
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଓଡ଼ିଶା ନିଶା ମୁକ୍ତ ଅଭିଯାନରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ନାରାୟଣ ନାୟକ । ଗତକାଲି ପୋଲିସ ଜିଲ୍ଲାର ତିନୋଟି ଥାନା ଅଞ୍ଚଳରେ ଚଢ଼ାଉ କରି ମୋଟ ୬୦ କେଜି ୨୪୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହି ସଂକ୍ରାନ୍ତରେ ୩ ଗୋଟି ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏଥିସହ ୨ଟି କାର ଓ ଗୋଟିଏ ସ୍କୁଟି ମଧ୍ୟ ଜବତ ହୋଇଛି । ଆଜି ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ସୋନପୁର ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ବୁଢାରାଜା ଛକ ନିକଟରେ ଏକ ଧଳା ରଙ୍ଗର ହୋଣ୍ଡା ମୋବିଲିଓ କାର (ଡବ୍ଲୁବି-୧୮ଏନ୍-୮୬୭୦)କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ସେଥିରୁ ୨୮ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଏଥିସହ ୧୫ ହଜାର ୫୦୦ ଟଙ୍କା ନଗଦ ଓ ୨ ଗୋଟି ମୋଟୋରୋଲା ମୋବାଇଲ୍ ମଧ୍ୟ ଜବତ ହୋଇଛି । ଏହି ମାମଲାରେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କୃଷ୍ଣଗଞ୍ଜ ଥାନା ମାଝଦିଆ ରୋଡ୍ ଅଞ୍ଚଳର ସଞ୍ଜୟ ବିଶ୍ୱାସ (୨୯) ଓ ଦେବାଶିଷ ହଲଦାର (୪୦)ଙ୍କୁ ଗିରଫ କରାଯାଇଛି । ଏନେଇ ସୋନପୁର ଥାନାରେ କେସ୍ ନଂ ୪୦୫/୨୦୨୬ରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀ ଇନ୍ସପେକ୍ଟର ଯାଦବ ବାଗ୍ ମାମଲାର ତଦନ୍ତ କରୁଛନ୍ତି । ସେହିପରି ତରଭା ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ପୋଲିସ ଏକ ଜୁପିଟର ସ୍କୁଟି (ଓଡି-୦୩ଏଏଫ୍ -୯୦୪୫)କୁ ଅଟକାଇ ୭ କେଜି ୯୨୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୭୦ ହଜାର ୯୨୦ ଟଙ୍କା ବୋଲି ଆକଳନ କରାଯାଇଛି । ଏହି ମାମଲାରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ବଡ଼ହକଳି ଗ୍ରାମର ହୁତାସନ ରଣା (୭୨)ଙ୍କୁ ଗିରଫ କରାଯାଇଛି । ଏନେଇ ତରଭା ଥାନା କେସ୍ ନଂ ୩୭୭/୨୦୨୬ରେ ମାମଲା ରୁଜୁ ହୋଇଛି । ସେହିପରି ବୀରମହାରାଜପୁର ଥାନା ପୋଲିସ ଫୁଲଚରା ନିକଟରେ ଏକ ପାଉଁଶିଆ ରଙ୍ଗର ହୋଣ୍ଡା ଡବ୍ଲୁଆର୍-ଭି କାର (ଓଡି-୦୫ଏବି-୨୮୪୭)କୁ ଅଟକାଇ ୨୩ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏଥିସହ ୧୧ ହଜାର ୫୮୦ ଟଙ୍କା ନଗଦ ଓ ଏକ ପୋକୋ ଏମ୍-୬ ମୋବାଇଲ୍ ମଧ୍ୟ ଜବତ ହୋଇଛି । ଏହି ମାମଲାରେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କୃଷ୍ଣଗଞ୍ଜ ଥାନା ଟୁଙ୍ଗି ଗ୍ରାମର ବୁଦ୍ଧଦେବ ଅଧିକାରୀ (୩୯)ଙ୍କୁ ଗିରଫ କରାଯାଇଛି । ଏନେଇ ବୀରମହାରାଜପୁର ଥାନାରେ କେସ୍ ନଂ ୨୭୩/୨୦୨୬ରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି ।