ମାରଣାନ୍ତକ ଆକ୍ରମଣ ଓ ଲୁଟ୍‌ ଅଭିଯୋଗ : ୨୫ ହଜାର ଟଙ୍କା ଓ ସୁନା ଲକେଟ୍‌ ଲୁଟିନେଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉତ୍ତରପ୍ରଦେଶ ଅଞ୍ଚଳରୁ ଦୀର୍ଘ ବର୍ଷ ହେଲା ବଲାଙ୍ଗିରକୁ ଆସି ସିଲିଂ ମିସ୍ତ୍ରୀ ଭାବେ କାମ କରୁଥିବା ବିରେନ୍ଦ୍ର କୁମାର ଲୁଟ୍‌ର ଶିକାର ହୋଇଥିବା ଖବର ମିଳିଛି । ବଲାଙ୍ଗିର କଂସାରୀପଡ଼ା ନିକଟ‌ସ୍ଥ ଧୋବାପଡ଼ାରେ ଘର କରି ରହୁଥିବା ଶ୍ରୀ କୁମାରଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗି କିଛି ଯୁବକ ଗତ ରାତିରେ ଲୁଟ୍‍ପାଟ୍‍ କରିଥିବା ଟାଉନ୍‍ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଶୁକ୍ରବାର ଦିନ ରାତି ପ୍ରାୟ ସାଢେ ୭ଟା ସମୟରେ ସେ ବଜାରକୁ ଆସୁଥିବା ବେଳେ ପୋଖରୀ ପାଖରେ କିଛି ଯୁବକ ତାଙ୍କୁ ମଦ ପିଇବା ପାଇଁ ଖର୍ଚ୍ଚ ମାଗିଥିଲେ । ଶ୍ରୀ କୁମାର ପଇସା ଦେବାକୁ ମନା କରିବାରୁ ତା‌ଙ୍କୁ ସେମାନେ ଲୁହା ପାଇପରେ ପିଟିଥିଲେ । ସେ ନାଳରେ ପଡ଼ିଯିବା ପରେ ତାଙ୍କ ପର୍ସ ଓ ବେକରେ ପିନ୍ଧିଥିବା ଲକେଟ ଲୁଟି ନେଇ ଫେରାର୍‌ ହୋଇ ଯାଇଥିଲେ । ଏସଂପର୍କରେ ଶ୍ରୀ କୁମାର ଟାଉନ୍‍ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.