କୁସମେଲ ଆଇଟିଆଇ ଛାତ୍ର ମୃତ୍ୟୁ ଘଟଣା : ପୁତ୍ରର ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୮ ମଇରେ ସ୍ଥାନୀୟ କୁସମେଲ ପୋଖରୀରେ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାଟି ଅପମୃତ୍ୟୁ ହୋଇଥାଇ ପାରେ ବୋଲି କହିଥିଲା । କିନ୍ତୁ ଆଜି ମୃତକଙ୍କ ପରିବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏହା ଅପମୃତ୍ୟୁ ନୁହଁ, ବରଂ ଆମ ପୁଅକୁ ହତ୍ୟା କରାଯାଇିଛି । ପ୍ରଥମ ଦିନରୁ ହିଁ ଏ ବିଷୟରେ ପରିବାର ଲିଖିତ ଅଭିଯୋଗ କରିବା ସତ୍ୱେ ପୋଲିସ ତଦନ୍ତ ପ୍ରକ୍ରିୟାରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ଘଟଣାକୁ ଚାପି ଦେବା ଉଦ୍ୟମ କରୁଛି ବୋଲି ମୃତକଙ୍କ ବାପା ସନାତନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ସାମ୍ବାଦିକମାନଙ୍କୁ ସେ ଆହୁରି କହିଛନ୍ତି ଯେ, ଗ୍ରାମର ପ୍ରଦୀପ ସେଠ ନାମକ ବ୍ୟକ୍ତିଙ୍କ ଝିଅ ସହିତ ମୃତ ଦୀପୁନ ସେଠଙ୍କ ପ୍ରେମ ସଂପର୍କ ଥିଲା । ଏହି ସଂପର୍କ ବିଷୟରେ ପ୍ରଦୀପ ଜାଣିବା ପରେ ସେ ଦୀପୁନଙ୍କୁ ମାରିଦେବା ଧମକ ଦେଇଥିଲେ । ଆହୁରି ଦୀପୁନ ଗାଁ ପୋଖରୀରେ ମୃତ ଅବସ୍ଥାରେ ପଡିଥିବା ବେଳେ ତାଙ୍କ ମୁହଁ କଳା ପଡିଯାଇଥିବା ସହ ଛାତିରେ କ୍ଷତ ରହିଥିଲା । ଯାହା ତାଙ୍କୁ ନିର୍ଯ୍ୟାତନା ଦେବା ପରେ ତଣ୍ଟି ଚିପି ଦିଆଯାଇଥିବା ସ୍ପଷ୍ଟ କରୁଛି । ତେଣୁ ଆମ ପୁଅ ପୋଖରୀରେ ବୁଡି କିମ୍ବା ଆତ୍ମହତ୍ୟା କରିନାହିଁ । ପୂର୍ବ ଧମକ ମୁତାବକ ପ୍ରଦୀପ ସେଠ ତାକୁ ହତ୍ୟା କରିଛି ବୋଲି ଅଭିଯୋଗ କରିଛନ୍ତି । ତା’ସହ ଦୀପୁନଙ୍କ ମୋବାଇଲରୁ ମିଳିଥିବା ଦୀପୁନ ଓ ତାଙ୍କ ପ୍ରେମିକାଙ୍କ ଅନ୍ତରଙ୍ଗ ଫଟୋ ଏହା ସ୍ପଷ୍ଟ କରୁଛି ବୋଲି କହିଛନ୍ତି । ତେବେ ଫାଣ୍ଡି ଓ ସଦର ଥାନା ଅଧିକାରୀଙ୍କ ଅପାରଗତା ଉପରେ ସେମାନେ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକଙ୍କୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.