ନାଗରିକଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ : ପ୍ରଧାନମନ୍ତ୍ରୀ

● ୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୧୨ରୁ ୧୪ ବର୍ଷ ବୟସର ସବୁ ପିଲା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ କୋଭିଡ ପ୍ରତିଷେଧକ ଟିକା ନେବାକୁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି ।
ଏକାଧିକ ଟୁଇଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି- ‘‘ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଏବେ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନେ ଟିକା ନେବାକୁ ଯୋଗ୍ୟ ହୋଇପାରିଛନ୍ତି । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ସବୁ ନାଗରିକ ଆଜି ଠାରୁ ବୁଷ୍ଟର ଡୋଜ୍ ନେଇପାରିବେ । ଏହି ବୟସ ବର୍ଗର ଲୋକମାନଙ୍କୁ ଟିକା ନେବା ପାଇଁ ମୁଁ ନିବେଦନ କରୁଛି ।’’
‘‘ସମଗ୍ର ବିଶ୍ୱ କଥା ଚିନ୍ତା କରିବା ଲାଗି ଭାରତର ପ୍ରାଚୀନ ନୀତି ଅନୁରୂପ, ଆମେ ଭାକ୍ସିନ ମୈତ୍ରୀ କାର୍ୟ୍ୟକ୍ରମ ଅଧୀନରେ ବିଭିନ୍ନ ରାଷ୍ଟ୍ରକୁ ଟିକା ପଠାଇଛୁ । ଭାରତର ଟିକାକରଣ ପ୍ରୟାସ କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିଥିବାରୁ ମୁଁ ଆନନ୍ଦିତ ।’’
‘‘ଆଜି, ଭାରତରେ, ଅନେକଗୁଡ଼ିଏ ‘ମେଡ୍ ଇନ୍ ଇଣ୍ଡିଆ’ ଟିକା ରହିଛି । ବିଧିବଦ୍ଧ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଆମେ ଅନ୍ୟ ଟିକାଗୁଡ଼ିକୁ ମଧ୍ୟ ମଞ୍ଜୁରି ଦେଇଛୁ । ଏହି ପ୍ରାଣଘାତୀ ମହାମାରୀ ବିରୋଧୀ ଲଢ଼େଇରେ ଆମେ ଅପେକ୍ଷାକୃତ ଅଧିକ ଉନ୍ନତ ସ୍ଥିତିରେ ରହିଛୁ । ତେବେ ଆମ ସମସ୍ତଙ୍କୁ କୋଭିଡ ସଂକ୍ରାନ୍ତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ହେବ ।’’

Leave A Reply

Your email address will not be published.