oom

ଶ୍ୟାମସୁନ୍ଦର ପାଠାଗାର ପକ୍ଷରୁ କବିତା ପାଠୋତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାର ପରିସରରେ ରଙ୍ଗର ପର୍ବ ହୋଲି ଉତ୍ସବ ପାଳନ ଅବସରରେ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରବଚକ ଶରତ କୁମାର ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଧାନଶିକ୍ଷକ ତଥା କବି ଦିଗମ୍ବର ରଥ, ପ୍ରଭାତ କୁମାର ସେଠୀ, ବ୍ୟଙ୍ଗକବି ଚନ୍ଦ୍ରଶେଖର, ଗଣେଶ ପ୍ରସାଦ ବାରିକ, ପାଲାଗାୟକ ଦେବୀ ପ୍ରସାଦ ଦାସ, ସରୋଜ କୁମାର ପ୍ରଧାନ, କବି ରୋହିତ କୁମାର ଚମ୍ପତ୍ତି, କବୟିତ୍ରୀ ପାର୍ବତୀ ମହାପାତ୍ର, ଜ୍ୟୋତ୍ସନାରାଣୀ ସ୍ବାଇଁ, ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ପ୍ରମୁଖ ଯୋଗଦେଇ ଭାଇଚାରା ଏବଂ ଉତ୍ସାହ ଓ ଉଲ୍ଲାସର ପର୍ବ ହୋଲି ଉତ୍ସବ ପାଳନ ପ୍ରଚ୍ଛଦପଟ୍ଟରେ ଥିବା ପୌରାଣିକ ମତବାଦ, ଆଧ୍ୟାତ୍ମିକ ଭାବନା, ସାମାଜିକ ଓ ବିଜ୍ଞାନଭିତ୍ତିକ କାରଣ ଓ ଏହାର ସକାରାତ୍ମକ ଦିଗ ତଥା ଏହି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସେହିପରି ତୁଳନାତ୍ମକ ଭାବେ ସାମ୍ପ୍ରତିକ ସାମାଜକୁ ଲକ୍ଷ୍ୟ କରି ଉପସ୍ଥିତ କବି ଓ କବୟିତ୍ରୀମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ଅନୁଷ୍ଠାନର ମୁଖ୍ୟ ପୁରୋଧା ସାହିତ୍ୟିକ ତଥା ସମାଜସେବୀ କାଶୀନାଥ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସମସ୍ତଙ୍କୁ ହୋଲି ଉତ୍ସବର ଅଭିନନ୍ଦନ ଜଣାଇଥିଲେ । କବି ଓ କବୟିତ୍ରୀମାନେ ସମୟୋପଯୋଗୀ ତଥା ଗୁଣାତ୍ମକ କବିତା ମାଧ୍ୟମରେ ସମାଜର ପରିବର୍ତ୍ତନ ଦିଗରେ ପ୍ରୟାସ ଜାରି ରଖିବାକୁ ଶ୍ରୀ ମହାପାତ୍ର ସମସ୍ତଙ୍କୁ ନିବେଦନ କରିଥିଲେ । ପ୍ରାରମ୍ଭରେ ଦିବଂଗତ କବି ଲକ୍ଷ୍ମୀଧର ଦଳେଇଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଚନ୍ଦନ ଚର୍ଚ୍ଚିତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.