହିଁ ଆଉ ଗୋଟିଏ ସୁନ୍ଦର ପ୍ରଚେଷ୍ଟା ହୋଇଛି । ଗୋଟିଏ ଅତିକ୍ଷୁଦ୍ର ଜୀବ ପିଗ୍‌ମି ହଗ୍କୁ ବଞ୍ଚାଇବା ପାଇଁ ଏହି ପ୍ରଚେଷ୍ଟା ଥିଲା । ଗୋଟିଏ ସମୟରେ ଏହି ଜୀବର ଅସ୍ତିତ୍ୱ ଉପରେ ସଙ୍କଟର ବାଦଲ ଦେଖାଯାଇଥିଲା । ସେତେବେଳେ ମାତ୍ର ୬ଟି ପିଗ୍‌ମି ହଗକୁ ନେଇ ଏକାସଙ୍ଗରେ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା, ସେମାନଙ୍କୁ ପୁଣି ଜଙ୍ଗଲରେ ଛଡ଼ାଗଲା । ସେମାନଙ୍କ ବାସସ୍ଥାନ ପାଇଁ ଘାସଭୂମିଗୁଡ଼ିକର ମଧ୍ୟ ଯତ୍ନ ନିଆଯାଇଥିଲା। ଆଜି, ଏହି କାର୍ଯ୍ୟକ୍ରମ ଯୋଗୁଁ ‘ପିଗ୍‌ମି ହଗ୍’ ସଂଖ୍ୟା ବୃଦ୍ଧି ପାଇ ୧୯୦ରୁ ଅଧିକ ହୋଇଛି।
ବନ୍ଧୁଗଣ,
ପ୍ରକୃତି ସହିତ ଆମର ସମ୍ବନ୍ଧ ଖାଲି ତା’ର ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ, ଅନେକ ସମୟରେ ଆମେ ପ୍ରକୃତିର ରକ୍ଷା କରୁଛେ, ସେହି ପ୍ରକୃତି ଆମ ଜୀବନର ଆଶ୍ରୟ ହୋଇପାରୁଛି । ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କେତେକ ମହିଳା ଏହାକୁ ଏକ ପ୍ରେରଣାଦାୟୀ ଉଦାହରଣ ଭାବରେ ପ୍ରସ୍ତୁତ କରୁଛନ୍ତି । ଝାରଖାଲୀର ଏହି ମହିଳାମାନେ ହେନ୍ତାଳବନ ପ୍ରସ୍ତୁତ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସେହି ମହିଳାମାନେ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ସ୍ୱାମୀଙ୍କୁ ହରାଇବା ପରେ ସେମାନଙ୍କୁ ସୁନ୍ଦରବନରୁ ହିଁ ଜୀବନ ଧାରଣର ଉପାୟ ମିଳିଲା । ସେମାନଙ୍କ ଦ୍ୱାରା ସ୍ଥାପିତ ହେନ୍ତାଳବନ ଆଜି ଗାଁମାନଙ୍କ ପାଇଁ ଏକ ପ୍ରାକୃତିକ ସୁରକ୍ଷାକବଚ ସାଜିଛି ଏବଂ ଏଗୁଡ଼ିକୁ ଲଗାଇ ମହିଳାମାନଙ୍କର ରୋଜଗାର ମଧ୍ୟ ହେଉଛି । ବନ୍ଧୁଗଣ ଆମେ ପରିବେଶକୁ ରକ୍ଷା କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ତା’ର ବିବିଧତାକୁ ସୁରକ୍ଷିତ ରଖିବା । ଆମର ଏହିଭଳି ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ୀ ପାଇଁ ଆମମାନଙ୍କର ଦାୟିତ୍ୱ ।
ମୋର ପ୍ରିୟ ଦେଶବାସୀଗଣ,
ଏହି ନିକଟରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଶା ବିରୁଦ୍ଧରେ, ଡ୍ରଗ୍ସ ବିରୁଦ୍ଧରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେଇଛନ୍ତି । ଯୁବକମାନେ ନିଜେ ମଧ୍ୟ ନିଶାଠାରୁ ଦୂରେଇ ରହିବାର ପ୍ରତିଜ୍ଞା କରିଛନ୍ତି, ଏବଂ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନେଇଛନ୍ତି – ‘ନିଶା ମୁକ୍ତି ଯୁବ ଅଭିଯାନ’ ଦ୍ୱାରା ଏସବୁ ହେଉଛି । ଏହି ଅଭିଯାନ ୧୦୦ ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏଥିରେ ମାଇଁ ଭାରତ ସ୍ୱେଚ୍ଛାସେବୀମାନେ ସମ୍ମିଳିତ ଅଛନ୍ତି । ଏନଏସଏସ ସହିତ ସଂଯୁକ୍ତ ହୋଇଥିବା ଆମର ଯୁବକମାନେ ମଧ୍ୟ ଏହି ଅଭିଯାନର ଅଂଶ, ସ୍କୁଲ-କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ସହିତ ମିଶିଛନ୍ତି ଏବଂ ଅନେକ ସାମାଜିକ, ଆଧ୍ୟାତ୍ମିକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି । ଗତ କିଛିଦିନ ମଧ୍ୟରେ ହିଁ ସାରାଦେଶରେ ହଜାର ହଜାର ସଂକଳ୍ପ ସମାରୋହ ଏବଂ ସଚେତନତାର କାର୍ଯ୍ୟକ୍ରମ ହୋଇଛି ।
ବନ୍ଧୁଗଣ,
ଏହି ଅଭିଯାନରେ ଗୋଟିଏ କଥା ମୋତେ ବିଶେଷ ଭାବରେ ଭଲ ଲାଗିଲା ତାହା ହେଉଛି ‘ନିଶାମୁକ୍ତିର ବାର୍ତ୍ତା’ । ଆମର ଯୁବକମାନେ ସ୍ୱୟଂ ନିଜର ଭାଷାରେ, ନିଜ ଉପାୟରେ ଏହି ବାର୍ତ୍ତାକୁ ଆଗକୁ ବଢ଼ାଉଛନ୍ତି । ମୁଁ ‘ମନ୍ କି ବାତ୍’ରେ ମଧ୍ୟ ଯୁବବନ୍ଧୁମାନଙ୍କୁ ଅନୁରୋଧ କରିଥିଲି ଯେ ନିଜର ସୃଜନାତ୍ମକତା ମାଧ୍ୟମରେ ଏହି ଅଭିଯାନ ସହିତ ଯୋଗଦିଅନ୍ତୁ, ମୁଁ ବହୁତ ଖୁସି ଯେ ହଜାର ହଜାର ଯୁବକ ଏହି ଆହ୍ୱାନ ଦ୍ୱାରା ଆଗେଇ ଆସିଛନ୍ତି । ‘ମାଇଁ ଭାରତ’ରେ ସଙ୍ଗୀତ ଓ ସ୍ଲୋଗାନ୍ ଲିଖନ ଏବଂ ପଥପ୍ରାନ୍ତ ନାଟକ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ହୋଇଛି । ସେହିଭଳି ସାମାଜିକ ଗଣମାଧ୍ୟମରେ ଆମର ଯୁବବନ୍ଧୁମାନେ ‘#ନଶାମୁକ୍ତ ୟୁବା’ ସହିତ ନିଜର ସୃଜନାତ୍ମକ ବିଷୟଗୁଡ଼ିକୁ ସେୟାର୍ କରୁଛନ୍ତି, ଅର୍ଥାତ୍, ସନ୍ଦେଶ ମଧ୍ୟ ଯୁବବର୍ଗର, ମାଧ୍ୟମ ବି ଯୁବବର୍ଗର ଏବଂ ଏହାକୁ ଆଗକୁ ନେଇଯିବାର ଶକ୍ତି ମଧ୍ୟ ଯୁବବର୍ଗର । ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି ଗତିବିଧି ମଧ୍ୟ ହେବ ।
ବନ୍ଧୁଗଣ,
ଖୁବଶୀଘ୍ର ଆମର ଅନେକ ପର୍ବ ଏବଂ ଉତ୍ସବଗୁଡ଼ିକ ମଧ୍ୟ ଆସିବ । ଏଥର ଉତ୍ସବର ଆନନ୍ଦ ଭିତରେ ଆମେ ଆମର ଚତୁଃ ପାର୍ଶ୍ଵକୁ ମଧ୍ୟ ନଜର ରଖିବା । ଯଦି କୌଣସି ଯୁବବନ୍ଧୁ ଖରାପ ଅଭ୍ୟାସ ଆଡ଼କୁ ବଢ଼ୁଥାନ୍ତି, ତେବେ ତାଙ୍କ ସହିତ କଥା ହୁଅନ୍ତୁ । ଯଦି କେହି ନିଶାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛନ୍ତି, ତାହେଲେ ତାକୁ ସହଯୋଗ କରନ୍ତୁ । ନିଶାମୁକ୍ତ ଯୁବସମାଜ ସହିତ ବିକଶିତ ଭାରତର ସଂକଳ୍ପକୁ ଆମେ ସମସ୍ତେ ମିଶି ଆଗକୁ ବଢ଼ାଇବା ।
ମୋର ପ୍ରିୟ ଦେଶବାସୀଗଣ,
ଲାଲକିଲ୍ଲାରୁ ଏଥର ମୁଁ କ୍ରୀଡ଼ା ପାଇଁ ପ୍ରତିଭା ଅନ୍ୱେଷଣ ଅଭିଯାନର ଘୋଷଣା କରିଛି । ଭାରତ ନିରନ୍ତର ତା’ର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖୁ ସେଥିପାଇଁ ଗାଁ ଏବଂ ଛୋଟ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚି କ୍ରୀଡ଼ା ପ୍ରତିଭାକୁ ଖୋଜିବା ବହୁତ ଆବଶ୍ୟକ । ସେଠି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି । ତାଙ୍କର ଗୋଟିଏ ଆବେଗ ହେଉଛି ପ୍ରତିଭାକୁ ଖୋଜିବା ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା । ଆମ ପଞ୍ଜାବରେ ଏହି କାମ ରାଜିନ୍ଦର ସିଂହ ମହୋଦୟ କରୁଛନ୍ତି । ରାଜିନ୍ଦର ସିଂହ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନାମ ସହିତ ବରିଷ୍ଠ ମଧ୍ୟ ଯୋଡ଼ା ହୋଇଛି । ୧୯୮୦ ମସିହାରେ ଅଲମ୍ପିକରେ ଭାଗନେଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ହକି ଟିମର ସେ ସଦସ୍ୟ ଥିଲେ । ୧୯୮୨ରେ ଆୟୋଜିତ ୱାର୍ଲଡ କପରେ ସେ ଚର୍ଚ୍ଚାରେ ରହିଥିଲେ । ୨୦୦୧ ମସିହାରେ ଭାରତ ପ୍ରଥମ ଥର ପାଇଁ ପୁରୁଷ ଜୁନିୟର ବିଶ୍ୱକପ୍ରେ ବିଜୟଲାଭ କରିଥିଲା। ଠିକ୍ ସେହିପରି ୨୦୦୩ ମସିହାରେ ଆମ ଦେଶ ସିନିୟର ଏସିଆ କପ୍ ଟାଇଟଲକୁ ବି କରାୟତ୍ତ କରିଥିଲା । ଏହି ଉଭୟ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭୂମିକା ତୁଲାଇଥିଲେ । ବର୍ତ୍ତମାନ ସେ ରାଉଣ୍ଡ ଗ୍ଲାସ୍ ହକି ଏକାଡେମୀ ଜରିଆରେ ନିଜ ଆବେଗକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି । ତାଙ୍କ ପ୍ରଚେଷ୍ଟାରେ ଗାଁମାନଙ୍କରେ ନୂତନ ହକି ଆଷ୍ଟ୍ରୋ-ଟର୍ଫ୍ ନିର୍ମାଣ କରାଯାଉଛି । ରାଜିନ୍ଦର ଜୀଙ୍କର ଲକ୍ଷ୍ୟ ପୁରା ସ୍ପଷ୍ଟ । ଏପରି ଗାଁମାନଙ୍କୁ ଯାଇ ପିଲାମାନଙ୍କୁ ଚିହ୍ନଟ କରିବା ଯେଉଁଠି ଉତ୍କୃଷ୍ଟ କୋଚିଂର ସୁବିଧା କମ୍ ମାତ୍ରାରେ ଉପଲବ୍ଧ । ଏପରି ପ୍ରଚେଷ୍ଟା ଦ୍ୱାରା ଅନେକ ଖେଳାଳି ଭାରତର ଜୁନିୟର ଓ ସିନିୟର ଲେଭଲରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି । ରାଜିନ୍ଦର ସିଂହ ଜୀଙ୍କର ଏପରି ସମର୍ପଣକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ।
ମୋର ପ୍ରିୟ ଦେଶବାସୀଗଣ,
ଅଁଳା ଆମ ସମସ୍ତଙ୍କର ଖୁବ୍ ପରିଚିତ । ଅଧିକାଂଶ ଘରେ ଏଥିରୁ ପ୍ରସ୍ତୁତ ଆଚାର ଓ ମୁରବାକୁ ବ୍ୟବହାର କରାଯାଏ । ବହୁତ ଲୋକ ଅଁଳା ଜୁସକୁ ପସନ୍ଦ କରନ୍ତି । ଶୀତଦିନେ ଚ୍ୟବନପ୍ରାସ ଆମ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ହୋଇଯାଏ । ଆମ ପୂର୍ବପୁରୁଷମାନେ ପିଢ଼ିପିଢ଼ି ଧରି ଅଁଳାର ଗୁଣ ବିଷୟରେ କହିଆସିଛନ୍ତି ।
ବନ୍ଧୁଗଣ,
ଏହି ଅଁଳା ଆଜି ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ନୂତନ ସମ୍ଭାବନାର ମାଧ୍ୟମ ହୋଇଛି । ପ୍ରତାପଗଡ଼ ଓ ଅଁଳାର ସମ୍ପର୍କ ଖୁବ୍ ପୁରୁଣା । ପିଢ଼ିପିଢ଼ି ଧରି ଏଠାକାର ଚାଷୀ ଅଁଳା ଚାଷ କରିଆସୁଛନ୍ତି । ଅଁଳା ପ୍ରତାପଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଆଉ ଏବେ ଏହି ପୁରୁଣା ପରିଚୟ ଏଠାକାର କୃଷକ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ନେଇଆସିଛି । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଅର୍ଥାତ୍ ଓଡିଓପି ମାଧ୍ୟମରେ ଏଠି ଅଁଳା ସହ ଜଡ଼ିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିଛି । ଆଜି ପ୍ରତାପଗଡ଼ରେ ଅଁଳା ପ୍ରକ୍ରିୟାକରଣ ସହ ଜଡ଼ିତ ପାଖାପାଖି ୧୦୦ ୟୁନିଟ୍ କାମ କରୁଛନ୍ତି, ଆଉ ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ମହିଳାମାନେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ଏପରି ଏକ ସମୂହ ହେଉଛି – ଦେବଗଡ଼ କମାସୀ ଗାଁର ସାବିତ୍ରୀ ଫୁଲେ ସ୍ୱୟଂ ସହାୟକ ଗୋଷ୍ଠୀ । ଏହି ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ଅଁଳାରୁ ମିଠାଇ, ମୁରବା ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି । ଓଡିଓପି ଜରିଆରେ ଏସବୁ ନୂତନ ବଜାରମାନଙ୍କରେ ପହଞ୍ଚିପାରିବା ଫଳରେ ଏମାନଙ୍କ ଆୟରେ ବି ବୃଦ୍ଧି ଘଟିଛି । ଏହିପରି ଅନ୍ୟ ଏକ ଗାଁରେ ବିନ୍ଧ୍ୟବାସିନୀ ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ଏହି ଗ୍ରୁପର ମହିଳାମାନେ ଅଁଳାରୁ ଆଚାର ହଜମକାରୀ ଚୂର୍ଣ୍ଣ ଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି । ଏହି ମହିଳାମାନଙ୍କୁ ଯନ୍ତ୍ରପାତି ମିଳିଛି, ଲୋନର ସୁବିଧା ମିଳିଛି । ସ୍ଥାନୀୟ ବ୍ୟବସାୟିକ ମେଳାରେ ଯୋଗଦେବାର ସୁଯୋଗ ମଧ୍ୟ ମିଳିଛି । ଆଉ ଦେଖୁଦେଖୁ ସେମାନଙ୍କ ଆୟ ବି ଖୁବ୍ ବଢ଼ିଯାଇଛି ।
ବନ୍ଧୁଗଣ,
ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଏପରି କିଛି ନା କିଛି ବିଶେଷତ୍ୱ ନିଶ୍ଚୟ ରହିଛି । କେଉଁଠି ବିଶେଷ ପ୍ରକାରର ଫଳ ରହିଛି, କେଉଁଠି ପାରମ୍ପରିକ କଳା ରହିଛି, ତ କେଉଁଠି ଅନନ୍ୟ କୌଶଳ ରହିଛି । ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ହେଉଛି ଏହି ବିଶେଷତ୍ୱଗୁଡ଼ିକୁ ଆଗକୁ ବଢ଼ାଇବାର ଅଭିଯାନ । ଆମର ପ୍ରଚେଷ୍ଟା ଏହାହେବା ଦରକାର ଯେ ଆମ ଗାଁ ଓ ଛୋଟ ସହରଗୁଡ଼ିକର ପରିଚୟ ଖାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ନ ରହୁ । ତାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁ ଓ ବିଶ୍ୱବଜାର ପର୍ଯ୍ୟନ୍ତ ବି ଯାଉ । ଏହାଦ୍ୱାରା ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ବି ବଳ ମିଳିଥାଏ । ଏହା ଦେଶକୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥାଏ । ଆଗକୁ ଆସୁଥିବା ପର୍ବପର୍ବାଣୀରେ ଆମେ ଭୋକଲ ଫର ଲୋକଲ ମନ୍ତ୍ରକୁ କେବେହେଲେ ବି ଭୁଲିଯିବା ନାହିଁ ।
ମୋର ପ୍ରିୟ ଦେଶବାସୀଗଣ,
ସେପ୍ଟେମ୍ବର ମାସ କୁପୋଷଣ ସହ ଲଢ଼ିବା ପାଇଁ ସମର୍ପିତ । ପୋଷଣ ମାସରେ ଭିନ୍ନ-ଭିନ୍ନ କ୍ଷେତ୍ର ସହ ଜଡ଼ିତ ଲୋକ ଓ ସଂସ୍ଥାମାନେ ଏହି ମହତ୍ କାମକୁ ମିଳିମିଶି କରନ୍ତି । କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି । ଛତିଶଗଡ଼ ‘ହର୍ ଘର ମୁନଗା – ଘର୍ ଘର୍ ମୁନଗା’ ଅଭିଯାନ ଆରମ୍ଭ କରିଛି । ଏହାଦ୍ୱାରା ଲୋକମାନଙ୍କୁ ପୁଷ୍ଟିକର ସଜନାଛୁଇଁ ଅର୍ଥାତ୍ ମୋରିଙ୍ଗାକୁ ନିଜ-ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ଗୁଜରାଟ ବି ୱାଙ୍ଗି ପ୍ରତିଯୋଗିତା ଅର୍ଥାତ୍ ମିଲେଟ୍ସରୁ ପ୍ରସ୍ତୁତ ବ୍ୟଞ୍ଜନଗୁଡ଼ିକର ପ୍ରତିଯୋଗିତା ଆରମ୍ଭ କରିଛି । ଏହି ପଦକ୍ଷେପ ଜରିଆରେ ଶସ୍ତା ଓ ପୁଷ୍ଟିକର ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦୁଇଲକ୍ଷରୁ ଅଧିକ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି । ଏ କ୍ଷେତ୍ରରେ ମହାରାଷ୍ଟ୍ର ବି ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି । ସେଠି ଶିକ୍ଷକମାନେ, ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କର ବାପା-ମା’ ସଚେତନତା ଅଭିଯାନ ସହ ଯୋଡ଼ି ହେଉଛନ୍ତି । ମିଜୋରାମରେ ବି ଏହି ବର୍ଷ ଲୋକମାନେ ମିଳିମିଶି ପୋଷଣ ବାଟିକାଗୁଡ଼ିକର ଯତ୍ନ ନେବାପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହା ମିଜୋ ସମାଜର ‘ତଲୋ-ମଡ଼-ୟନା’ ପରମ୍ପରା ସଦୃଶ । ଏହାର ଅର୍ଥ ହେଲା “ନିଃସ୍ୱାର୍ଥପର ସେବା ଓ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ଆଗରେ ରହିବା” । ଏପରି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ । ଅଙ୍ଗନବାଡ଼ି କେନ୍ଦ୍ର ସହ ଜଡ଼ିତ ସେହି ଲୋକଙ୍କୁ ନେଇ ମୁଁ ଗର୍ବିତ ଯେଉଁମାନେ ଏପରି ପଦକ୍ଷେପରେ ନିଜକୁ ସାମିଲ କରିଛନ୍ତି । ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ପୋଷଣ ଟ୍ରାକର୍ ଦ୍ୱାରା ଡିଜିଟାଲ୍ ଭାବରେ ଯୋଡ଼ି ହୋଇସାରିଛନ୍ତି । ପାଖାପାଖି ୯ କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି । ଏହାଦ୍ୱାରା ଶିଶୁମାନଙ୍କର, ଗର୍ଭବତୀ ମହିଳାମାନଙ୍କର ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ଉଚିତ ଯତ୍ନ ନେବା ସମ୍ଭବ ହୋଇପାରିଛି । ଆମକୁ କୁପୋଷଣ ବିରୋଧରେ ଏହି ଲଢ଼େଇକୁ ଏପରି ଭାବେ ଆଗକୁ ନେବାର ଅଛି । ଆମକୁ ଆମ ସମାଜକୁ କୁପୋଷଣଠାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବାର ଅଛି ।
ବନ୍ଧୁଗଣ,
ଆମେ ସମସ୍ତେ ଏହି ମାସରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କଲେ । ସାରାଦେଶରେ ଭକ୍ତିର ସହ ଗଣପତି ବପ୍ପାଙ୍କର ସ୍ୱାଗତ କରାଗଲା । ଏହି ପବିତ୍ର ଅବସର ସମ୍ପୂର୍ଣ୍ଣ ବାତାବରଣକୁ ଆନନ୍ଦ-ଉଲ୍ଲାସରେ ଭରିଦିଏ । ବନ୍ଧୁଗଣ, ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ, ବୁଦ୍ଧି ଓ ଶୁଭକାର୍ଯ୍ୟ ଆରମ୍ଭର ପ୍ରତୀକ । ତାଙ୍କପ୍ରତି ଅଗାଧ ଶ୍ରଦ୍ଧା କେବଳ ଭାରତରେ ନୁହେଁ, ଅନ୍ୟତ୍ର ଯେପରି ଶ୍ରୀମାନ୍ ପନ୍ଥୌନ ଥୀରଖାନୋନ ମହୋଦୟଙ୍କ କଥା ଦେଖନ୍ତୁ, ଦେଖିବାକୁ ଗଲେ ସେ ଥାଇଲାଣ୍ଡର ଅଧିବାସୀ । ସେଠି ଭଗବାନ ଶ୍ରୀଗଣେଶଙ୍କର ପୂଜା ‘ଫ୍ରା ଫିକାନେତ୍’ ରୂପରେ କରାଯାଏ । ଆଉ ଯେତେବେଳେ ସେ ୧୯ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ ଭଗବାନ ଶ୍ରୀଗଣେଶଙ୍କର ଏକ ଫଟୋ ଉପହାର ସ୍ୱରୂପରେ ଦେଇଥିଲେ । ଏଇଠୁ ତାଙ୍କ ମନରେ ଅଗାଧ ଭକ୍ତି ଜାତ ହୋଇଥିଲା । ସେ ଭଗବାନ ଶ୍ରୀଗଣେଶଙ୍କ ସହ ଜଡ଼ିତ ପରମ୍ପରାର ଅଧ୍ୟୟନରେ ଚାରି ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିସାରିଲେଣି । ସେ ଭାରତ ଓ ନେପାଳ ସହିତ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି । ମହାରାଷ୍ଟ୍ର ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି । ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ ସେ ଅନେକ ଥର ଏଠାକୁ ଆସିସାରିଲେଣି । ତାଙ୍କ ପ୍ରଚେଷ୍ଟା ଦ୍ୱାରା ଥାଇଲାଣ୍ଡର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଷ୍ଟବିନାୟକ ଯାତ୍ରା ଲୋକପ୍ରିୟ ହୋଇପାରିଛି । ସେ ୨୦୦୨ ମସିହାରେ ଉତ୍ତର ଥାଇଲାଣ୍ଡର ଚିୟାଙ୍ଗ ମାଇରେ ଗଣେଶ ହିମାଳ ମ୍ୟୁଜିୟମର ସ୍ଥାପନା କରିଛନ୍ତି । ଆଜି ସେଠି ୧୦ ହଜାରରୁ ଅଧିକ ଗଣେଶ ମୂର୍ତ୍ତି ରହିଛି । ମ୍ୟୁଜିୟମରେ ସେହି ଭକ୍ତମାନଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତିମାନ ରହିଛି, ଯେଉଁମାନେ ଭାରତ ଆସିପାରିବେ ନାହିଁ । ଏଠି ପ୍ରତି-ରବିବାର ସକାଳୁ ପାଖାପାଖି ୧୦ଟା ବେଳେ ଗଣେଶ ମହାପ୍ରଭୁଙ୍କର ପୂଜାଅର୍ଚ୍ଚନା କରାଯାଏ । ଗଣପତିଙ୍କ ସହ ଜଡ଼ିତ ବିଶେଷ ଦିନମାନଙ୍କରେ ମଧ୍ୟ ଅନୁଷ୍ଠାନ ଆୟୋଜିତ ହୁଏ । ଏହା ସୂଚାଇଦିଏ ଯେ ଭାରତର ଆସ୍ଥା, କଳା ଓ ସାଂସ୍କୃତିକ ପରମ୍ପରାଗୁଡ଼ିକ ଅନ୍ୟ ଦେଶମାନଙ୍କରେ ମଧ୍ୟ କିପରି ଲୋକପ୍ରିୟ ହେବାରେ ଲାଗିଛି । ମୋର ପ୍ରାର୍ଥନା, ଗଣପତି ବପ୍ପାଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ ।
ବନ୍ଧୁଗଣ,
‘ମନ୍ କି ବାତ୍’ର ପ୍ରତ୍ୟେକ ଅଧ୍ୟାୟ ପରେ ମୋତେ ଅନେକ ବିଷୟରେ ଆପଣଙ୍କର ବାର୍ତ୍ତା ମିଳିଥାଏ । ଆପଣ ଏହିପରି ଭାବେ ପ୍ରେରଣାଦାୟୀ କାହାଣୀ ପଠାଉଥାଆନ୍ତୁ । ଯେତେବେଳେ ଆପଣ ନିଜ ଆଖପାଖରେ ହେଉଥିବା ଏପରି ପ୍ରଚେଷ୍ଟାଗୁଡ଼ିକର ପ୍ରଶଂସା କରନ୍ତି ସେତେବେଳେ ସେମାନଙ୍କ ଉତ୍ସାହ ଆହୁରି ବଢ଼ିଯାଏ । ‘ମନ୍ କି ବାତ୍’ ମାଧ୍ୟମରେ ତାଙ୍କ ବିଷୟରେ ଜାଣି ଦେଶର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରେରିତ ହୁଅନ୍ତି । ଏହି ଯାତ୍ରା ଏହିପରି ଭାବେ ଆପଣଙ୍କ ସହଯୋଗରେ ନିରନ୍ତର ଆଗକୁ ବଢ଼ିଚାଲୁ । ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଆପଣ ଆପଣଙ୍କ ପରିଜନ ଓ ସାଙ୍ଗସାଥୀଙ୍କ ସହ ଖୁବ୍ ଆନନ୍ଦଉଲ୍ଲାସରେ ପାଳନ କରନ୍ତୁ । ମୁଁ ଆପଣ ସମସ୍ତଙ୍କୁ ପୁଣିଥରେ ଶୁଭକାମନା ଜଣାଉଛି । ବହୁତ ବହୁତ ଧନ୍ୟବାଦ । ନମସ୍କାର ।

Leave A Reply

Your email address will not be published.