ଛତ୍ରପୁର ୧୨ ନମ୍ବର ୱାର୍ଡରେ ବିଜେପିର ଦମ୍‌ଦାର ପ୍ରଚାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବିଜେପି ଓ ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀଙ୍କ ପ୍ରଚାର ଘମାଘୋଟ ସଦୃଶ ହୋଇଛି । ରବିବାର ସନ୍ଧ୍ୟାରେ ରିକାପଲ୍ଲୀ ରେଡ୍ଡୀ ସାହି ଆଡ଼ପଘର ନିକଟରେ ଅସ୍ଥାୟୀ ବିଜେପି ଦଳୀୟ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ବିଜେପି ନେତା ବିଭୂତି ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଆନୁଷ୍ଠାନିକ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନହିତକର ଯୋଜନା, ଆବାସ ଯୋଜନା, ସ୍ମାର୍ଟସିଟି ଯୋଜନା, ସାଗରମାଳା-ତଟପରିବେଶ ପରିଯୋଜନା ଆଦି ଉପରେ ଆଲୋକପାତ କରାଇ ଭୋଟରଙ୍କୁ ପ୍ରଭାବିତ କରାଇଥିଲେ । ଛତ୍ରପୁର ବାର ଆସୋସିଏସନ୍‌ର ସଭାପତି ତଥା ଜିଲ୍ଲା ବିଜେପି ଲିଗାଲ ସେଲ୍ ଅଧ୍ୟକ୍ଷ ଆଇନଜୀବୀ ପ୍ରଦୀପ ପାଢ଼ୀ ଯୋଗଦେଇ ଛତ୍ରପୁର ଏନ୍‌ଏସିର ବହୁ ଅର୍ଥ ହରିଲୁଟ୍‌ ହେବା ଘଟଣା ବିଷୟରେ କହି ସରକାରଙ୍କ ବିଭିନ୍ନ ଯୋଜନାର ଆତ୍ମସାତ ହୋଇଥିବା କହିଛନ୍ତି । ଭାରତ ସରକାରଙ୍କ ବହୁ ଯୋଜନା ଲୋକେ ଉପଲବ୍ଧି ନ ହେବା ଏକ ଦୁର୍ଭାଗ୍ୟଜନକ ଯାହା ଆଞ୍ଚଳିକ ନେତାଙ୍କ ଦ୍ଵାରା ଲୋକେ ଶିକାର ହେବା ବିଷୟରେ କଟୁ ସମାଲୋଚନା କରି ବଖାଣିଥିଲେ । ନେତ୍ତୃବର୍ଗ ମାନେ ବିଜେପି ପ୍ରାର୍ଥିନୀଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଆହ୍ୱାନ କରିଥିଲେ । ବିଜେପି ରାଜ୍ୟ ସଦସ୍ୟ ପ୍ରଶାନ୍ତ କର, ନଗର ସଭାପତି ସଞ୍ଜିତ ରାଉଳ, ଜିଲ୍ଲା ଉପସଭାପତି ରାଜେଶ ସାହୁ, ସାହିର ବରିଷ୍ଠ ନାଗରିକ ସୀମାଦ୍ରୀ ଚୌଧୁରୀ, ଦୟାନିଧି ସାହୁ, ମନୋରଞ୍ଜନ ବେହେରା ପ୍ରମୁଖ ବିଜେପି ସପକ୍ଷରେ ପ୍ରଚାର ଅଭିଭାଷଣ ଦେଇଥିଲେ । ୧୨ ନମ୍ବର ୱାର୍ଡ ବିଜେପି ପ୍ରାର୍ଥିନୀ ଡ଼ି.କଲ୍ୟାଣି ରେଡ୍ଡୀଙ୍କ ସପକ୍ଷରେ ବହୁ ମହିଳା ନେତ୍ରୀ ଘର ଘର ବୁଲି ପ୍ରଚାର ଜୋର ସୋର ଚଳାଇଛନ୍ତି । ସେହିପରି ପୂର୍ବତନ କାଉନ୍ସିଲର ଟି.ଚନ୍ଦ୍ରଶେଖର ରାଓଙ୍କ ଧର୍ମପତ୍ନୀ ଟି.ଲଷ୍ମୀ ବିଜେଡି ପ୍ରାର୍ଥିନୀ ଭାବେ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି, ତାଙ୍କ ସହ ତୀବ୍ର ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସମାଜସେବୀ କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ଧର୍ମପତ୍ନୀ ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ ପ୍ରଚାର ମୈଦାନରେ ଲଢ଼େଇ ଜାରୀ ରଖିଛନ୍ତି । ଛତ୍ରପୁର ଅଞ୍ଚଳରେ ତେଲୁଗୁ ଭାଷାଭାଷୀଙ୍କ ପ୍ରାଧାନ୍ୟ ଜାହିର ରହିଥିବା ସ୍ଥଳେ ଏଠାରେ ପୂର୍ବରୁ ମଧ୍ୟ ତେଲୁଗୁ ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ଚେୟାରମ୍ୟାନ ଓ କାଉନ୍ସିଲର ପଦବୀରେ କ୍ଷମତାରେ ରହିଆସିବା ସ୍ବଭାବିକ ବିଷୟ ହୋଇଛି । ତେବେ ଚେୟାରମ୍ୟାନ ପ୍ରାର୍ଥିନୀ କିଏ ବିଜୟୀ ହେବେ ତାହା ସମୟ କହିବ । ଏହି ଦୁଇ ତେଲୁଗୁ ପ୍ରାର୍ଥିନୀଙ୍କ ମଧ୍ୟରେ ଜାରୀ ରହିଥିବା ପ୍ରଚାର ଲଢ଼େଇ ଏବେ ଘମାଘୋଟ ସଦୃଶ ହୋଇଥିବା ଦେଖାଦେଇଛି ।

Leave A Reply

Your email address will not be published.