ସମସ୍ୟା ଜର୍ଜରିତ ବଲାଙ୍ଗିର ସହର : ସହରର ନବ ନିର୍ମାଣ ପାଇଁ ଅଭିନବ ପ୍ରସ୍ତାବ ସମୁହ ଆଗତ କଲା ପୁରୁଖା କଂଗ୍ରେସ ସାମୁଖ୍ୟ

  • ସମାଧାନର ପ୍ରତିଶ୍ରୁତି ଦେଲେ ପୌରାଧ୍ୟକ୍ଷା ଓ ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ମୌଳିକ ସମସ୍ୟାର ସମାଧାନ ଏବଂ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରସ୍ତୁତି ନିମନ୍ତେ ପୌର କର୍ତ୍ତୃପକ୍ଷଙ୍କ ସହିତ ଏକ ସ୍ୱତନ୍ତ୍ର ବରାଦି ବୈଠକରେ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଆଗତ କରାଗଲା ଅନେକ ଅଭିନବ ପ୍ରସ୍ତାବ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ପୌର ପରିଷଦ ସଭାଗୃହରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷ ଗାୟତ୍ରୀ ଭୋଇ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦାନ କରିଥିଲେ । ଏହି ଅବସରରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଏବଂ ଉପାଧ୍ୟକ୍ଷା ସୁଶ୍ରୀ ଭୋଇଙ୍କୁ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ପରେ ସହରର ରାସ୍ତାଘାଟ ନିର୍ମାଣ, ଡ୍ରେନେଜ ସମସ୍ୟା, ସଫେଇ ଓ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଆଲୋକ ବ୍ୟବସ୍ଥାରେ ସୁଧାର ସହିତ ଅଧିକ ମାନବ ସମ୍ବଳ ଉପଯୋଗ ପୂର୍ବକ ପ୍ରଭାବଶାଳୀ କରିବା ଉପରେ ଆଲୋକପାତ କରାଯାଇଥିଲା । ଏତଦ୍‌ ବ୍ୟତିତ ପୌରପାଳିକାର ସମସ୍ତ ରାସ୍ତା ତଥା ଭୂସଂପତ୍ତିର ସୁରକ୍ଷା, ଭବିଷ୍ୟତରେ ସିମେଣ୍ଟ କଂକ୍ରିଟ ରାସ୍ତା ପରିବର୍ତ୍ତେ ସହରର ବିଭିନ୍ନ ପଡାରେ ପେଭର ବ୍ଲକ ରାସ୍ତା ସହିତ ଜଳ ନିଷ୍କାସିତ ହୋଇପାରୁଥିବା ଭଳି ଡ୍ରେନ ନିର୍ମାଣ, ଠପ୍‌ ହୋଇଯାଇଥିବା ଆମ୍ବୁଲାନ୍ସ ସେବା ପୁନଃ ଆରମ୍ଭ ସହିତ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଯାନର ବ୍ୟବସ୍ଥା, ମଶା ଉପଦ୍ରବ ଓ ମଶା ବଂଶ ନିପାତ ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସହଭାଗିତାରେ ମଶା ତେଲ ସିଞ୍ଚନ ଓ ମଶାଧୂଆ ପ୍ରୟୋଗ, ଟାଉନ ବସ ସେବା ସହିତ ମହିଳାମାନଙ୍କ ସୁରକ୍ଷିତ ଯାତାୟତ ନିମନ୍ତେ ପିଙ୍କ ଅଟୋ ସେବାର ଆରମ୍ଭ, ଏକମାତ୍ର ଟାଉନ ହଲର ଆଧୁନିକରଣ ସହିତ ପୁନରୁଦ୍ଧାର, ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ନିମନ୍ତେ ଏକ ପ୍ରତୀକ୍ଷାଳୟ ନିର୍ମାଣ, ସଂକୀର୍ଣ୍ଣ ଗଳି ରାସ୍ତାରେ ପ୍ରବେଶ କରିପାରୁଥିବା ଛୋଟ ପାଇଖାନା ଟାଙ୍କି ସଫା ଯାନର ବ୍ୟବସ୍ଥା, ଟିକ୍ରାପଡା ପାର୍କିଂ ସ୍ଥଳରେ ଭେଣ୍ଡିଂ ଜୋନ ନିର୍ମାଣ ସହିତ ଉଚ୍ଛେଦ ହୋଇଥିବା କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ, ନିୟମିତ ବ୍ୟବଧାନରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ବାହ୍ୟ ପରିବେଶର ସଫେଇ ସହିତ ବିଶୋଧନ, ଖାଦ୍ୟ ସୁରକ୍ଷା ଏବଂ ଜାଗା ମିଶନ ଯୋଜନାରୁ ବାଦ ପଡିଥିବା ହିତାଧିକାରୀମାନଙ୍କୁ ଚିହ୍ନଟ ସହିତ ତାଲିକାଭୁକ୍ତ କରାଯିବା, ସହରର ଚତୁପାଶ୍ୱର୍ରେ ବୃକ୍ଷରୋପଣ ପୂର୍ବକ ଏକ ସବୁଜ ବଳୟ ସୃଷ୍ଟି କରିବା, ସ୍ଥାନୀୟ କଲେଜ ଛକ ଅଂଚଳରେ ଏକ ପରିବା ଓ ମାଛ ମାଂସ ବଜାର ସ୍ଥାପନ, ସହରର ପ୍ରମୁଖ ସ୍ଥାନ ଗୁଡିକରେ ଶିତଳ ପାନୀୟ ଜଳ ଉପଲବ୍ଧ କରାଯିବା ପରି କିଛି ଅଭିନବ ପ୍ରସ୍ତାବ ଆଗତ କରାଯାଇ ବିସ୍ତୃତ ଆଲୋଚନା କରାଯାଇଥିଲା । ସମସ୍ତ ପ୍ରସ୍ତାବକୁ ସ୍ୱାଗତ କରାଯିବା ସହିତ ଭବିଷ୍ୟତରେ ପୌର ପରିଷଦ ବୈଠକରେ ଏହି ସମସ୍ତ ଉପାଦେୟ ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା କରାଯାଇ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୀପ ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏହି ସୌହାର୍ଦ୍ଦପୂର୍ଣ୍ଣ ବୈଠକରେ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୂଖ୍ୟ ପକ୍ଷରୁ ପୂର୍ବର୍ତନ ନଗର ସଭାପତି ଅଶୋକ ତ୍ରିପାଠି, ସୁଦାମ ସାହୁ, ପୂର୍ବତନ କାଉନସିଲର ଭଂଜ କିଶୋର ନାଗ, ରଙ୍କଧର ମଲ୍ଲିକ, ନିଥନିଏଲ ଛତ୍ରିିଆ, ପ୍ରବୀନ କୁମାର ପାଣ୍ଡେ, ଅଖଣ୍ଡ ସେଠ୍‌, ବରିଷ୍ଠ କଂଗ୍ରେସ ନେତା ଭୁବନେଶ୍ୱର ସେଠ, ସମୀର କୁମାର ସାହାଣୀ, ଗୌର ଚନ୍ଦ୍ର ପୁରୋହିତ, ଡା. ପ୍ରଭାତ କୁମାର ଗୁରୁ, ଶୁଶିଲ ବେହେରା, ସୁରେନ୍ଦ୍ର ସାହୁ, ଗ୍ଲାଡଷ୍ଟୋନ ତାଣ୍ଡି, ସଂଜୟ କୁମାର ଦୋରା, ବାଳମୁକୁନ୍ଦ ମାଝି, ହାଡୁ ଜେନା, ବିଜୟ କୁମାର ତାଣ୍ଡି, ପୂର୍ବତନ ପିସିସି ସଭ୍ୟ ଅସୀମ ପଟ୍ଟନାୟକ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ଓ ଏ ଦିଗରେ ବଲାଙ୍ଗିରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।

Leave A Reply

Your email address will not be published.