ହାଥରସ୍‌ ଯିବା ବେଳେ ରାସ୍ତାରେ ରାହୁଲ ଓ ପ୍ରିୟଙ୍କାଙ୍କୁ ରୋକିଲା ପୋଲିସ : ଧସ୍ତାଧସ୍ତି, ଲାଠିଚାର୍ଜ

ନୂଆଦିଲ୍ଲୀ : ହାଥରସ୍‌ ଗେଙ୍ଗ୍‌ ରେପ୍‌ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସାରା ଦେଶରେ ସ୍ୱର ଉଠିଛି । ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀରୁ ହାଥରସ୍‌କୁ ବାହାରିଛନ୍ତି । ଦୁଇ ନେତାଙ୍କ କହିବା ଅନୁସାରେ ସେମାନେ ପୀଡ଼ିତାଙ୍କ ପରିବାରକୁ ଭେଟିବେ । କିନ୍ତୁ ଏକ୍ସପ୍ରେସ୍‌ ୱେ ର ନିକଟରେ ରାହୁଲ ଏବଂ ପ୍ରିୟଙ୍କାଙ୍କ ପଦଯାତ୍ରାକୁ ରୋକାଯାଇ ତାଙ୍କୁ ପୋଲିସ କବ୍‌ଜା କରି ନେଇଛି ।
ଦିଲ୍ଲୀରୁ କିଛି ଦୂର ନୋଇଡ଼ାର ପାଖାପାଖି ଯେତେବେଳେ ଦୁଇ ନେତା ପହଂଚିଥିଲେ, ସେତେବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହାପରେ ରାହୁଲ ଏବଂ ପ୍ରିୟଙ୍କା ଦୁହେଁ ହଜାର ହଜାର କର୍ମକର୍ତ୍ତାଙ୍କ ସହ ପଦଯାତ୍ରାରେ ହାଥ୍‌ରସ୍‌ ମୁହାଁ ଚାଲିଥିଲେ । ତେବେ ପୋଲିସ ଦୁଇ ନେତାଙ୍କୁ କାବୁ କରି ହାଜତ୍‌କୁ ନେଇଥିବା ଜଣାପଡ଼ିଛି । ତେବେ ଏତିକି ବେଳେ ପୁଲିସ ଓ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି । ଲାଠିଚାର୍ଜ ମଧ୍ୟ କରାଯାଇଥିବା କୁହାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରଶାସନ ଦ୍ୱାରା ହାଥ୍‌ରସ୍‌ର ସୀମାକୁ ସିଲ୍‌ କରାଯାଇ ୧୪୪ ଧାରା ଲାଗୁ କରାଯାଇଛି ।

Leave A Reply

Your email address will not be published.