ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ୧୦୦ ଟଙ୍କିଆ ସ୍ଵତନ୍ତ୍ର ସ୍ମାରକୀ ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

ନୂଆଦିଲ୍ଲୀ, (ପିଆଇବି) : ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ୧୦୦ ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ରାଜମାତାଙ୍କୁ ଏହି ଅବସରରେ ଶ୍ରୀ ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି । ରାଜମାତାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର ୧୦୦ ଟଙ୍କିଆ ସ୍ମାରକୀ ଉନ୍ମୋଚନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜମାତା ବିଜୟାରାଜେ ସିନ୍ଧିଆ ଦେଶକୁ ସଠିକ ଦିଗଦର୍ଶନ ଦେଉଥିଲେ । ସେ ଜଣେ କୁଶଳୀ ପ୍ରଶାସକ ଓ ନିର୍ଣ୍ଣାୟକ ନେତ୍ରୀ ଥିଲେ । ବିଦେଶୀ ଲୁଗା ପୋଡି ହେଉ ବା ଜରୁରିକାଳିନ ପରିସ୍ଥିତି ବା ରାମମନ୍ଦିର ଆନ୍ଦୋଳନ, ଭାରତୀୟ ରାଜନୀତିର ସମସ୍ତ ଗୁରୁତ୍ଵପୂର୍ଣ୍ଣ ପର୍ୟ୍ୟାୟ ସେ ଦେଖିଥିଲେ । ବର୍ତ୍ତମାନର ପିଢି ରାଜମାତାଙ୍କ ଜୀବନ ସମ୍ପର୍କରେ ଜାଣିବା ଉପରେ ଶ୍ରୀ ମୋଦୀ ଗୁରୁତ୍ଵାରୋପ କରିଥିଲେ। ତାଙ୍କ ଜୀବନୀ ଓ ଅଭିଜ୍ଞତା ସମ୍ପର୍କରେ ବାରମ୍ବାର ଆଲୋଚନା କରିବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜମାତାଙ୍କ ମତରେ ଜନସେବା ପାଇଁ କୌଣସି ଏକ ନିର୍ଦ୍ଦିଷ୍ଟ ପରିବାରରେ ଜନ୍ମ ନେବାର ଆବଶ୍ୟକତା ନାହିଁ । ଏଥିପାଇଁ ଦରକାର ଦେଶପ୍ରୀତି ଓ ଗଣତାନ୍ତ୍ରିକ ଭାବଧାରା । ଏ ପ୍ରକାରର ଚିନ୍ତାଧାରା ଓ ଆଦର୍ଶ ତାଙ୍କ ଜୀବନରେ ସ୍ପଷ୍ଟ ନିହିତ ଥିଲା । ରାଜମାତାଙ୍କ ପାଖରେ ଶତ ସହସ୍ର କର୍ମଚାରୀ, ସୁରମ୍ୟ ରାଜପ୍ରାସାଦ ଓ ସମସ୍ତ ସୁବିଧା ଥିଲେ ମଧ୍ୟ ତାଙ୍କ ଜୀବନକୁ ସେ ସାଧାରଣ ଜନତାଙ୍କ ସୁବିଧା ଅସୁବିଧା ଓ ଗରିବଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଉତ୍ସର୍ଗ କରିଥିଲେ । ଦେଶର ଭବିଷ୍ୟତ ବଂଶଧରଙ୍କ ନିମନ୍ତେ ସେ ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇଥିଲେ । ରାଜମାତା କୌଣସି ପଦ ପଦବୀ ପାଇଁ ଲାଳାୟିତ ନଥିଲେ କି ସେ ରଣନୀତି ମଧ୍ୟ କରୁନଥିଲେ । ରାଜମାତା ବହୁ ପଦପଦବୀ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିବା ଘଟଣାର ଶ୍ରୀ ମୋଦୀ ସ୍ମୃତିଚାରଣ କରିଥିଲେ । ଥରେ ଅଟଳଜୀ ଓ ଆଡଭାନୀଜୀ ରାଜମାତାଙ୍କୁ ଜନସଙ୍ଘର ସଭାପତି ହେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ଜନସଙ୍ଘର କେବଳ ଜଣେ କାର୍ୟ୍ୟକର୍ତ୍ତା ଭାବରେ ରହିବାକୁ ଇଚ୍ଛା ପ୍ରକଟ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ରାଜମାତା ତାଙ୍କର ସହକର୍ମୀମାନଙ୍କୁ ସେମାନଙ୍କ ନାଁ ଅନୁସାରେ ଜାଣିଥିଲେ ଓ ସେଭଳି ଭାବନା ସମସ୍ତଙ୍କର ନିଜର ସହକର୍ମୀଙ୍କ ପ୍ରତି ରହିବା ଆବଶ୍ୟକ । ରାଜନୀତିରେ ଗର୍ବ ନୁହେଁ, ସମ୍ମାନ ମୂଳ ଲକ୍ଷ୍ୟ ହେବା ଆବଶ୍ୟକ । ସେ ରାଜମାତାଙ୍କୁ ଜଣେ ଆଧ୍ୟାତ୍ମିକ ବ୍ୟକ୍ତିତ୍ଵ ଭାବେ ଅଭିହିତ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଜନସଚେତନତା ଓ ଆନ୍ଦୋଳନ ଯୋଗୁଁ ଗତ କିଛି ବର୍ଷରେ ଅନେକ ପରିବର୍ତ୍ତନ ଘଟିଛି ଓ ଅନେକ ଅଭିଯାନ ଓ ଯୋଜନା ସଫଳ ମଧ୍ୟ ହୋଇଛି । ରାଜମାତାଙ୍କ ଆଶୀର୍ବାଦରେ ଦେଶ ଆଗେଇ ଚାଲିଛି ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତରେ ନାରୀଶକ୍ତି ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ରାଜମାତାଙ୍କ ମହିଳା ସଶକ୍ତିକରଣ ସ୍ଵପ୍ନକୁ ସାକାର କରିବା ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ମୋଦୀ ସୂଚନା ଦେବା ସହ ଏହା କିଭଳି ସଫଳ ହୋଇଛି ତାହାର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ଏକ ଅଦ୍ଭୁତ ସଂଯୋଗ ଯେ, ଯେଉଁ ରାଜମାତା ରାମ ଜନ୍ମଭୂମି ମନ୍ଦିର ପାଇଁ ସ୍ଵପ୍ନ ଦେଖିବା ସହ ସଂଗ୍ରାମ ମଧ୍ୟ କରିଥିଲେ, ତାହା ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ସାକାର ହୋଇଛି । ଆତ୍ମନିର୍ଭର ଭାରତର ସଫଳତା ଏକ ଶକ୍ତିଶାଳୀ, ସୁରକ୍ଷିତ ଓ ସମୃଦ୍ଧ ଭାରତ ଗଠନରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଥିଲେ ।

Leave A Reply

Your email address will not be published.