ଟେଲି-ଆଇନ ନୂଆ ମାଇଲଖୁଣ୍ଟ ଛୁଇଁଲା : ସିଏସ୍‌ସି ପ୍ରୟାସରେ ୪ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ଆଇନଗତ ପରାମର୍ଶ

• ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୭ ମାସ ମଧ୍ୟରେ ୨.୦୫ ଲକ୍ଷ ପରାମର୍ଶ ପ୍ରଦାନ କରାଯାଇଛି
• ୨୦୨୦ ଏପ୍ରିଲ ସୁଦ୍ଧା ଏଭଳି ପରାମର୍ଶର ମୋଟ ସଂଖ୍ୟା ଥିଲା ୧.୯୫ଲକ୍ଷ

ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ଅକ୍ଟୋବର ୩୦ ସୁଦ୍ଧା ଟେଲି-ଆଇନ ଦେଶରେ ଏକ ନୂଆ ମାଇଲଖୁଣ୍ଟକୁ ସ୍ପର୍ଶ କରିଛି । କମନ୍‌ ସର୍ଭିସ ସେଣ୍ଟର ବା ସାଧାରଣ ସେବା କେନ୍ଦ୍ର ମାଧ୍ୟମରେ ୪ ଲକ୍ଷ ହିତାଧିକାରୀଙ୍କୁ ଏହି ପ୍ରୟାସରେ ଆଇନଗତ ସହାୟତା ପ୍ରଦାନ କରାଯାଇଛି । ଯୋଜନା ଆରମ୍ଭ କାଳରୁ ୨୦୨୦ ଏପ୍ରିଲ ସୁଦ୍ଧା ଏହି ବ୍ୟବସ୍ଥାରେ ମୋଟ ୧.୯୫ ଲକ୍ଷ ହିତାଧିକାରୀଙ୍କୁ ଏଭଳି ପରାମର୍ଶ ପ୍ରଦାନ କରାଯାଇଥିଲା । ଚଳିତ ଆର୍ଥିକ ବର୍ଷର ପ୍ରଥମ ୭ ମାସ ମଧ୍ୟରେ ୨.୦୫ ଲକ୍ଷ ହିତାଧିକାରୀଙ୍କୁ ପରାମର୍ଶ ପ୍ରଦାନ କରାଯାଇଛି ।
ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟକୁ ପୂରଣ କରିବା ପ୍ରୟାସରେ ନ୍ୟାୟ ବିଭାଗ ଉତ୍‌ଥାନମୁଖୀ ଓ ଦେଶୀ ଡିଜିଟାଲ ପ୍ଳାଟଫର୍ମଗୁଡିକୁ ବ୍ୟବହାର କରି ଲୋକଙ୍କ ପାଖରେ ନ୍ୟାୟ ପହଞ୍ଚାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏହି ଲକ୍ଷ୍ୟ ପୂରଣ ପାଇଁ ଟେଲି ଆଇନ କାର୍ୟ୍ୟକ୍ରମ ୨୦୧୭ରେ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟତଃ ପ୍ରାକ୍‌ ବିବାଦସ୍ତରରେ ଥିବା ମାମଲାଗୁଡିକ ସମାଧାନ କରିବାର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଭିଡିଓ କନ୍‌ଫରେନ୍ସିଂ ଭଳି ସ୍ମାର୍ଟ ଟେକ୍ନୋଲଜି, ଟେଲିଫୋନ ଇନ୍‌ଷ୍ଟାଣ୍ଟ କଲିଂ ଫାସିଲିଟି ଭଳି ସୁବିଧା ସୁଯୋଗ ଯାହା ସାଧାରଣ ସେବା କେନ୍ଦ୍ରଗୁଡିକରେ ଉପଲବ୍ଧ ହେଉଛି, ତାହାକୁ କାର୍ୟ୍ୟରେ ଲଗାଯାଉଛି । ପଞ୍ଚାୟତସ୍ତରରେ ସାଧାରଣ ସେବା କେନ୍ଦ୍ରରେ ଏସବୁ ଅତ୍ୟାଧୁନିକ ଟେକ୍ନୋଲଜି ଉପଲବ୍ଧ ହେଉଥିବାରୁ ତାହାର ସାହାଯ୍ୟ ନେଇ ଦୁଃସ୍ଥ, ଦଳିତ, ଅବହେଳିତ, ଉପେକ୍ଷିତ ଏବଂ ଅପହଞ୍ଚ ଇଲାକାରେ ରହୁଥିବା ଗୋଷ୍ଠୀ ଓ ସମୁଦାୟଙ୍କୁ ମୂଲ୍ୟବାନ ସମୟୋଚିତ ଆଇନଗତ ପରାମର୍ଶ ଯୋଗାଇ ଦିଆଯାଉଛି । ଏଥିପାଇଁ ଆଇନଜିବୀମାନଙ୍କର ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କୁ ଏହି ପରାମର୍ଶ କାର୍ୟ୍ୟରେ ନିୟୋଜିତ କରାଯାଉଛି । ଟେଲି-ଆଇନ ସେବା ସ୍ୱତନ୍ତ୍ରଭାବେ ପ୍ରସ୍ତୁତ କରାଯାଇଛି । ପ୍ରାରମ୍ଭିକ ଅବସ୍ଥାରେ ମାମଲାକୁ ଚିହ୍ୱଟ କରି ଏଥିରେ ହସ୍ତକ୍ଷେପ କରିବା ସହିତ ଏହାର ଅବସାନ ଘଟାଇ ଦୁର୍ବଳ ବର୍ଗଙ୍କୁ ମାଲିମକଦ୍ଦମା ଜନିତ ସମସ୍ୟାରୁ ମୁକ୍ତ କରିବା ଏହାର ପ୍ରମୁଖ ଲକ୍ଷ୍ୟ । ବେଶ୍‌ ସକ୍ରିୟତାର ସହ ଏହି ଆଇନକୁ କାର୍ୟ୍ୟକାରୀ କାରାଯାଉଛି । ଏନ୍‌ଏଏଲ୍‌ଏସ୍‌ଏର ଆଗଧାଡିର ସ୍ୱେଚ୍ଛାସେବୀ ଏବଂ ସିଏସ୍‌ସି-ଇଗଭ୍‌ ମାଧ୍ୟମରେ ଏହି ଟେଲି ଆଇନ ସେବା ସଂପୃକ୍ତ ବର୍ଗ ଓ ଗୋଷ୍ଠୀଙ୍କ ନିକଟରେ ସକ୍ରିୟତାର ସହିତ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି । ସମାଜର ତଳସ୍ତରରେ କାର୍ୟ୍ୟ କରୁଥିବା ଏହି ସ୍ୱେଚ୍ଛାସେବୀମାନେ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ଲୋକଙ୍କର ବିବାଦଜନିତ ତଥ୍ୟ ଏବଂ ଏହାର ସମାଧାନ ତାରିଖ ଆଦି ସଂପର୍କରେ ସୂଚନା ସଂଗ୍ରହ କରି ରଖୁଛନ୍ତି । ସେହି ତଥ୍ୟ ଆଧାରରେ ଲୋକଙ୍କୁ ଆଇନଗତ ସହାୟତା ଦିଆଯାଉଛି । ଉତ୍ସର୍ଗୀକୃତ ଆଇନଜୀବିମାନଙ୍କୁ ନେଇ ଗଠିତ ପ୍ୟାନେଲ ଏସବୁ ମାମଲାରେ ସଂପୃକ୍ତ ଲୋକଙ୍କୁ ଆଇନଗତ ପରାମର୍ଶ ଓ ସହାୟତା ଯୋଗାଉଛନ୍ତି । ଏହାଛଡା ଏକ ପବ୍ଳିକ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି; ଯାହା https://www.tele-law.in/ରେ ଉପଲବ୍ଧ ।
ଏହା ବ୍ୟତୀତ ଏକ ସ୍ୱତନ୍ତ୍ର ଡ୍ୟାସବୋର୍ଡ ପ୍ରସ୍ତୁତ କରାଯାଇଛି । ଏଥିରେ ସର୍ବଶେଷ ଏବଂ ସବିଶେଷ ତଥ୍ୟାବଳୀ ତଥା ଯୋଗାଇ ଦିଆଯାଇଥିବା ପରାମର୍ଶ ଆଦିର ବିବରଣୀ ସ୍ଥାନ ପାଇଛି । ଜିଲାସ୍ତରୀୟ ସଂଯୋଗ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଖୁବ୍‌ଶୀଘ୍ର ଏହି ତଥ୍ୟାବଳୀକୁ ପିଏମ୍‌ ପ୍ରୟାସ ପୋର୍ଟାଲରେ ପ୍ରଦର୍ଶିତ କରାଯିବ ।

Leave A Reply

Your email address will not be published.