centurian jitm

ଡ଼ମ୍ପର ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର : କ୍ଷତିପୂରଣ ନେଇ ପରିବାର ସହ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

nschool

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଯୁଗେନପଦର ଫୋରୱେ ଛକ ନିକଟରେ ଏକ ଡ଼ମ୍ପର ଧକ୍କାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ମୃତ ବ୍ୟକ୍ତି ନୀଳଜୀ ନିବାସୀ ସୁଶାନ୍ତ ସା (୩୧) ହୋଇଥିବା ବେଳେ ସ୍ତ୍ରୀ ବାସନ୍ତୀ ସା (୨୮)ବୋଲି ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁସାରେ ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ଲଷ୍ମୀ ପୂଜା ପ୍ରସ୍ତୁତି ପାଇଁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ପୂଜା ସାମଗ୍ରୀ କିଣିବା ପାଇଁ ଏକ ବାଇକ ଓଡ଼ି ୨୬ଇ ୬୯୮୮ରେ ଯୁଗେନପଦର ଛକ ଦେଇ ଫୋରୱେ ବିଜୁ ଏକ୍ସପ୍ରେସ ରାସ୍ତାରେ ସିନାପାଲି ସହରକୁ ଯାଉଥିଲେ । ହେଲେ ବିପରୀତ ପଟୁ ଆସୁଥିବା ଏକ ଡ଼ମ୍ପର ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଡ଼ମ୍ପର ଧକ୍କାରେ ସ୍ୱାମୀ ସୁଶାନ୍ତ ସା ଗୁରୁତର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀ ବାସନ୍ତୀ ସା ଡ଼ମ୍ପର ଧକ୍କାରେ ଛିଟିକି ପଡି ଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଲେ ଅନ୍ୟ ପକ୍ଷରେ ସ୍ତ୍ରୀ ବାସନ୍ତୀଙ୍କ ଅବସ୍ଥା ଗୁରୁତର ଭାବେ ସଙ୍କଟାପନ୍ନ ଥିବା ଜଣାପଡିଛି । ହେଲେ ଦୁର୍ଘଟଣା ଘଟାଇଥିବା ଡ଼ମ୍ପରଟି ଫୋରୱେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ଗାଡି ବୋଲି ମୃତଙ୍କ ପତ୍ନୀ ବାସନ୍ତୀ ପ୍ରକାଶ କରିଛନ୍ତି । ଦୁର୍ଘଟଣା ଘଟାଇ ଡ଼ମ୍ପରଟି ଚମ୍ପଟ ମାରିଥିବା ଜଣାପଡିଛି । ଏନେଇ ଯୁଗେନପଦର ଛକରେ ମୃତ ଶରୀରକୁ ରଖି ବିଜୁ ଏକ୍ସପ୍ରେସ ଉପରେ ପରିବାର ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବୀରେ ଦୀର୍ଘ ସମୟ ଧରି ମୁଖ୍ୟରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ସିନାପାଲି ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ସିନାପାଲି ତହସିଲଦାର ଉପାଞ୍ଜଳି ମାଝୀ ସିନାପାଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ପହଞ୍ଚି ସମାଧାନ କରିଥିଲେ । ସିନାପାଲି ପ୍ରଶାସନ ଓ ବିଜୁ ଏକ୍ସପ୍ରେସ ରାସ୍ତା ନିର୍ମାଣ କମ୍ପାନୀ ଆର୍କେଡି ପକ୍ଷରୁ ୨ ଲକ୍ଷ ୨୦ ହଜାର ଓ ରେଡକ୍ରସ ପାଣ୍ଠିରୁ ୧୦ ହଜାର କ୍ଷତିପୂରଣ ରାଶି ପ୍ରଦାନ ପରେ ଲୋକେ ରାସ୍ତା ଅବରୋଧରୁ ଓହରିଥିଲେ । ଅନ୍ୟ ପକ୍ଷରେ ମୃତକଙ୍କ ତିନି ନାବାଳକ ଶିଶୁପୁତ୍ର ବାପାଙ୍କ ଅକାଳ ବିୟୋଗରେ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି । ତାଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ପ୍ରଶାସନ ପକ୍ଷରୁ ଥଇଥାନ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.