କେନ୍ଦ୍ରୀୟ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଡ୍ରୋନ ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି): ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ‘ଡ୍ରୋନ’ ପ୍ରଦାନ ସଂକ୍ରାନ୍ତ କେନ୍ଦ୍ରୀୟ ସ୍ତରର ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଆୟ ବୃଦ୍ଧି ପାଇଁ ସେମାନଙ୍କୁ ‘ଡ୍ରୋନ’ ପ୍ରଦାନ କରିବା ନିମନ୍ତେ କେନ୍ଦ୍ରୀୟ ସ୍ତରରେ ଏକ ଯୋଜନା ପ୍ରସ୍ତୁତ ହୋଇଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନେ ଏସବୁ ଡ୍ରୋନକୁ ଭଡା ସୂତ୍ରରେ ବ୍ୟବହାର କରି ନିଜର ଆୟ ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ । ଏବେ ଯୋଜନାଟି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପାଇଥିବାରୁ ଏହାର କାର୍ଯ୍ୟକାରିତା ପାଇଁ ବାଟ ଫିଟିଯାଇଛି ।
ଆଜି କ୍ୟାବିନେଟରେ ଗୃହୀତ ପ୍ରସ୍ତାବ ଅନୁସାରେ କେନ୍ଦ୍ର ସରକାର ୧୫ହଜାର ବଛା ବଛା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)ଙ୍କୁ ଯେଉଁ ଡ୍ରୋନ ଦେବେ ସେଥିପାଇଁ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୨୬୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଡ୍ରୋନଗୁଡିକୁ ସମ୍ପୃକ୍ତ ଏସ୍‌ଏଚ୍‌ଜି ଚାଷୀଙ୍କ ବ୍ୟବହାର ନିମନ୍ତେ ଭଡା ସୂତ୍ରରେ ଯୋଗାଇବେ ।
କୃଷି କ୍ଷେତ୍ରରେ ନୂଆ ଟେକ୍‌ନୋଲୋଜିର ପ୍ରୟୋଗ ଏବଂ ମହିଳା ଏସ୍‌ଏଚ୍‌ଜିଗୁଡିକର ଆୟବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ସାକାର କରିବାକୁ ଏହି କେନ୍ଦ୍ରୀୟ ଯୋଜନା ପ୍ରବର୍ତ୍ତନ କରାଯାଇଛି । ସମ୍ପୃକ୍ତ ଏସଏଚ୍‌ଜିମାନେ ଏହି ଡ୍ରୋନ ଭଡାସୂତ୍ରରେ ଚାଷୀଙ୍କୁ ଯୋଗାଇଲେ ସେ ବାବଦରେ ଯେଉଁ ଅର୍ଥ ପାଇବେ ତଦ୍ୱାରା ସେମାନଙ୍କର ବାର୍ଷିକ ଆୟ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହା ଦ୍ୱାରା ମଧ୍ୟ ଚାଷୀମାନେ ସହଜରେ ଏବଂ ଉଚିତ ମୂଲ୍ୟରେ ଡ୍ରୋନ ବ୍ୟବହାର ସୁବିଧା ପାଇପାରିବେ ।
ଦେଶର ବିଭିନ୍ନ ରାଜ୍ୟର ବଛା ବଛା ୧୫ ହଜାର ମହିଳା ସ୍ୱେଚ୍ଛାସେବୀ ସଂଗଠନକୁ ଏହି ଡ୍ରୋନ ସରକାର ଯୋଗାଇଦେବେ । ଡ୍ରୋନ ମୂଲର ୮୦ ଶତାଂଶ କେନ୍ଦ୍ର ସରକାର ବହନ କରିବେ ଏବଂ ଅବଶିଷ୍ଟ ଅର୍ଥ ସମ୍ପୃକ୍ତଅକ୍ତ ଏସ୍‌ଏଚ୍‌ଜି ଦେବେ । ଗୋଟିଏ ଏସ୍‌ଏଚ୍‌ଜିକୁ ସର୍ବାଧିକ ଆଠଲକ୍ଷ ଟଙ୍କା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଯୋଗାଇଦେବେ । ସମ୍ପୃକ୍ତ ଏସ୍‌ଏଚ୍‌‌ଜି ଯେଉଁ ଋଣ କରିବେ ସେଥି ପାଇଁ ଡ୍ରୋନ କ୍ରୟ କ୍ଷେତ୍ରରେ ସବ୍‌ସିଡି ବ୍ୟବସ୍ଥାର ରହିଛି । ଜାତୀୟ କୃଷି ଭିତ୍ତିଭୂମି ଅର୍ଥ ଲଗାଣ ବ୍ୟବସ୍ଥା (ଏଆଇଏଫ୍‌) ଏହି ଋଣ ଦେବ ଏବଂ ସୁଧ ଉପରେ ୩ ଶତାଂଶ ଛାଡ ବ୍ୟବସ୍ଥା ରହିଛି ।
ଡ୍ରୋନର ରକ୍ଷଣାବେକ୍ଷଣ, ବ୍ୟବହାର ଓ ଉଡାଣ ଆଦି ନିମନ୍ତେ ସମ୍ପୃକ୍ତ ଏସ୍‌ଏଚ୍‌ଜିର ବଛା ବଛା ସଦସ୍ୟମାନଙ୍କୁ ତାଲିମ ଦିଆଯିବ । ଏହି ଯୋଜନାରେ ଜୀବନ ଜୀବିକା କାର୍ଯ୍ୟକ୍ରମ, କୃଷି ମନ୍ତ୍ରଣାଳୟ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ, ସାର ଓ ରସାୟନ ମନ୍ତ୍ରଣାଳୟ, ଆଦିକୁ ସମ୍ପୃକ୍ତ କରାଯାଇଛି ।ନାନୋ ୟୁରିଆ ଓ କୀଟନାଶକ ସିଂଚନ ତଥା ଫସଲର ସ୍ଥିତି ସର୍ଭେ ପାଇଁ ଏହି ସବୁ ଡ୍ରୋନକୁ ବ୍ୟବହାର କରିହେବ ।

Leave A Reply

Your email address will not be published.

five + 2 =