ମଦନପୁରରେ ମା’ କାଳୀଙ୍କ ପୂଜାର୍ଚନା ସହ କାମନା ଦଣ୍ଡ ନୃତ୍ୟ ଉଦ୍‌ଯାପିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଦୈବୀ ପୀଠମାନଙ୍କରେ ମା’ଙ୍କ ଚୈତ୍ର ଯାତ୍ରା ସହ ମା’ କାଳୀଙ୍କର କାମନା ଦଣ୍ଡନୃତ୍ୟ ଅତି ଭକ୍ତି ଓ ନିଷ୍ଠାର ସହ ପାଳିତ ହୋଇଥିଲା । ସେହିପରି ମଦନପୁର-ରାମପୁର ବ୍ଲକର ମଦନପୁର ଗ୍ରାମରେ ମା’ କାଳୀଙ୍କ କାମନା ଦଣ୍ଡ ନୃତ୍ୟ ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ତୃତୀୟ ଦଳ ଦଣ୍ଡୁଆମାନଙ୍କର ୧୩ ବର୍ଷ ପୂରଣ ହୋଇଛି । ଯାହା ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୬ ମସିହାରେ ମଦନପୁର ଗ୍ରାମରେ ପ୍ରଥମେ ଏହି ଦଣ୍ଡନୃତ୍ୟ ଆରମ୍ଭ ହୋଇଥିଲା । ଏହି ଦଣ୍ଡୁଆଦଳ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନବେଳା ଧୂଳି ଦଣ୍ଡ, ବନ ଦଣ୍ଡ, ଅଗ୍ନୀ ଦଣ୍ଡ ଖେଳ କରୁଥିବା ବେଳେ ରାତ୍ରିରେ ଶିବ ପାର୍ବତୀଙ୍କ ଛାମୁଯାତ୍ରାର ନୃତ୍ୟ ପରିବେଷଣ କରୁଥିଲେ । ମଧ୍ୟାହ୍ନରେ ଦଣ୍ଡୁଆମାନେ ଖରାରେ ଶୋଇବା, କଣ୍ଟାରେ ଚାଲିବା, ଅଗ୍ନୀ ଖେଳ କରିବା ଆଦି କଷ୍ଟକର କାର୍ଯ୍ୟ କରୁଥିବାର ଦେଖାଯାଏ । ଏହି ଦଣ୍ଡୁଆମାନଙ୍କର ଚଳିତ ବର୍ଷ ୧୩ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୨୫ ତାରିଖରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏହି ଅନୁଷ୍ଠାନର ସଭାପତି ରାଜେଶ ଧଙ୍ଗଡାମାଝୀ ଓ ସମ୍ପାଦକ ହରିଶ୍ଚନ୍ଦ୍ର ବଗର୍ତ୍ତୀ ଦାୟିତ୍ଵ ତୁଳାଉଛନ୍ତି । କାମନା ଦଣ୍ଡର ମୁଖ୍ୟ ସାଧୁ ବଗର୍ତ୍ତୀ, ଦେହୁରୀ ସଦାନନ୍ଦ ବଗର୍ତ୍ତୀ, ନାଟ୍ୟ ପରିଚାଳନା ନକୁଳ ଦଣ୍ଡିଆ ଓ ପୃଥିରାଜ ବାଣୁଆ କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ଅନୁଷ୍ଠାନର ପ୍ରେମାନନ୍ଦ ମାଝୀ, ପ୍ରତାପ ଧଙ୍ଗଡାମାଝୀ, ରଘୁନାଥ ବଗର୍ତ୍ତୀ, ରାଧେ ଧଙ୍ଗଡାମାଝୀ, ଶତୃଘନ ଭୋଇ, ସୁରେଶ ଦଣ୍ଡିଆ, ଜଗନ୍ନାଥ ଦଣ୍ଡିଆ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଏଥିରେ ଗ୍ରାମବାସୀ ବିରାଟ ମୁଣ୍ଡଛିନା, ରାଜେନ୍ଦ୍ର ରଣା, ସହଦେବ ପାଢ଼ୀ, ଯୁଧିଷ୍ଟିର ସିଂ, ପୀତବାସ ରଣା, ଭୀମସେନ ଧଙ୍ଗଡା ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!