ପୋଷ୍ଟ ମାଷ୍ଟରଙ୍କୁ ମରଣାନ୍ତକ ଆକ୍ରମଣ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମରେ ଆଜି ସକାଳୁ ଭରତବାହାଲ ଗ୍ରାମରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ତମିଆଁ ଗ୍ରାମର ଔଷଧ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଘଟଣା ଅନୁଯାୟୀ ଆଜି ସକାଳୁ ଶ୍ରୀ ପ୍ରଧାନ ନିକଟସ୍ଥ ନଦୀରୁ ଶୌଚ କରି ଫେରବା ବେଳେ ତମିଆଁ ଗ୍ରାମର ଭକ୍ତ ନାଏକ ନାମକ ଜଣେ ବ୍ୟକ୍ତି ଅତର୍କିତ ଭାବେ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଔଷଧଙ୍କ ମୁଣ୍ଡ, ବେକ ଏବଂ ଥୋଡିରେ ଗଭୀର ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଉଦ୍ଧାର କରି ପାଟଣାଗଡ ଡାକ୍ତରଖାନାକୁ ଆଣିଥିଲେ । ଏଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଲରମ୍ଭା ଥାନାରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କେଉଁ କାରଣରୁ ଅଭିଯୁକ୍ତ ଆକ୍ରମଣ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଅନ୍ୟ ପକ୍ଷରେ ପୂର୍ବ ଶତୃତାରୁ ଏଭଳି ଘଟଣା ଘଟି ଥାଇପାରେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗତ ୮ ବର୍ଷ ତଳେ ଏକ ଘଟଣାରେ ଅଭିଯୁକ୍ତ ଭକ୍ତ ନାଏକଙ୍କ ଏତଲା କ୍ରମେ ଔଷଧ ପ୍ରଧାନ ଜେଲ ଯାଇଥିବା ବେଳେ ଉକ୍ତ ଘଟଣ ଯୋଗୁଁ ହିଁ ଆଜିର ମରଣାନ୍ତକ ଆକ୍ରମଣ ହୋଇଥିବ ବୋଲି ଅନୁମାନ କରାଯାଉଛି । ଘଟଣା ବିଷୟରେ ଜାଣିବା ପରେ ଲରମ୍ଭା ପୋଲିସ ଥାନା କେଶ ନଂ. ୧୪୮ ଦଫା ୩୦୭ରେ ଏକ ମାମଲା ରୁଜୁ କରି ତୁରନ୍ତ ତମିଆଁ ଗ୍ରାମରେ ଚଢାଉ କରି ଅଭିଯୁକ୍ତ ଭକ୍ତ ନାଏକକୁ ଅଟକ ରଖିଥିବା ଲରମ୍ଭା ଥାନାଧିକାରୀ ବିନୋଦ ବିହାରୀ ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.