ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ : ୫ ମୃତ, ୧୦ ଗୁରୁତର

ନୂଆଦଲ୍ଲୀ : ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ଘରୋଇ ବାଣ କାରଖାନାରେ ନିଆଁ ଲାଗି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମଦୁରାଇର ଏସ୍‌ପି ଏହି ଦୁର୍ଘଟଣା ଉପରେ ନିଶ୍ଚିତ କରିଛନ୍ତି । ଏହି ଘଟଣା ମଦୁରାଇ ଜିଲ୍ଲାର ଉସିଲମ୍ବାଟ୍ଟି ନିକଟରେ ଘଟିଛି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।

କାରଖାନାରେ ନିଆଁ ଲାଗିବା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଦେଖାଦେଇଥିଲା ଏବଂ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀ ଗାଡି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା ଏବଂ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ମଦୁରାଇ ଏସ୍‌ପି ପାଞ୍ଚ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ଉସିଲମ୍ବାଟ୍ଟି ନିକଟସ୍ଥ ଏକ ବାଣ କାରଖାନାରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ବର୍ତ୍ତମାନ ଦୁର୍ଘଟଣାର ତଦନ୍ତ ଚାଲିଛି ।

ମୃତକଙ୍କ ନାମ ଅମାବାସି, ବଲାରାସୁ, ଗୋପୀ, ବିକି ଏବଂ ପ୍ରେମା ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଆହତ ହୋଇଥିବା ଦଶ ଜଣ ଶ୍ରମିକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆବର୍ଜନା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । କୁହାଯାଉଛି ଯେ, ବିଲଡିଂରେ ଥିବା ବାଣ ଗୋଦାମ ବ୍ୟତୀତ ଭଡାଟିଆ ମାନେ ମଧ୍ୟ ଏଠାରେ ରହୁଥିଲେ । ଅକ୍ଟୋବର ମାସରେ ମଧ୍ୟପ୍ରଦେଶର ମୋରେନାସ୍ଥିତ ଏକ ବାଣ ତିଆରି କାରଖାନାରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.

four × one =