
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଯଗୁଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୂଆପଡ଼ା ଗ୍ରାମବାସୀ ପିଇବା ପାଣି ନ ପାଇବାରୁ ରାସ୍ତା ଅବରୋଧ କରିଥିଲେ । ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଅବହେଳିତ ଏହି ନୂଆପଡ଼ା ଗ୍ରାମବାସୀ । ତେବେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ କେବଳ ଗୋଟିଏ ଟ୍ୟାଙ୍କର ପିଇବା ପାଣି ଦେବା ପାଇଁ ଆସୁଛି । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ, ସବୁ ଲୋକଙ୍କୁ ପାଣି ନ ଦେଇ ଚାଲି ଯାଉଛି ଟ୍ୟାଙ୍କର, ଶେଷରେ ଘରେ ଥିବା ଖାଲି ଗରା ବାଲଟି ଧରି ମଙ୍ଗଳବାର ଦ୍ୱିପହର ସମୟରେ ଏତେ ଖରାରେ ଗ୍ରାମର ମହିଳା ଓ ପୁରୁଷମାନେ ଟିଟିଲାଗଡ ସିନ୍ଧେକେଲା ଜାତୀୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ବହୁତ ଯାନବାହନ ଅଟକି ରହିଥିଲା । ତେବେ ଖବର ପାଇ ଆର୍ଏସ୍ଏସ୍ ବିଭାଗର ବୃନ୍ଦାବନ ମେହେର ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଖରା ଦିନେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହୁଏ ଏଏଂ ଆଜିଠୁ ପୁଣି ଥରେ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ହେବ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଟିଟିଲାଗଡ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହ ଖରା ପୂର୍ବରୁ ଲୋକଙ୍କୁ ପାଣି ଯୋଗାଇବାକୁ କହିଥିଲେ । ତେବେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ସରକାର କହୁଥିବା ବେଳେ ଆଜିବି ଅବହେଳିତ ଅବସ୍ଥାରେ ନୂଆପଡ଼ା ଗ୍ରାମବାସୀ । ତେବେ ଆଗକୁ ଯେପରି ଏଭଳି ଅସୁବିଧା ନ ହୁଏ ସେ ଦିଗରେ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ଗ୍ରମାବାସୀ ।