କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୩୦ ହଜାର ନୂଆ କରୋନା ପଜିଟିଭ୍ ମାମଲା

● ଗତ ଦେଢ଼ ମାସ ଧରି ଦୈନିକ ନୂଆ କରୋନା ପଜିଟିଭ୍ ମାମଲା ତୁଳନାରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି

ନୂଆଦିଲ୍ଲୀ, (ପିଆଇବି) : ଗତ ଦୁଇ ଦିନ ଧରି ଭାରତରେ ଦୈନିକ ନୂଆ କରୋନା ମାମଲା ୩୦ ହଜାରରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୩ ନୂଆ ମାମଲା ଦେଖାଦେଇଛି । ଗତ ଦଶ ଦିନ ଧରି ଦେଶରେ ଦୈନିକ ନୂଆ କରୋନା ମାମଲା ୫୦ ହଜାର ତଳେ ରହିଛି ।
ୟୁରୋପ ଓ ଆମେରିକାରେ ଦୈନିକ କରୋନା ପଜିଟିଭ୍ ମାମଲା ଅଧିକ ଆସୁଥିବା ବେଳେ ଭାରତରେ ତାହା କମ୍ ରହିଛି । ଏହା ଲୋକମାନଙ୍କ ମଧ୍ୟରେ କରୋନାକୁ ନେଇ ଥିବା ସଚେତନତାକୁ ସ୍ପଷ୍ଟ କରୁଛି ।
ଦେଶରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ସୁସ୍ଥ ହେବା ଧାରା ଜାରି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯,୧୬୩ ନୂଆ ମାମଲା ଆସିଥିବା ବେଳେ ସୁସ୍ଥ ହୋଇଛନ୍ତି ୪୦,୭୯୧ ।
ଦେଶବ୍ୟାପୀ ନମୁନା ପରୀକ୍ଷାକୁ ସରକାର ତ୍ୱରାନ୍ୱିତ କରିଛନ୍ତି । ଏ ପର୍ୟ୍ୟନ୍ତ ମୋଟ ୧୨,୬୫,୪୨,୯୦୭ ନମୁନା ପରୀକ୍ଷା ହୋଇଛି । ଏହାଦ୍ୱାରା ପଜିଟିଭ୍ ହାର ୭.୦୧%କୁ ହ୍ରାସ ପାଇପାରିଛି ।
ଏବେ ଦେଶରେ ସକ୍ରିୟ ମାମଲା ୪,୫୩,୪୦୧ ରହିଛି, ଯାହାକି ମୋଟ ପଜିଟିଭ୍ ମାମଲାର ୫.୧୧% ।
ମୋଟ ୮୨,୯୦,୩୭୦ ଜଣ ସୁସ୍ଥ ହୋଇଛନ୍ତି । ଫଳରେ ସୁସ୍ଥତା ହାର ୯୩.୪୨%କୁ ବୃଦ୍ଧି ପାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୭୨.୮୭% ଆସିଛନ୍ତି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
କେରଳରେ ସର୍ବାଧିକ ୬,୫୬୭ ଜଣ ସୁସ୍ଥ ହୋଇଛନ୍ତି । ପଶ୍ଚିମବଙ୍ଗରେ ୪,୩୭୬ ଏବଂ ଦିଲ୍ଲୀରେ ୩,୫୬୦ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲାରୁ ୭୫.୧୪% ଆସିଛି ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।
ଗତ କିଛି ଦିନ ଧରି ଦିଲ୍ଲୀରେ ଦୈନିକ ନୂଆ ମାମଲା ବୃଦ୍ଧି ପାଉଥିବା ବେଳେ ଗତକାଲି ଆସିଛି ୩,୭୯୭ ମାମଲା । ପଶ୍ଚିମବଙ୍ଗରେ ୩,୦୧୨ ନୂଆ ମାମଲା ଆସିଥିବା ବେଳେ କେରଳରେ ଆସିଛି ୨,୭୧୦ ମାମଲା ।
ଗତ ୨୪ ଘଣ୍ଟା ମଧ୍ୟରେ ୪୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ ୭୮.୪୦% ମୃତ୍ୟୁ ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି । ଏଥିରୁ ଏକ ପଞ୍ଚମାଂଶରୁ ଅଧିକ ଅର୍ଥାତ ୨୨.୭୬% ଦିଲ୍ଲୀରୁ (୯୯ ମୃତ୍ୟୁ) ଆସିଛି । ଏହା ପଛକୁ ମହାରାଷ୍ଟ୍ରରେ ୬୦ ଏବଂ ପଶ୍ଚିମବଙ୍ଗରେ ୫୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.