ପାଟଣାଗଡ ପୋଲିସ ତରଫରୁ ମିଶନ କ୍ଲିନ ଆରମ୍ଭ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବେଆଇନ ମଦ ମାଫିଆ, ଜୁଆ, ସଟ୍ଟା, ଚୋର ଡକାୟତଙ୍କ ବିରୋଧରେ ମିଶନ କ୍ଲିନ ମାଧ୍ୟମରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜୟା ଦଶମୀରୁ ଶପଥ କରିଛି ବଲାଙ୍ଗିର ପୋଲିସ । ଜିଲ୍ଲାର ବିଭିନ୍ନ ଥାନାମାନଙ୍କୁ ବେଆଇନ କାର୍ଯ୍ୟକଳାପଗୁଡିକୁ ରୋକ୍‌ ଲଗାଇବା ପାଇଁ ବଲାଙ୍ଗିର ଏସପି.ଙ୍କ ନିର୍ଦ୍ଦେଶ ମିଳିବା ପରେ ପାଟଣାଗଡ ଥାନାରେ ମଧ୍ୟ ମିଶନ କ୍ଲିନ ଆରମ୍ଭ କରାଯାଇଛି । ଅଂଚଳର ଜୁଆ, ସଟ୍ଟା, ଘୁଡୁଘୁଡୁ ପଟି, ମଦ, କୋରେକ୍ସ କାରବାର ତଥା ଅସାମାଜିକ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପାଟଣାଗଡ ଆଇଆଇସି କେ.ପ୍ରିୟଙ୍କା ରାଉତରାୟଙ୍କ ନେତୃତ୍ୱରେ ଘନ ଘନ ଚଢାଉ ଆରମ୍ଭ ହୋଇଛି ।

ଆଜି ପାଟଣାଗଡ କଲେଜ ଛକ ସ୍ଥିତ ଜଣେ ସଟ୍ଟା ଏଜେଂଟ ଶେଷଦେବ ଭରାସାଗରକୁ ଗିରଫ କରାଯାଇ ୭୦୦୦ ଟଙ୍କା ଏବଂ ମୋବାଇଲ ଜବତ୍‌ କରାଯାଇଥିବା ବେଳେ ଥାନା କେଶ ନଂ ୨୨୬/୨୦ ଧାରା ୨୯୪(ଏ)/୭ ଏଲ.ଆର. ଏକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ସେହିପରି ଭଇଁଷା ଗ୍ରାମର ସଂଜତ ଭୋଇକୁ ଗିରଫ କରିଥିବା ବେଳେ ୨୪୦୦ ଟଙ୍କ, ମୋବାଇଲ ଫୋନ, ସଟ୍ଟା ଚାଟ ଜବତ କରାଯାଇ ଥାନା କେଶ ନଂ ୨୨୭/୨୦ ଧାରା ୨୯୪(ଏ)/୭ ଏଲ.ଆର. ଏକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ବେଆଇନ ମଦ ବିକ୍ରିକୁ ରୋକ ଲଗାଇବା ପାଇଁ ଅଂଚଳର ଢାବା ମାନଙ୍କରେ ଚଢାଉ କରାଯାଇ ଜଣେ ଢାବା ମାଲିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.