ଘୋଷଣା ହେଲା ଅନ୍‌ଲକ୍‌-୫ ଗାଇଡ୍‌ ଲାଇନ୍‌ : ସ୍କୁଲ୍‌, କଲେଜ୍‌ ଖୋଲିବାରେ ନୂଆ ନିୟମ

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୫କୁ ନେଇ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ମଧ୍ୟ ନିୟମ ରହିଛି । ଗୃହ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ରେ କୁହାଯାଇଛି ଯେ, ୧୫ ଅକ୍ଟୋବରରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସ୍କୁଲ ଓ କଲେଜ ଖୋଲାଯାଇ ପାରିବ । କିନ୍ତୁ ଏଥିପାଇଁ କିଛି ଜରୁରୀ ନିୟମ ରହିବ, ଯାହାକୁ ପାଳନ କରିବାକୁ ପଡ଼ିବ । ଏହାବାଦ୍‌ ସିନେମା ଓ ମଲ୍‌ଟିପ୍ଲେକ୍ସ ଖୋଲିବାକୁ ମଧ୍ୟ ନିୟମ ଜାରି କରାଯାଇଛି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ୧୫ ଅକ୍ଟୋବରରୁ ସ୍କୁଲ କଲେଜ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇ ପାରିବ । କିନ୍ତୁ ସ୍କୁଲ, କଲେଜ କିମ୍ବା ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପ୍‌ତ୍ତି ସଂପୃକ୍ତ ଅନୁଷ୍ଠାନ ସହ ଆଲୋଚନା ତଥା ସେହି ସ୍ଥାନର ସଂକ୍ରମଣ ସ୍ଥିତିକୁ ନଜର୍‌ ରଖି ନିଆଯାଇ ପାରିବ । ଯେଉଁ ଛାତ୍ରଛାତ୍ରୀ ସ୍କୁଲ ଦ୍ୱାରା ଅନ୍‌ ଲାଇନ୍‌ ଶିକ୍ଷା ଗ୍ରହଣ କରୁଛନ୍ତି, ସେମାନେ ସେଭଳି ଶିକ୍ଷାଗ୍ରହଣ କରିବେ । ଛାତ୍ରଛାତ୍ରୀ ଯଦି ସ୍କୁଲ ଯିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଅନୁମତି ଦିଆଯାଇ ପାରିବ । ତେବେ କୌଣସି ବି ଛାତ୍ରଛାତ୍ରୀ ସେତେବେଳେ ସ୍କୁଲ ଯାଇପାରିବେ, ଯେତେବେଳେ ତାଙ୍କ ପିତାମାତା ଏ ସଂପର୍କରେ ଲିଖିତ ଭାବେ ମଂଜୁରୀ ପ୍ରଦାନ କରିବେ ।
ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଏହା ବି କୁହାଯାଇଛି ଯେ, ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲରେ ଉପସ୍ଥିତି ଜରୁରୀ ନୁହେଁ ଏବଂ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ପ୍ରଦେଶ ନିଜ ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେବେ, ତାଙ୍କୁ ସ୍କୁଲ ଖୋଲିବା ନେଇ ସ୍ଥିତି ପରଖିବା ସହ ଉଚିତ ଦିଶା ନିର୍ଦ୍ଦେଶ ଜାରି କରିବାକୁ ହେବ । ଯେଉଁ ସ୍କୁଲ ବା କଲେଜକୁ ଖୋଲିବାକୁ ପାଇଁ ଅନୁମତି ମିଳିବ, ସେମାନେ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ପାଳନ କରିବେ ।

Leave A Reply

Your email address will not be published.