jayashree

ଓଡ଼ିଶା ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ପ୍ରସ୍ତୁତି ବୈଠକ

  • ଚଳିତ ବର୍ଷ ମାନସିକଧାରୀ ଭକ୍ତଗଣ ମୁଣ୍ଡନ କରିପାରିବେ
  • ବିନା ମାସ୍କରେ ପ୍ରବେଶ କରିବାକୁ ଦିଆଯିବ ନାହିଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟରେ ଅବସ୍ଥାପିତ ତଥା ବ୍ରହ୍ମପୁର ସହରରୁ ୩୫କିମି ଦୂର ଏବଂ ଗଞ୍ଜାମଜିଲ୍ଲା ମହକୁମା ଛତ୍ରପୁର ଠାରୁ ୨୫ କିମି ଦୂରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ବିଶ୍ୱବନ୍ଦନୀୟ ମା’ ତାରାତାରିଣୀଙ୍କ ପୀଠରେ ଚଳିତ ବର୍ଷ ଚୈତ୍ରପର୍ବ ମହାସାମାରୋହରେ ପାଳିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି । ସ୍ୱାଭାବିକ ଭାବେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପୂର୍ଵଭଳି ବିଧିବଦ୍ଧ ଭାବେ ପାଳନ ହେବା ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ତଥା ରାଜ୍ୟବାସୀଙ୍କ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଚଳିତ ମାସ ୨୨,୨୯ ଏବଂ ଏପ୍ରିଲ ମାସ ୫ ଏବଂ ୧୨ ତାରିଖ ଦିନ ପାଳିତ ହେବାକୁ ଥିବା ଚୈତ୍ର ପର୍ବପାଳନ ନିମନ୍ତେ ପ୍ରସ୍ତୁତି ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ହୋଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସମସ୍ତ ପ୍ରକାର ଆୟୋଜନ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରିବାକୁ ଆଲୋଚନା ହୋଇଛି । ଚଳିତ ବର୍ଷ ଅଧିକ ଜନ ଗହଳି ହେବା ସମ୍ଭାବନା ରହିଥିବା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ଉପରେ ଆଲୋଚନା ହୋଇଛି । ଭକ୍ତଗଣ ପାହାଚ ଚଢିବା ରାସ୍ତା, ରୋପ୍-ଓ୍ବେ ମାଧ୍ୟମରେ ଏବଂ ଘାଟି ରାସ୍ତାରେ ବସ୍ ଯୋଗେ ମନ୍ଦିର ନିକଟକୁ ଯାଇ ମା’ଙ୍କର ଦର୍ଶନ କରିପାରିବେ ବୋଲି କୁହାଯାଇଛି । ଜିଲ୍ଲାରେ ସମ୍ପ୍ରତି କୋଭିଡ୍ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କରେ ରହୁଥିବା ହେତୁ ମା’ଙ୍କର ଦର୍ଶନ ସକାଶେ ସମସ୍ତେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ମନ୍ଦିର ମଧ୍ୟକୁ ବିନା ମାସ୍କରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ମନ୍ଦିର ନିକଟରେ କୌଣସି ପୂଜା ସାମଗ୍ରୀ ବିକ୍ରିବଟା ହେବ ନାହିଁ । ମନ୍ଦିରର ପାଦଦେଶ ବା ପାହାଡ ତଳେ ନିର୍ଦ୍ଧିରୀତ ସ୍ଥଳରେ ପୂଜାସାମଗ୍ରୀ ବିକ୍ରିବଟା କରିବାକୁ ଅନୁମତି ଦିଆଯିବ । ମନ୍ଦିର ପାଦଦେଶରେ ଏବଂ ମନ୍ଦିର ନିକଟରେ ସ୍ବାସ୍ଥ୍ୟ ବିଭାଗଦଳ ଅସ୍ଥାୟୀ ଭାବେ ସେମାନଙ୍କର ସ୍ବାସ୍ଥ୍ୟସେବା ଯୋଗାଇବେ । ଆଇନ୍ ଶୃଙ୍ଖଳା ପରିସ୍ଥିତି ସକାଶେ ପୋଲିସ ବାହିନୀ କାର୍ୟ୍ୟ ନିର୍ବାହ କରିବେ । ମନ୍ଦିର ଉପରକୁ କୌଣସି ଯାନବାହାନ ଯିବ ନାହିଁ । ଯାତ୍ରୀଗଣ ନିଜର ଯାନ ବାହାନ ପାର୍କିଂ ସ୍ଥଳରେ ରଖି ପାହାଡ ତଳେ ରଖାଯାଇଥିବା ବସ୍ ସେବା ଦ୍ବାରା ଟିକେଟ କାଟି ମନ୍ଦିରକ ଉପରକୁ ଯାଇ ଦର୍ଶନ କରିବେ । ସେବାୟତଙ୍କ ଯାତାୟତ ସକାଶେ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ବାହାରୁ ଆସୁଥିବା ଭିଭିଆଇପି. ଙ୍କ ଯାତାୟତ ଦିଗରେ ଉପଜିଲ୍ଲାପାଳ ଦାୟୀଚ୍ବ ନିର୍ବାହ କରିବେ । ଅସୁସ୍ଥ ଥିବା ବ୍ୟକ୍ତି, ବୟସ୍କ ବ୍ୟକ୍ତି କିମ୍ବା କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ସାଇନେଜ୍ ବୋର୍ଡ ଦ୍ବାରା ବିଭିନ୍ନ ସ୍ଥାନର ସୂଚନା ଦିଆଯିବ । ପାହାଚ ରାସ୍ତା, ପାର୍କିଂସ୍ଥଳ ଏବଂ ରାସ୍ତାରେ ପାନୀୟଜଳର ବ୍ୟବସ୍ଥା ଓ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ପରିସରରେ ଜରିର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଭକ୍ତ ମାନଙ୍କର ସୁବିଧା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ମନ୍ଦିର ନିକଟରେ ଏବଂ ପାଦ ଦେଶରେ ଅସ୍ଥାୟୀ ଶୌଚାଳୟ ଯାନର ବ୍ୟବସ୍ଥା କରାଯିବ । ମନ୍ଦିର ତରଫରୁ କାନିକା ଖେଚୁଡି ପ୍ରସାଦ ବିକ୍ରୀ ହେବ । ଭକ୍ତଗଣ ତାହା କିଣି ନିଜ ସାଥିରେ ନେବେ । ମନ୍ଦିର ଉପରିସ୍ଥ ସ୍ଥାନରେ ଖାଇବା ସମ୍ପୂର୍ଣ୍ଣ ମନା କରାଯାଇଛି । ଅସ୍ଥାୟୀ ସିସି ଟିଭି ସଂଯୋଗ ବ୍ୟବସ୍ଥା ହେବ । ଚଳିତ ବର୍ଷ ମାନସିକଧାରୀ ଭକ୍ତଗଣ ମୁଣ୍ଡନ କରିପାରିବେ । ଆଲୁଅ ବ୍ୟବସ୍ଥା, ମନ୍ଦିର ପରିସରରେ ଛାଇ ନିମନ୍ତେ ଛାଉଣୀ ବ୍ୟବସ୍ଥା, ସାଂସ୍କୃତିକ ଦଳ ମାନଙ୍କ ଦ୍ବାରା ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳା ପ୍ରଦର୍ଶିତ ହେବ । ଚଳିତ ବର୍ଷର ଚୈତ୍ର ପର୍ବରେ ଭକ୍ତ ଓ ଦର୍ଶକଗଣ ମା’ଙ୍କର ଦର୍ଶନ ଶାନ୍ତି ଶୃଙ୍ଖଳାର ସହିତ କରିପାରିବେ ସେଥି ସକାଶେ ଜିଲ୍ଲାପାଳ ଶ୍ରୀ କୁଲେଙ୍ଗେ ଆଶା ପ୍ରକଟ କରିଥିଲେ ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ, ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ନୀତିଶ୍ ତ୍ରିପାଠୀ, ଏସ୍.ଡି.ପି.ଓ ସୂର୍ଯ୍ୟମଣୀ ପ୍ରଧାନ, ଆଇଆଇସି ପ୍ରୀୟ ରଞ୍ଜନ ଛୋଟରାୟ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.କେ ରେଡ୍ଡୀ, ତାରାତାରିଣୀ ଉନ୍ନୟନ ପରିଷଦର ସଂପାଦକ ତଥା ଟ୍ରଷ୍ଟ ବୋର୍ଡର ସଭ୍ୟ ପ୍ରମୋଦ କୁମାର ପଣ୍ଡା, ସେବାୟତ ସନତ ରଣା, ତପନ କୁମାର ରଣା ଏବଂ ବାପୁଜୀ ରଣା ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.