
ଦିଲ୍ଲୀ, (ପିଆଇବି) :
ୟୋର ହାଇନେସ୍
ଏକ୍ସିଲେନ୍ସିସ୍,
ନମସ୍କାର!
ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ, ଆମ ସଭିଙ୍କ ପକ୍ଷରୁ କିଛି ସମୟ ପୂର୍ବେ ମରକ୍କୋରେ ଆସିଥିବା ଭୂମିକମ୍ପ ଦ୍ବାରା ପ୍ରଭାବିତ ଲୋକମାନଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ଜଣାଇବାକୁ ଚାହୁଁଛି ।
ଆମେ ପ୍ରାର୍ଥନା କରୁଛୁ ଯେ ସମସ୍ତ ଆହତ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ଏହି କଠିନ ସମୟରେ ସମଗ୍ର ବିଶ୍ବ ସମୁଦାୟ ମରକ୍କୋ ସହିତ ରହିଛି ଏବଂ ଆମେ ତାଙ୍କୁ ସବୁ ପ୍ରକାର ସହାୟତା ଦେବା ପାଇଁ ପ୍ରସ୍ତୁତ ଅଛୁ ।
ୟୋର ହାଇନେସ୍
ଏକ୍ସିଲେନ୍ସିସ୍,
ଜି-20 ର ଅଧ୍ୟକ୍ଷ ଭାବରେ, ଭାରତ ଆପଣ ସଭିଙ୍କୁ ହାର୍ଦ୍ଦିକ ସ୍ବାଗତ କରୁଛି। ଏହି ସମୟରେ ଯେଉଁ ସ୍ଥାନରେ ଆମେ ଏକତ୍ରିତ ହୋଇଛୁ, ଏଠାରୁ ମାତ୍ର ଅଳ୍ପ କିଛି କିଲୋମିଟର ଦୂରରେ ପ୍ରାୟ ଅଢ଼େଇ ହଜାର ବର୍ଷ ପୁରୁଣା ଏକ ସ୍ତମ୍ଭ ଲାଗିଛି ।
ଏହି ସ୍ତମ୍ଭରେ ପ୍ରାକୃତ ଭାଷାରେ ଲେଖା ଯାଇଛି –
‘‘ହେବମ୍ ଲୋକସା ହିତମୁଖେ ତି,
ଅଥ ଇୟମ ନାତିସୁ ହେବମ’’
ଅର୍ଥାତ୍,
ମାନବତାର କଲ୍ୟାଣ ଏବଂ ସୁଖ ସର୍ବଦା ସୁନିଶ୍ଚିତ କରାଯିବା ଉଚିତ୍ ।
ଅଢ଼େଇ ହଜାର ବର୍ଷ ପୂର୍ବରୁ, ଭାରତର ଭୂମି ଏହି ବାର୍ତ୍ତା ସମଗ୍ର ବିଶ୍ବକୁ ପ୍ରଦାନ କରିଥିଲା ।
ଆସନ୍ତୁ, ଏହି ବାର୍ତ୍ତାକୁ ମନେ ପକାଇବା, ଏହି ଜି-20 ସମିଟ୍ କୁ ଆମେ ଆରମ୍ଭ କରିବା । ଏକବିଂଶ ଶତାବ୍ଦୀର ଏହି ସମୟ, ସମଗ୍ର ବିଶ୍ବକୁ ନୂତନ ଦିଗ ଦେଖାଉଥିବା ଏକ ମହତ୍ତ୍ବପୂର୍ଣ୍ଣ ସମୟ ଅଟେ ।
ଏହା ସେହି ସମୟ ଅଟେ, ଯେତେବେଳେ ବର୍ଷ ବର୍ଷ ଧରି ଥିବା ଆହ୍ବାନ, ଆମଠାରୁ ନୂତନ ସମାଧାନର ଆଶା କରୁଛି ।
ଏବଂ ଏଥିପାଇଁ, ଆମେ ମାନବ କୈନ୍ଦ୍ରିକ ନୀତି ସହିତ ଆମର ସମସ୍ତ ଦାୟୀତ୍ବକୁ ତୁଲାଇ ଆଗକୁ ବଢ଼ିବାକୁ ହେବ ।
ବନ୍ଧୁଗଣ,
କୋଭିଡ୍-19 ପରେ ବିଶ୍ବରେ ଏକ ବହୁତ ବଡ଼ ସଙ୍କଟ ବିଶ୍ବାସରେ ଅଭାବ ଦେଖା ଯାଇଛି । ଯୁଦ୍ଧ, ଏହି ବିଶ୍ବାସର ଅଭାବକୁ ଆହୁରି ଅଧିକ କରିଛି। ଯେତେବେଳେ ଆମେ କୋଭିଡକୁ ହରାଇ ପାରିଛୁ, ସେତେବେଳେ ଆମେ ଏହି ପାରସ୍ପରିକ ବିଶ୍ବାସରେ ଆସିଥିବା ଏହି ସଙ୍କଟ ଉପରେ ମଧ୍ୟ ବିଜୟ ଲାଭ କରିପାରିବା ।
ଆଜି ଜି-20 ର ଅଧ୍ୟକ୍ଷ ଭାବରେ ଭାରତ ସମଗ୍ର ବିଶ୍ବକୁ ଆହ୍ବାନ କରୁଛି ଯେ, ଆମେ ମିଳିମିଶି ସର୍ବ ପ୍ରଥମେ ଏହି ଗ୍ଲୋବାଲ୍ ଟ୍ରଷ୍ଟ ଡେଫିସିଟ୍ କୁ ଏକ ବିଶ୍ବାସ, ଏକ ଭରସାରେ ରୂପାନ୍ତରିତ କରିବା । ଏହା ହେଉଛି ଆମେ ସଭିଏଁ ମିଳିମିଶି ଏକାଠି ଚାଲିବାର ସମୟ ।
ଏବଂ ଏଥିପାଇଁ, ‘‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ବାସ ଏବଂ ସବକା ପ୍ରୟାସ’’ ର ମନ୍ତ୍ର ଆମ ସଭିଙ୍କ ପାଇଁ ଏକ ପଥ ପ୍ରଦର୍ଶକ ହୋଇପାରେ ।
ବିଶ୍ବ ଅର୍ଥବ୍ୟବସ୍ଥାରେ ଅନିଶ୍ଚିତତା ହେଉ,
ଉତ୍ତର ଓ ଦକ୍ଷିଣର ଡିଭାଇଡ୍ ହେଉ,
ପୂର୍ବ ଓ ପଶ୍ଚିମର ଦୂରତା ହେଉ
ଖାଦ୍ୟ, ଇନ୍ଧନ ଏବଂ ସାରର ପରିଚାଳନା ହେଉ,
ଆତଙ୍କବାଦ ଏବଂ ସାଇବର ସିକ୍ୟୁରିଟି ହେଉ,
ହେଲ୍ଥ, ଏନର୍ଜି ଏବଂ ୱାଟର ସିକ୍ୟୁରିଟି ହେଉ,
ବର୍ତ୍ତମାନ ଠାରୁ, ଆଗାମୀ ପୀଢ଼ି ପାଇଁ, ଆମେ ଏହି ଆହ୍ବାନର ଉପଯୁକ୍ତ ସମାଧାନ ଦିଗରେ ବଢ଼ିବାକୁ ହିଁ ହେବ ।
ବନ୍ଧୁଗଣ,
ଭାରତର ଜି-20 ଅଧ୍ୟକ୍ଷତା, ଦେଶ ଭିତରେ ଏବଂ ଦେଶ ବାହାରେ ଇନ୍କ୍ଲୁଜନର ‘‘ସଭିଙ୍କ ସହଯୋଗ’’ ର ପ୍ରତୀକ ହୋଇଛି। ଭାରତରେ ଏହା ପିପୁଲ୍ସ ଜି-20 ହୋଇଛି। କୋଟି କୋଟି ଭାରତୀୟମାନେ ଏଥିରେ ସାମିଲ୍ ହୋଇଛନ୍ତି । ଦେଶର 60 ରୁ ଅଧିକ ସହରରେ 200 ରୁ ଅଧିକ ବୈଠକ ହୋଇଛି ।
ସଭିଙ୍କ ସହଯୋଗର ଭାବନା ଦ୍ବାରା ହିଁ ଭାରତ ପ୍ରସ୍ତାବ ରଖିଥିଲା ଯେ ଆଫ୍ରିକାନ୍ ୟୁନିୟନ କୁ ଜି-20 ର ସ୍ଥାୟୀ ସଦସ୍ୟତା ଦିଆଯାଉ । ମୋର ବିଶ୍ବାସ ଯେ ଏହି ପ୍ରସ୍ତାବ ଉପରେ ଆମ ସଭିଙ୍କର ସହମତି ରହିଛି ।
ଆପଣ ସଭିଙ୍କ ସହମତି ଦ୍ବାରା, ପରବର୍ତ୍ତୀ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ, ମୁଁ ଆଫ୍ରିକାନ ୟୁନିୟନଙ୍କ ଅଧ୍ୟକ୍ଷଙ୍କୁ ଜି-20 ର ସ୍ଥାୟୀ ସଦସ୍ୟ ଭାବରେ ନିଜର ସ୍ଥାନ ଗ୍ରହଣ କରିବା ପାଇଁ ଆମନ୍ତ୍ରିତ କରୁଛି ।
