ଇମ୍ରାନ ଖାନ୍‌ କରାଇଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ, ଫୱାଦ ଚୌଧୁରୀଙ୍କ ବଡ ବିବୃତ୍ତି

ଇସ୍‌ଲାମାବାଦ : ଇମ୍ରାନ ଖାନ୍‌ କରାଇଥିଲେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ବୋଲି ଫୱାଦ ଚୌଧୁରୀଙ୍କ ବଡ ବିବୃତ୍ତି ସାମ୍‌ନାକୁ ଆସିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ଏକ ପ୍ରକାର ସ୍ୱୀକାର କରିଛି । ପାକିସ୍ତାନ ସରକାରର ଜଣେ ମନ୍ତ୍ରୀ ଫୱାଦ୍ ଚୌଧୁରୀ ପୁଲୱାମା ଆକ୍ରମଣକୁ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରି କହିଛନ୍ତି ଯେ, ଇମ୍ରାନ ଖାନ୍‌ ଏହି ଆକ୍ରମଣ କରାଇଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଏହା ଏକ ବଡ଼ ସଫଳତା । ସୂଚନାଯୋଗ୍ୟ ଯେ, ୧୪ ଫେବୃଆରୀ ୨୦୧୯ ରେ ଦକ୍ଷିଣ କାଶ୍ମୀରର ଲେଥପୁରା ନିକଟରେ ପ୍ରାୟ ୨୦୦ କିଲୋଗ୍ରାମ ବିସ୍ଫୋରକ ବୋଝେଇ ଏକ ଗାଡି ସିଆର୍‌ପିଏଫ୍‌ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ କର୍ମଚାରୀ ନିହତ ହୋଇଥିଲେ ।

ଏହି ଆକ୍ରମଣ ପାକିସ୍ତାନର ଷଡଯନ୍ତ୍ର ବୋଲି ଆରମ୍ଭରୁ ଭାରତ ପାକିସ୍ତାନ ଉପରେ ଅଭିଯୋଗ କରିଆସୁଛି । ବର୍ତ୍ତମାନ ପାକିସ୍ତାନର ଏହି ବଡ ନେତା ସଂସଦରେ ଠିଆ ହୋଇ ଇମ୍ରାନ ଖାନଙ୍କ ନେତୃତ୍ୱରେ ଏହି ଆକ୍ରମଣ କରାଯାଇଥିବା ସ୍ୱୀକାର କରିଛନ୍ତି ଏବଂ ସେ ଏହାକୁ ଏକ ବଡ଼ ସଫଳତା ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହି ଆକ୍ରମଣ ପରେ ଭାରତ ସମାନ ଭାଷାରେ ପାକିସ୍ତାନକୁ ଜବାବ ଦେଇଥିଲା ଏବଂ ବାଲାକୋଟ ଆତଙ୍କବାଦୀ ଲଞ୍ଚ ପ୍ୟାଡରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.