ଭିଟାମିନ୍‌-ଡି କରୋନା ସଂକ୍ରମଣ ମୃତ୍ୟୁହାର କମାଇବାରେ ସକ୍ଷମତା ରଖୁଛି

ୱାସିଂଟନ୍‌ : କରୋନା ଭାଇରସ୍‌ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଘାତକ ମହାମାରୀ ଯୋଗୁଁ ସାରା ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ଯାଇସାରିଛି । ଏଭଳି ସମୟରେ ଆମେରିକାରେ ଏକ ତାଜା ପ୍ରତିରୋଧକ ବିଷୟରେ ଦାବୀ କରାଯାଇଛି, ଯେଉଁମାନଙ୍କ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍‌-ଡି ରହିଛି, ସେମାନଙ୍କ ଏହି ମହାମାରୀର ସଂକ୍ରମଣରେ ମୃତମୁଖରେ ପଡ଼ିବାର ୫୨% ପର୍ଯ୍ୟନ୍ତ କମ୍‌ ସମ୍ଭାବନା ଅଛି । ତେବେ ଭିଟାମିନ୍‌-ଡି ସୂର୍ଯ୍ୟକିରଣରୁ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଏଣୁ ଏହାକୁ ‘ସନ୍‌ସାଇନ୍‌ ଭିଟାମିନ୍‌’ ମଧ୍ୟ କୁହାଯାଏ ।
ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଭିଟାମିନ୍‌-ଡି ଆମ ଶରୀରରେ ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜ୍‌ବୁତ୍‌ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ତେବେ ଶୋଧକାରୀମାନେ କହିଛନ୍ତି, ଯେଉଁ କ୍ଷେତ୍ରରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍‌-ଡି କିମ୍ବା ସୂର୍ଯ୍ୟକିରଣ ପହଂଚେନାହିଁ, ସେହି କ୍ଷେତ୍ରରେ କରୋନା ଭାଇରସ୍‌ ଲୋକଙ୍କୁ ବେଶୀ ପ୍ରଭାବିତ କରିଛି । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଏହି ଭାଇରସ୍‌ର ସବୁଠାରୁ କମ୍‌ ପ୍ରଭାବ ଆଫ୍ରିକା ମହାଦ୍ୱୀପରେ ଦେଖିବାକୁ ମଳୁଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ୟୁରୋପ, ଏସିଆ ଏବଂ ଆମେରିକା ମହାଦ୍ୱୀପ । ସ୍ୱୀକାର କରାଯାଉଛି ଯେ, ଆଫ୍ରିକାର ଲୋକମାନଙ୍କ ଶରୀରରେ ଭିଟାମିନ୍‌-ଡି ପର୍ଯ୍ୟାପ୍ତ ପରିମାଣରେ ରହିଥିବା କାରଣରୁ ସେମାନଙ୍କ ଉପରେ କରୋନା ଭାଇରସ୍‌ର ଅଧିକ ପ୍ରଭାବ ପଡ଼ି ପାରୁନାହିଁ ।
ବୋଷ୍ଟନ ୟୁନିଭର୍‌ସିଟିର ଡା. ମାଇକଲ୍‌ ହୋଲିକ୍‌ ନିଜର ପୁରୁଣା ରିସର୍ଚ ଦ୍ୱାରା ସଂଧାନ କରିଥିଲେ ଯେ, ଯେଉଁ ଲୋକଙ୍କ ମଧ୍ୟରେ ଭିଟାମିନ୍‌-ଡି ପର୍ଯ୍ୟାପ୍ତ ପରିମାଣରେ ରହିଛି, ସେମାନଙ୍କୁ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ମଧ୍ୟ ବାକି ଲୋକଙ୍କଠାରୁ ୫୪% କମ୍‌ । ତେବେ ଏବେ ତାଙ୍କ ଟିମ୍‌ ନୂଆ ରିସର୍ଚରେ ଦାବୀ କରିଛନ୍ତି, ଭିଟାମିନ୍‌-ଡି ଦ୍ୱାରା କରୋନା ସଂକ୍ରମିତ ହେବାର ସମ୍ଭାବନା କମ୍‌ ରହିଥିବା ବେଳେ ଏହାର ସଂକ୍ରମଣରେ ମୃତମୁଖରେ ପଡ଼ିବାର ୫୨% ପର୍ଯ୍ୟନ୍ତ କମ୍‌ ସମ୍ଭାବନା ରହିଛି ।

Leave A Reply

Your email address will not be published.