କିଷାନ କଂଗ୍ରେସ ତରଫରୁ ଅକ୍ଷୟ ତୃତୀୟା ପାଳନ : ଧାନ ବୁଣି ଅକ୍ଷୀମୁଠି ଅନୁକୂଳ କଲେ ନରସିଂହ

  • ଚାଷୀଙ୍କୁ ଅମଳର ଉଚିତ୍‌ ମୂଲ୍ୟ ଦେଉ ସରକାର : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଷାନ କଂଗ୍ରେସ ତରଫରୁ ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି । ଆଜି ଅକ୍ଷୟ ତୃତୀୟା । ଚାଷରେ ପାଉଥିବା ଲାଭର ହିସାବ କିତାବର ଦିନ । ଯେଉଁ ଚାଷୀ ଅଧିକ ଲାଭ ପାଇଥାଏ ତା’ ହାତରେ ଆଜି ଜମିରେ ଧାନବୁଣା ହୋଇ ପରମ୍ପରାଗତ ଭାବରେ ଅକ୍ଷୀମୁଠି ଅନୁକୂଳ କରାଯାଇଥାଏ କିନ୍ତୁ ବାସ୍ତବରେ ଆଜିକାଲି ଆଉ ଚାଷୀ ଲାଭ ପାଇବାରର ଦୂରର କଥା ସେ ଅମଳ ପାଇଁ ଖର୍ଚ୍ଚ କରୁଥିବା ଅର୍ଥ ମଧ୍ୟ ଫେରି ପାଉନାହିଁ । ତେଣୁ ସରକାର ଚାଷୀମାନଙ୍କୁ କେତେବେଳେ ୨ ହଜାର କେତେ ବେଳେ ୪ ହଜାର ଟଙ୍କା ଦେଇ ସାମୟିକ ଭାବରେ ଖୁସି ନ କରି ଚାଷୀକୁ ଯଦି ତା ଅମଳ ପ୍ରକୃତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରେ ତେବେ ଯାଇ ଚାଷୀ ଖୁସିରେ ରହିବ ବୋଲି ଆଜି ଜିଲ୍ଲା କିଷାନ କଂଗ୍ରେସ ବଲାଙ୍ଗିର ତରଫରୁ ଆୟୋଜିତ ଅକ୍ଷୟ ତୃତୀୟା ଉତ୍ôସବ ପାଳନ ଅବସରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକ ସ୍ଥିତ ଚିକଲବାହାଲ ଗ୍ରାମ ପଂଚାୟତର ଫଟକରା ଗାଁରେ ଅକ୍ଷୀମୁଠି ଅନୁକୂଳ କରି ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି । କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଏବଂ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ ବେହେରା, ରାଜ୍ୟ କିଷାନ କଂଗ୍ରେସ ସଂପାଦକ ସରୋଜ ରଥ ପ୍ରମୁଖ ଜମିରେ ଧାନବୁଣି ଅକ୍ଷୀମୁଠି ଅନୁକୂଳ କରିଥିଲେ । ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ କୃତି ଚାଷୀମାନଙ୍କୁ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ମାନପତ୍ର ଉପଢୌକନ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସରକାର ଯଦି ପ୍ରକୃତରେ ଚାଷୀଙ୍କ ହିତ ଚାହୁଛି ତେବେ ଚାଷୀଙ୍କୁ ସାମୟିକ ଭାବେ କିଛି ଟଙ୍କା ନ ଦେଇ ସ୍ୱାମିନାଥନ କମିଟି ଆଧାରରେ ଚାଷୀଙ୍କୁ ତାଙ୍କ ଅମଳର ପ୍ରକୃତ ମୂଲ୍ୟ ଦେଉ । ତାହା ହେଲେ ହିଁ ଚାଷୀ ଖୁସିରେ ରହିବ । ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବେହେରା କହିଥିଲେ ଯେ ଆଜି ଅକ୍ଷୀମୁଠି ଅନୁକୂଳ ହେଲା । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ବିହନ ଓ ସାର ଯୋଗେଇବେ ନା ନାହିଁ କିଛି ସ୍ପଷ୍ଟ ହୋଇନାହିଁ । ତେଣୁ ଆଜି ଭଳି ଦିନରେ ଆମେ ଦାବୀ କରୁଛୁଁ ଯଥାଶୀଘ୍ର ଚାଷୀଙ୍କୁ ଚାଷକାମ ଆରମ୍ଭ ପୂର୍ବରୁ ବିହନ, ସାର ତଥା ଅନ୍ୟାନ୍ୟ ବୈଷୟିକ ସହଯୋଗ ସରକାର ଯୋଗାନ୍ତୁ ନ ହେଲେ ଚାଷୀ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବ । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀଧର ବାରିକ, ନାରୀନେତ୍ରୀ ନିଳେଦ୍ରି ସେଠ, ଜୁଲୁ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ଲୋକନାଥ କୁମୁରା, ଭରତ ଭୋଇ, ସୁରେନ୍ଦ୍ର ବିଶ୍ୱାଲ, ଲମ୍ବୋଦର ମହାକୁର, ଲଳିତ ପଟେଲ, ଗୋପାଳ ପାଣ୍ଡିଆ, ଯୁଗେଶ୍ୱର ପୁଟେଲ, ରଘୁମଣି ପ୍ରଧାନ, କୁବେର ସାହୁ, ଡୋଳାମଣି ସେଠ ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକ କିଶାନ କଂଗ୍ରେସ ସଭାପତି ଗଗନ ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.