ଉଦ୍‌ଯାପିତ ହେଲା ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଏପ୍ରିଲ ୨୯ ତାରିଖରୁ ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ଅଶୋକ ଖେଳ ପଡିଆରେ ଆୟୋଜିତ ଦ୍ବିତୀୟ ପଦ୍ମପୁର ଲୋକ ମହୋତ୍ସବ ୧ ତାରିଖ ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । କେଶ ରଞ୍ଜନ ପ୍ରଧାନ ଓ ଅଶୋକ କୁମାର ବହିଦାରଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ଟାଉନ କ୍ଲବର ଅଧ୍ୟକ୍ଷ ଶିରିଷ କୁମାର ବହିଦାର ଅଧ୍ୟକ୍ଷତା କରିଥିବା ବେଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ତା, ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ଟଙ୍କଧର ତ୍ରିପାଠୀ, କାଳିନ୍ଦୀ ସାମଲ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ବିଜେପି ମୁଖପାତ୍ର ଠାକୁର ରଣଜିତ ଦାଶ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ମା’ ସମଲେଇ ଓ ମାର୍ଜାର କେଶରୀଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରିଥିଲେ । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଂପାଦକ ପ୍ରିତେଶ ବହିଦାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହୋତ୍ସବର ଆବାହକ ଅଶୋକ କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ । ଟାଉନ କ୍ଲବ ତରଫରୁ ଆୟୋଜିତ ଲୋକ ମହୋତ୍ସବର ଭବ୍ୟ ଆୟୋଜନ ଜାତୀୟ ସ୍ତରର ସାଂସ୍କୃତିକ ବାର୍ତ୍ତା ବହନ କରୁଛି ବୋଲି ଅତିଥି ଗଣ ଭାଷଣ ପ୍ରସଙ୍ଗରେ ମତ ବ୍ୟକ୍ତ କରିଥିଲେ । ଉଦ୍‌ଯାପନୀ ସନ୍ଧ୍ୟାରେ ରବି ରତନ ସାହୁ, ସଚ୍ଚିଦାନନ୍ଦ ସାହୁ ଓ ଶିକ୍ଷକ ଏକାଦଶ ଅନୁଷ୍ଠାନକୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଙ୍ଗୀତ ସମିତିର ସଙ୍ଗୀତ ପରିଚାଳନାରେ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କୁନାଲ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚରେ ଟାଉନ କ୍ଲବ ଉପ ସଭାପତି ଲାଲ ବିହାରୀ ମିଶ୍ର, ସଂପାଦକ ପ୍ରତାପ ମିଶ୍ର ଓ କୋଷାଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ତର୍ପଣ ପ୍ରଧାନ ଓ ପଙ୍ଖୁଡି ଶର୍ମାଙ୍କ ସଂଯୋଜନାରେ ଆର୍ଯ୍ୟ ଆଦ୍ୟା ଶକ୍ତି ତ୍ରିପାଠୀଙ୍କ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣରୁ ଅନ୍ତିମ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଗୁଜୁରାଟର ଟ୍ରାଏବାଲ ଓ ଫୋକ ଏକାଡେମୀ ଓ ବରଗଡ କଳାଜୀବୀ ଅନୁଷ୍ଠାନର କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କର ମନ ମୋହି ନେଇଥିଲେ ।

Leave A Reply

Your email address will not be published.