ପାକିସ୍ତାନର ମଦ୍ରାସାରେ ବୋମା ବିସ୍ଫୋରଣ : ୭ ମୃତ, ୭୦ ଆହତ

ପେଶୱାର : ପାକିସ୍ତାନର ଏକ ମଦ୍ରାସାରେ ବୋମା ବିସ୍ଫୋରଣ ଘଟିଛି । ସେଥିରେ ଅତି କମରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି । ଏହି ଆକ୍ରମଣ ପାକିସ୍ତାନର ଖଇବର-ପଖ୍‌ତୁନ୍‌ଖ୍ୱାହ ପ୍ରଦେଶର ପେଶୱାର ସହରରେ ଘଟିଛି।
ଡାକ୍ତରଖାନା ଅଧିକାରୀଙ୍କ ଅନୁଯାୟୀ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ବୟସ ୨୦ ରୁ ୩୦ ବର୍ଷ ମଧ୍ୟରେ ରହିଛି । ଅନେକ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଚାରିଜଣ ୧୩ ବର୍ଷରୁ କମ୍ ହୋଇଥିବା ଜଣାପଡ଼ିଛି ।
ପ୍ରାରମ୍ଭିକ ରିପୋର୍ଟରେ କୁହାଯାଇଛି ଯେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିଲେ, କିନ୍ତୁ ପରେ ଏଭଳି ରିପୋର୍ଟ ପ୍ରତ୍ୟାହାର କରାଯାଇଥିଲା ।
ଏହି ଆକ୍ରମଣ ପାଇଁ ଏପର୍ୟ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି । ମାମଲାର ତଦନ୍ତ ଆରମ୍ଭ ହୋଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ବିସ୍ଫୋରଣକୁ ତୀବ୍ର ନିନ୍ଦା କରିବା ସହ ଜୀବନହାନୀ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପୋଲିସ କହିଛି ଯେ, ସ୍ଥାନୀୟ ସମୟ ସକାଳ ୮:୩୦ରେ ଏହି ବିସ୍ଫୋରଣ ଘଟିଛି । ପୋଲିସର ସୂଚନାନୁସାରେ, ଏହି ବିସ୍ଫୋରଣ ମାଦ୍ରାସାରେ ଅଧ୍ୟୟନ ଚାଲିଥିବା ସମୟରେ ଘଟିଥିଲା । ଏହି ବିସ୍ଫୋରଣ ସମୟରେ ମଦ୍ରାସାରେ ପ୍ରାୟ ୬୦ ଜଣ ଲୋକ ଉପସ୍ଥିତ ଥିବା ଜଣାପଡିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ କହିଛନ୍ତି ଯେ, ବିସ୍ଫୋରଣର କିଛି ସମୟ ପୂର୍ବରୁ ସେ ଜଣେ ବ୍ୟକ୍ତିଙ୍କୁ ବିସ୍ଫୋରକ ଭର୍ତ୍ତି ଏକ ବ୍ୟାଗ ଭବନକୁ ନେଇଥିବାର ଦେଖିଥିଲେ ।

Leave A Reply

Your email address will not be published.