pakka

ସ୍ୱାମୀଙ୍କ ହତ୍ୟାକାରୀଙ୍କ ସହିତ ବିବାହ କଲେ, ପରେ ଚଳଚ୍ଚିତ୍ର ଷ୍ଟାଇଲ୍‌ରେ ପ୍ରତିଶୋଧ ନେଲେ

ଇସ୍‌ଲାମାବାଦ : ପ୍ରତିଶୋଧ ନେବା ପାଇଁ ସ୍ୱାମୀଙ୍କ ହତ୍ୟାକାରୀକୁ ଜଣେ ମହିଳା ବିବାହ କରି ଏପରି କିଛି କରିଛନ୍ତି, ଯାହାକୁ ଲୋକେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରତିଶୋଧ ନେବାକୁ ହିିଁ ମହିଳା ଜଣକ ଏପରି ଜାଲ ବୁଣିଥିଲେ । ସେ ତିନି ବର୍ଷ ଧରି ସ୍ୱାମୀଙ୍କ ହତ୍ୟାକାରୀଙ୍କଠାରୁ ପ୍ରତିଶୋଧ ନେବାକୁ ଚେଷ୍ଟା କରୁଥିଲେ ଏବଂ ଏଥିପାଇଁ ସେ ଏକ ସମ୍ପୂର୍ଣ୍ଣ ଯୋଜନା କରିଥିଲେ । ସେ ପ୍ରଥମେ ଘାତକକୁ ନିଜ ବନ୍ଧୁତାର ଜାଲରେ ପକାଇଲେ ଏବଂ ତା’ପରେ ତାଙ୍କୁ ତାଙ୍କ ପ୍ରେମରେ ବୁଡ଼ାଇ ଦେଇ ବିବାହ କଲେ । ଏହା ପରେ ମହିଳା ୩ ବର୍ଷ ଧରି ଯେଉଁଥି ପାଇଁ ଅପେକ୍ଷା କରିଥିଲେ, ତାହା ସଂପାଦନ କଲେ । ସେ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କୁ ହତ୍ୟା କରିଥିଲେ ।

ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀଙ୍କ ସହ ବନ୍ଧୁତା କରିଥିଲେ । ତାଙ୍କୁ ଭଲ ପାଇବାର ଛଳନା କଲେ ଏବଂ ଏପରିକି ଶେଷରେ ତାଙ୍କୁ ବିବାହ କଲେ । ଏହା ପରେ ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ପାକିସ୍ତାନର ଏକ ଆଦିବାସୀ ଅଞ୍ଚଳ ବାଜୁରରୁ ଘଟିଛି । କୁହାଯାଇଛି ଯେ, ମହିଳାଙ୍କ ସ୍ୱାମୀ ୩ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ । ତେବେ ମୃତ୍ୟୁର କାରଣ ହତ୍ୟା ଏବଂ ପ୍ରାକୃତିକ କାରଣ କି ନାହିଁ ତାହା ସ୍ଥିର ହୋଇପାରି ନଥିଲା । ମହିଳା ଜଣକ ସତ୍ୟ ଜାଣିବା ପାଇଁ ବ୍ୟକ୍ତିଗତ ଅନୁସନ୍ଧାନ କରିଥିଲେ । ଏଥିରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀଙ୍କ ହତ୍ୟା ସ୍ୱାଭାବିକ ନୁହେଁ, ସ୍ୱାମୀଙ୍କ ବନ୍ଧୁ ଗୁଲସନ ଖାନ ହିଁ ହତ୍ୟାକାରୀ, ଯିଏ ନିଜ ବନ୍ଧୁଙ୍କୁ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ ।

ପୋଲିସ ମହିଳାଙ୍କ ବିବୃତ୍ତିରେ କହିଛି ଯେ, ବିବାହ ପରେ ଅଭିଯୁକ୍ତ ମହିଳା ଗୁଲସନକୁ କହିଥିଲେ ଯେ ଆମ ସୁରକ୍ଷା ପାଇଁ ଘରେ ପିସ୍ତଲ ରଖିବା ଉଚିତ, ଯାହା ପରେ ଗୁଲସନ ପିସ୍ତଲ କିଣିଥିଲେ । ହତ୍ୟା ଦିନ ବିଷୟରେ ଉଲ୍ଲେଖ କରି ଅଭିଯୁକ୍ତ ମହିଳା ପୋଲିସକୁ କହିଥିଲେ ଯେ, ମୁଁ ରାତିରେ ଚେଇଁ ରହିଥିଲି । ରାତି ପ୍ରାୟ ୧ଟାରେ ଅନ୍ୟ ଏକ କୋଠରୀକୁ ଯାଇ ପିସ୍ତଲ ଆଣି ଗୁଲସନର କୋଠରୀରେ ପ୍ରବେଶ କରିଥିଲି । ସେ ଶୋଇଥିଲେ, ମୁଁ ତାଙ୍କ ଉପରକୁ ଗୁଳି ଚଳାଇଥିଲି । କିନ୍ତୁ ଗୁଳି ଫୁଟି ନଥିଲା, ପିସ୍ତଲ କାମ କରୁନଥିଲା । ଏହାପରେ ଆର କୋଠରୀକୁ ଯାଇ ପିସ୍ତଲ ଯାଞ୍ଚ କଲେ । ଏହା ପରେ ଅଭିଯୁକ୍ତ ମହିଳା ପୁନର୍ବାର ଗୁଲସନଙ୍କ କୋଠରୀକୁ ଯାଇ ଗୁଲସନର ମୁଣ୍ଡରେ ଏବଂ ତାଙ୍କ ଶରୀରର ଡାହାଣ ପାର୍ଶ୍ୱରେ ଗୁଳି ଚଳାଇଥିଲେ । ତାଙ୍କୁ ଗୁଳି କରିବା ପରେ ସେ ସକାଳ ପର୍ଯ୍ୟନ୍ତ ସେଠାରେ ବସି ଲୋକଙ୍କୁ କହିଥିଲେ ଯେ, ମୋ ସ୍ୱାମୀଙ୍କୁ କେହି ଜଣେ ହତ୍ୟା କରି ଦେଇଛି ।

Leave A Reply

Your email address will not be published.

two × four =