ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୟପୁରରେ ପତ୍ରିକା ଗେଟ୍‌ ଉଦ୍‌ଘାଟିତ : ସମ୍ବାଦ ଉପନିଷଦ ଓ ଅକ୍ଷର ଯାତ୍ରା ପୁସ୍ତକ ଉନ୍ମୋଚିତ

• ଭାରତୀୟ ଅନୁଷ୍ଠାନଗୁଡିକ ଆନ୍ତର୍ଜାତିକ ସ୍ତରର ବିଭିନ୍ନ ସାହିତ୍ୟିକ ପୁରସ୍କାର ପ୍ରଦାନ କରିବା ଉଚିତ : ପ୍ରଧାନମନ୍ତ୍ରୀ
• ସମାଜକୁ ସକାରାତ୍ମକଭାବେ କିଛି ଦେବା ସାମ୍ବାଦିକ ପାଇଁ କେବଳ ଜରୁରୀ ନୁହେଁ, ବ୍ୟକ୍ତି ହିସାବରେ ଏହା ଗୁରୁତ୍ୱପୂର୍ଣ୍ଣ : ପ୍ରଧାନମନ୍ତ୍ରୀ
• ଉପନିଷଦର ଜ୍ଞାନ ଏବଂ ବେଦ ବିଚାର କେବଳ ଆଧ୍ୟାତ୍ମିକ ଆକର୍ଷଣ କ୍ଷେତ୍ର ନୁହେଁ, ଏହା ମଧ୍ୟ ବିଜ୍ଞାନର ଦର୍ଶନ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଜୟପୁରଠାରେ ନବନିର୍ମିତ ‘ପତ୍ରିକା ଗେଟ୍‌’କୁ ଉଦ୍‌ଘାଟନ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ସେ ଏହି ଗେଟକୁ ଉଦ୍‌ଘାଟନ କରିବା ସହିତ ‘ସମ୍ବାଦ ଉପନିଷଦ’ ଏବଂ ‘ଅକ୍ଷର ଯାତ୍ରା’ ନାମରେ ଦୁଇଖଣ୍ଡ ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ପତ୍ରିକା ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୁଲାବ କୋଠାରୀଙ୍କ ଦ୍ୱାରା ଏହି ଦୁଇଟି ପୁସ୍ତକ ରଚିତ ହୋଇଛି । ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନବଉଦ୍‌ଘାଟିତ ଗେଟ୍‌ଟି ରାଜସ୍ଥାନର ସଂସ୍କୃତିକୁ ପ୍ରତିଫଳିତ କରୁଛି । ଏହା ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ୟ୍ୟଟକଙ୍କ ଦୃଷ୍ଟିଆକର୍ଷଣ କରିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।
ଦୁଇଟି ବହି ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏଥିରେ ଭାରତୀୟ ସଂସ୍କୃତି ଓ ଦର୍ଶନର ବାସ୍ତବ ପତିଫଳନ ହୋଇଛି । ସମାଜକୁ ଶିକ୍ଷିତ କରାଇବାରେ ଏହାର ଲେଖକ ଏକ ବଡ ଭୂମିକା ନିର୍ବାହ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରତ୍ୟେକ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ କିପରି ଲେଖାଲେଖି କରୁଥିଲେ ଏବଂ ନିଜ ଲେଖା ମାଧ୍ୟମରେ ଲୋକଙ୍କୁ ଦିଗ୍‌ଦର୍ଶନ ଦେଉଥିଲେ ତାହାର ସ୍ମୃତିଚାରଣ କରିଥିଲେ । ଭାରତୀୟ ସଂସ୍କୃତି, ସଭ୍ୟତା ଓ ମୂଲ୍ୟବୋଧକୁ ସୁରକ୍ଷିତ କରିବାରେ ପତ୍ରିକା ଗ୍ରୁପର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଚ୍ଚପ୍ରଶଂସା କରିଛନ୍ତି । ପତ୍ରିକା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ କର୍ପୁରଚନ୍ଦ୍ର କୁଳିଶଙ୍କ ସାମ୍ବାଦିକତା ପ୍ରତି ଅବଦାନ ସଂପର୍କରେ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ସେ କିପରି ସମାଜରେ ବେଦଜ୍ଞାନ ପ୍ରଚାରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ସେ ସଂପର୍କରେ କହିଛନ୍ତି ।
ଶ୍ରୀ କୁଳିଶଙ୍କ ଜୀବନ ଓ କାର୍ୟ୍ୟାବଳୀ ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ସାମ୍ବାଦିକ ସକାରାତ୍ମକ ମନୋଭାବ ରଖି କାର୍ୟ୍ୟ କରିବା ଉଚିତ । ସେହିଭଳି ପ୍ରତ୍ୟେକ ବ୍ୟକ୍ତି ମଧ୍ୟ ଗଠନମୂଳକ ମନୋଭାବ ନେଇ ସମାଜ ପାଇଁ କିଛି ଅର୍ଥପୂର୍ଣ୍ଣ କାର୍ୟ୍ୟ କରିବା ଆବଶ୍ୟକ ।
ଉନ୍ମୋଚିତ ଦୁଇଟି ପୁସ୍ତକ ସଂପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବେଦର ଦର୍ଶନ ଓ ମତ କାଳଜୟୀ ଏବଂ ସମଗ୍ର ମାନବ ସମାଜ ପାଇଁ ଉଦ୍ଦିଷ୍ଟ । ଉପନିଷଦ ସମ୍ବାଦ ଓ ଅକ୍ଷର ଯାତ୍ରା ଉଭୟ ପୁସ୍ତକ ପାଠକଙ୍କ ଦ୍ୱାରା ବିଶେଷ ଆଦୃତ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ପିଢି ଗହନଜ୍ଞାନ ଅଧ୍ୟୟନଠାରୁ ଦୂରେଇ ରହିବା ଅନୁଚିତ । ସେ କହିଛନ୍ତି ଯେ ବେଦ ଓ ଉପନିଷଦ କେବଳ ଆଧ୍ୟାତ୍ମିକ ଜ୍ଞାନର ଭଣ୍ଡାର ନୁହେଁ, ଏହା ମଧ୍ୟ ବିଜ୍ଞାନଭିତ୍ତିକ ଜ୍ଞାନ ଓ ଚେତନାର ଆଧାର ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନର ଆବଶ୍ୟକତା ସଂପର୍କରେ କହିଥିଲେ । ଗରିବ ଲୋକମାନଙ୍କୁ ଶୌଚାଳୟ ସୁବିଧା ଯୋଗାଇଦେଲେ ସେମାନେ ଅନେକ ରୋଗରୁ ରକ୍ଷା ପାଇପାରିବେ ବୋଲି ସେ ଉଲ୍ଲେଖ କରିଥିଲେ । ସେ ମଧ୍ୟ ଉଜ୍ଜ୍ୱଳା ଯୋଜନାର ଗୁରୁତ୍ୱ ସଂପର୍କରେ ଆଲୋଚନା କରି ଏହାଦ୍ୱାରା ମା’ ଭଉଣୀମାନେ କିପରି ଧୂଆଁରୁ ରକ୍ଷା ପାଇପାରୁଛନ୍ତି ସେ ସଂପର୍କରେ କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଜଳଜୀବନ ମିଶନ ଦ୍ୱାରା ପ୍ରତ୍ୟେକ ଘରକୁ ଜଳ ଯୋଗାଇ ଦେବାର ଉଦ୍ୟମ ସଂପର୍କରେ ଉଲ୍ଲେଖ କରିଥିଲେ । ଭାରତୀୟ ଗଣମାଧ୍ୟମର ଅଭୂତପୂର୍ବ ଜନସେବା ଏବଂ କରୋନା ସଂପର୍କରେ ସଚେତନତା ସୃଷ୍ଟି ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରି କହିଛନ୍ତି ଯେ ରୂପାୟନ ସ୍ତରରେ ଗଣମାଧ୍ୟମ ସରକାରୀ କାର୍ୟ୍ୟର ବ୍ୟାପକ ପ୍ରଚାର ଓ ପ୍ରସାର କରୁଛି ଏବଂ ଆବଶ୍ୟକସ୍ଥଳେ ସେଥିରେ ଥିବା ତ୍ରୁଟିକୁ ଲୋକଲୋଚନକୁ ଆଣୁଛି ।
ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଗଣମାଧ୍ୟମ ଆତ୍ମନିର୍ଭର ଭାରତ ଅଭିଯାନକୁ ଆକାର ଦେଉଛି । ଏହି ଅଭିଯାନରେ ଭୋକାଲ ଫର୍‌ ଲୋକାଲକୁ ଗୁରୁତ୍ୱ ଦିଆଯାଉଛି । ଏହି ଲକ୍ଷ୍ୟକୁ ଆହୁରି ବ୍ୟାପକ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ସ୍ଥାନୀୟ ସାମଗ୍ରୀ ଏବେ ବିଶ୍ୱବ୍ୟାପୀ ହେଉଛି । ଏହାଫଳରେ ସମଗ୍ର ବିଶ୍ୱରେ ଭାରତର ସ୍ୱର ଅଧିକ ଶୁଣାଯିବ । ସେ କହିଛନ୍ତି ଏବେ ସମଗ୍ର ବିଶ୍ୱ ଭାରତକୁ ଅଧିକ ଗୁରୁତ୍ୱର ସହ ଶୁଣୁଛି । ଏଭଳି ପରିସ୍ଥିତିରେ ଭାରତୀୟ ଗଣମାଧ୍ୟମ ମଧ୍ୟ ବୈଶ୍ୱିକ ହେବା ଉଚିତ । ଆନ୍ତର୍ଜାତିକ ସ୍ତରର ବିଭିନ୍ନ ସାହିତ୍ୟିକ ସମ୍ମାନ ଭାରତୀୟ ଅନୁଷ୍ଠାନଗୁଡିକ ପ୍ରଦାନ କରିବା ଉଚିତ ବୋଲି ସେ କହିଛନ୍ତି ।
ଶ୍ରୀ କର୍ପୁରଚନ୍ଦ୍ର କୁଳିଶଙ୍କ ନାମରେ ପତ୍ରିକା ଗୋଷ୍ଠୀ ଆନ୍ତର୍ଜାତିକ ସାମ୍ବାଦିକତା ପୁରସ୍କାର ପ୍ରଦାନ ବ୍ୟବସ୍ଥା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଅନୁଷ୍ଠାନକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.