jayashree

ଗଭୀର ଅବପାତ : କଳିଙ୍ଗପାଟ୍ଟନାମରେ ସ୍ଥଳଭାଗ ଛୁଇଁଲା

  • ଏହାର ପ୍ରଭାବରେ ଆଗାମୀ ଦୁଇ ଦିନ ଧରି ଭାରି ବର୍ଷା ଲାଗି ରହିବ ।

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତର ରୂପ ନେଇ ଗୋପାଳପୁର ଠାରୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଦେଇ କଳିଙ୍ଗପାଟ୍ଟନାମ୍ ଠାରେ ଗତକାଲି ବିଳମ୍ବିତ ରାତ୍ରିରେ ସ୍ଥଳଭାଗ ଆଡ଼କୁ ଅତିକ୍ରମ କରି ସ୍ଥଳ ଭାଗ ଛୁଇଁଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଘଡ଼ ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିବ ଏବଂ ବିଜୁଳି ଚଡ଼କ ମଧ୍ୟ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞଙ୍କ ଠାରୁ ସୂଚନା ମିଳିଛି । ଗଭୀର ଅବପାତ ଯୋଗୁଁ ଗୋପାଳପୁର ସମୁଦ୍ର ଅଶାନ୍ତ ରହିଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପନିପରିବା ଓ ଉଦ୍ୟାନ କୃଷିରେ ବ୍ୟାପକ କ୍ଷତି ହୋଇଥିବା ସୂଚନା ମିଳିଛି । ଘୋଡ଼ାହାଡ଼ ଡ୍ୟାମ, ଋଷିକୁଲ୍ୟା ନଦୀ ଓ ତାମ୍ପରା ହ୍ରଦର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ସମ୍ଭାବ୍ୟ ବନ୍ୟା ଓ ବର୍ଷାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସଦର ମହକୁମା ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାଘଲଟି ଜଳଭଣ୍ଡାରକୁ ଜଳ ପ୍ରବେଶ ବଢ଼ିଥିବାରୁ ଆବଶ୍ୟକ ପଡ଼ିଲେ ଅତିରିକ୍ତ ଜଳ ନିଷ୍କାସନ କରାଯିବ ବୋଲି ପ୍ରଶାସନ କହିଛି । ଗୋପାଳପୁର ସମୁଦ୍ରବେଳାଭୂମିକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ଆର୍ଯ୍ୟପଲ୍ଲୀ ଉପକୂଳ ଅଞ୍ଚଳରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ସହ ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଫାୟାର ବ୍ରିଗେଡ୍, ଓଡ୍ରାଫ୍, ପୋଲିସ ଓ ପ୍ରଶାସନିକ ଟିମ୍‌କୁ ଆଲର୍ଟରେ ରଖାଯାଇଛି । ବୁଧବାର ରାତି ୮ଟା ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ସହରାଞ୍ଚଳରୁ ୧୧୯୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏଥିରେ ୪୧୬ ଜଣ ପୁରୁଷ, ୫୨୮ ଜଣ ମହିଳା ଓ ୨୫୦ ଜଣ ଶିଶୁ ରହିଛନ୍ତି । ସେହିପରି ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି । ୩୦୬ ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ୧୩୫ ଜଣଙ୍କ ସୁରକ୍ଷିତ ପ୍ରସବ ହୋଇଥିବା ବେଳେ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ଅଞ୍ଚଳର ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧୫୯୧ଟି ଡଙ୍ଗା ସୁରକ୍ଷିତ ଭାବେ କୂଳରେ ରହିଛି । ଏଥିରେ ୧୪୨୨ଟି ମୋଟର ଚାଳିତ ଓ ୧୬୯ଟି ଅଣମୋଟର ଚାଳିତ ଡଙ୍ଗା ରହିଛି । ବର୍ତ୍ତମାନ ସମୁଦ୍ର ମଧ୍ୟରେ କୌଣସି ମତ୍ସ୍ୟଜୀବୀ ଡଙ୍ଗା ନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.