ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀରେ ରହିଲେ ଦୁଇ ମହିଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୃହତ୍ତମ ଗଞ୍ଜାମ ଜିଲ୍ଲା ପରିଷଦରେ ଜିଲ୍ଲା ପରିଷଦ ସଦସ୍ୟ ସଂଖ୍ୟା ୬୯ ପଦବୀ ରହିଥିବା ବେଳେ ଏହି ପରିଷଦରେ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ପଦବୀରେ ମହିଳା ନେତ୍ରୀଙ୍କୁ ପଦବୀଭୁକ୍ତ ହେବା ଅବା ଆସନ ଅଳଙ୍କୃତ ହେବା ନୂଆଁ ନୁହଁ । ବହୁ ବର୍ଷ ଧରି ଜିଲ୍ଲାପରିଷଦ ଭାଙ୍ଗି ଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଘୋଷଣା କ୍ରମେ ସନ୍ ୨୦୦୦ ମସିହାରେ ପୁନଃ ଜିଲ୍ଲା ପରିଷଦ ଗଠନ ହୋଇଥିଲା । ତତ୍କାଳୀନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରେଣୁବାଳା ପ୍ରଧାନ ଏବଂ ଉପାଧ୍ୟକ୍ଷା ପଦବୀରେ ଧରାକୋଟ ରାଜା ଅନନ୍ତ ନାରାୟଣ ସିଂଦେଓଙ୍କ ସହଧର୍ମିଣୀ ଶ୍ରୀମତୀ ଶାନ୍ତି ଦେବୀ ଉକ୍ତ ଆସନ ଅଳଙ୍କୃତ କରିଥିଲେ । ତତ୍କାଳୀନ ସମୟରେ ବେଶ ଭଲ ଭାବେ ଜିଲ୍ଲା ପରିଷଦ ପରିଚାଳିତ ହୋଇ ଗଞ୍ଜାମ ଜିଲ୍ଲାର ବହୁବିଧ ଉନ୍ନତି ହୋଇଥିଲା । ଜିଲ୍ଲାର ଉନ୍ନୟନ ପ୍ରକଳ୍ପର ମାନ ମଧ୍ୟ ବୃଦ୍ଧି ପାଇଥିଲା । ଗଞ୍ଜାମ ଜିଲ୍ଲାର ବହୁ ନେତ୍ତୃମଣ୍ଡଳୀ ରାଜ୍ୟ ଓ ଦେଶସ୍ତରରେ ସୁନାମ ବଜାୟ ରକ୍ଷା କରି ଆସିଥିବା ବେଳେ ଜିଲ୍ଲାରେ ନାରୀନେତ୍ରୀ ମାନଙ୍କର ଭୂମିକା ମଧ୍ୟ ବହୁ ଗୁଣରେ ସୁନାମ ଓ ପ୍ରତିଷ୍ଠା ବଜାୟ ରହି ଆସିଛି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଧରାକୋଟ ବ୍ଲକ ଅନ୍ତର୍ଗତ ୩୧ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ଗତ ୧୩ ମାର୍ଚ୍ଚରେ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ପଦବୀରେ ଆଉ ଜଣେ ନାରୀ ନେତ୍ରୀଙ୍କୁ ମନୋନୀତ କରିଛନ୍ତି । ଗୋପାଳପୁର ନିର୍ବାଚମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ୫୩ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟା ଏସ୍. ରାଜେଶ୍ୱରୀ ଦୋରା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ପଦବୀରେ ଶୁକ୍ରବାର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲାର ନାରୀ ନେତ୍ରୀଙ୍କୁ ପ୍ରଧାନ୍ୟତା ଦେଇଥିବା ହେତୁ ଜିଲ୍ଲାର ପୁନଃ ପୂର୍ବ ଗୌରବ ଓ ଗାରିମାକୁ ବଜାୟ ରଖିବ ଏଥିରେ କୌଣସି ସନ୍ଦେହ ନାହିଁ । ଜିଲ୍ଲାର ବହୁବିଧ ଉନ୍ନତି ଦିଗରେ ସଫଳ ହେବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.