ଖଲଖଲି ଗ୍ରାମବାସୀଙ୍କ ଦ୍ୱାରା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଧୁମାଭଟା ପଂଚାୟତର ଖଲଖଲି ଗାଁର ବାସିନ୍ଦାମାନେ ଆଜି ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଏତେ ସବୁ ଯୋଜନା ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଖଲଖଲି ଗ୍ରାମର ଗୋଟିଏ ଲୋକ ମଧ୍ୟ ସେଥିରେ ସାମିଲ ହୋଇ ପାରିନଥିବା ଅଭିଯୋଗ କରିଛନ୍ତି । ଏହି ଗ୍ରାମକୁ ସରକାରଙ୍କ ଦ୍ୱାରା ହୋଇଥିବା ଏସଇସିସି ଲିଷ୍ଟରେ ସମ୍ପୁର୍ଣ୍ଣ ବାଦ୍‌ ଦିଆଯାଇଥିବା ବେଳେ ପଂଚାୟତ ତରଫରୁ ମଧ୍ୟ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ । ଏପରିକି ବାର୍ଦ୍ଧକ୍ୟ ଭତା, ଭିନ୍ନକ୍ଷମ ଭତା ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିପାରିନାହିଁ ବେଲପଡା ବ୍ଲକ ପ୍ରଶାସନ । ଅନ୍ୟପକ୍ଷରେ ଗାଁରେ ଆଜି ପର୍ଯ୍ୟନ୍ତ ପାନୀୟ ଜଳର ସମସ୍ୟା ଲାଗି ରହିଥିବା ବେଳେ ଗାଁରେ ଷ୍ଟ୍ରିଟ ଲାଇଟ ମଧ୍ୟ ଲାଗି ପାରିନାହିଁ । ଏସବୁ ସମସ୍ୟାକୁ ନେଇ ଆଜି ଖଲଖଲି ଗ୍ରାମବାସୀ ଏବଂ କୋଶଲ ରାଜ୍ୟ ସମନ୍ୱୟ ସମିତି ପାଟଣାଗଡ ଉପଖଣ୍ଡର କର୍ମକର୍ତାମାନେ ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ଅତି ଶୀଘ୍ର ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ୩ ଦଫା ଦାବୀ ପତ୍ର ପାଟଣାଗଡ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ବେଳେ ବେଲପଡା ବିଡିଓ, ଧୁମାଭଟା ସରପଂଚ ଏବଂ ପଂଚାୟତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବୀ କରିଛନ୍ତି ଆନ୍ଦୋଳନକାରୀ । ଏହି ଘେରାଓରେ ଗିରିରାଜ ଭୋଇ, ବନମାଳୀ ନାଏକ, ଅଚ୍ୟୁତ ସିପୁନ ଖମାରୀ, ଧନମତୀ ମାଝୀ, ଶିଶୁପାଳ ସିଂ ବୁଡେକ ପ୍ରମୁଖଙ୍କ ସମେତ ଅନେକ ବିଧବା ମହିଳା, ବିକଳାଙ୍ଗ ଏବଂ ଗ୍ରାମବାସୀ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.