ଦୁଇ ଓଡ଼ିଆଙ୍କ ସମେତ ୩୮ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’

• ନୂଆଦିଲ୍ଲୀରେ ଆୟୋଜିତ ଅନଲାଇନ ସମାରୋହରେ ସମ୍ମାନିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ଆୟୋଜିତ ଏକ ଅନଲାଇନ ସମାରୋହରେ ଆଜି ସିବିଏସଇ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକର ୩୮ ଜଣ ଶିକ୍ଷକଙ୍କୁ ‘ସିବିଏସଇ ଶିକ୍ଷକ ପୁରସ୍କାର’ରେ ସମ୍ମାନିତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ । ଏମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦୁଇ ଜଣ ଶିକ୍ଷକ । ସେମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସଦାନନ୍ଦ ବିହାର ଡିଏଭି ପବ୍ଲିକ ସ୍କୁଲର ଟିଜିଟି ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ପାଣିଗ୍ରାହୀ ଓ ଜଗତସିଂହପୁର ଜିଲ୍ଲା ପାରାଦୀପସ୍ଥିତ ପାରାଦୀପ ରିଫାଇନାରୀ ସ୍କୁଲର ଅଧ୍ୟକ୍ଷ ଧନଞ୍ଜୟ ପାନ ।
ଏହି ଅବସରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ଅନୀତା କରୱାଲ ଏବଂ ସିବିଏସଇ ଅଧ୍ୟକ୍ଷ ଶ୍ରୀ ମନୋଜ ଆହୁଜା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ, ଏନଭିଏସ, କେଭିଏସ, ସିବିଏସଇର ବହୁ ଅଧିକାରୀ, ଅଧ୍ୟକ୍ଷ, ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକ କାର୍ଯ୍ୟକ୍ରମରେ ଅନଲାଇନ ମାଧ୍ୟମରେ ଯୋଡ଼ି ହୋଇଥିଲେ । ବିଦ୍ୟାଳୟ ଶିକ୍ଷା, ନବୋନ୍ମେଷ ଓ ସମର୍ପଣ କ୍ଷେତ୍ରରେ ଯୋଗଦାନ ଲାଗି ପ୍ରତ୍ୟେକ ଦୁଇ ବର୍ଷରେ ଥିରେ ଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ୨୦୧୯-୨୦ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପୋଖରିୟାଲ ନିଶଙ୍କ କହିଥିଲେ ଯେ ଶିକ୍ଷକମାନେ ଶିକ୍ଷାର ମୂଳଦୁଆ ସ୍ଥାପନ କରିଥାନ୍ତି । ସେ ଆହୁରି କହିଥିଲେ ଯେ ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି, ଦେଶର କେତେଜଣ ସର୍ବଶ୍ରେଷ୍ଠ ଶିକ୍ଷକମାନଙ୍କ ଯୋଗଦାନକୁ ସମ୍ମାନ ଦେବା ।
ମନ୍ତ୍ରୀ ଆହୁରି କହିଥିଲେ ଯେ ନୂଆ ଶିକ୍ଷା ନୀତି ୨୦୨୦ରେ ଶିକ୍ଷକମାନଙ୍କୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରରେ ରଖାଯାଇଛି । ପ୍ରତ୍ୟେକ ସ୍କୁଲରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଏହି ନୀତିରେ ଗୁରୁତ୍ୱାରୋପ କରାଯାଇଛି । ଏହାଛଡ଼ା ଏପରି ପରିବେଶ ବିକଶିତ କରିବା ଲାଗି କୁହାଯାଇଛି, ଯାହାଦ୍ୱାରା ସ୍କୁଲଗୁଡ଼ିକରେ କାର୍ଯ୍ୟ ସଂସ୍କୃତି ବିକଶିତ କରାଯାଇପାରିବ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା, କର୍ତବ୍ୟ ପରାୟଣତା ଏବଂ ଅସାଧାରଣ ଯୋଗଦାନ ପାଇଁ ପୁରସ୍କାର ପ୍ରାପ୍ତ ଶିକ୍ଷକମାନଙ୍କୁ ମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଥିଲେ ।
ପୁରସ୍କାର ବିଜେତାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଅଭିନନ୍ଦନ ଜ୍ଞାପନ କରିବା ସହିତ ଗୁରୁ ଭାବେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସଫଳତା ପୂର୍ବକ କର୍ତବ୍ୟ ନିର୍ବାହ ଲାଗି ପ୍ରଶଂସା କରିଥିଲେ ।
ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଏକ ପ୍ରମାଣପତ୍ର, ଉତରୀୟ ଏବଂ ୫୦,୦୦୦/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ । ୨୦୧୮ ପରଠାରୁ ଅନଲାଇନ ପ୍ରକ୍ରିୟାରେ ସିବିଏଇ ପକ୍ଷରୁ ପୁରସ୍କାର ବିଜେତାଙ୍କ ଚୟନ କରାଯାଇଆସୁଛି । ସାଧାରଣ ଏବଂ ନିର୍ଦ୍ଦିଷ୍ଟ ବର୍ଗରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଯୋଗଦାନ ନିମନ୍ତେ ଏହି ପୁରସ୍କାର ଦିଆଯାଇଥାଏ । ପୁରସ୍କାର ପାଇଥିବା ୩୮ ଜଣ ଶିକ୍ଷକମାନଙ୍କ ମଧ୍ୟରେ ପ୍ରାଥମିକ, ମାଧ୍ୟମିକ, ଭାଷା ଶିକ୍ଷକ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଶାରୀରିକ ଶିକ୍ଷା, ଗଣିତ, ଅର୍ଥନୀତି, ଆଇଟି, ଲଳିତ କଳା ଶିକ୍ଷକ, ବିଦ୍ୟାଳୟ ପରାମର୍ଶଦାତା, ସ୍କୁଲ କାଉନସେଲର, ଉପାଧ୍ୟକ୍ଷ ଏବଂ ଅଧ୍ୟକ୍ଷମାନେ ରହିଛନ୍ତି ।

Leave A Reply

Your email address will not be published.