
ଭୁବନେଶ୍ୱର, (କେପିଏନ୍ଏସ୍) : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପୌର ସଂସ୍ଥାଗୁଡ଼ିକର ସାଧାରଣ ନିର୍ବାଚନ ନିମନ୍ତେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ, ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନଙ୍କ ସହ ଭିଡ଼ି କନ୍ଫରେନ୍ସିଂ ମାଧ୍ୟମରେ ଏକ ବୈଠକ କରିଛନ୍ତି । ନିର୍ବାଚନ କମିଶନରଙ୍କ ସହ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍.କେ.ଶର୍ମା(ଆଇନ ଶୃଙ୍ଖଳା) ଉପସ୍ଥିତ ରହି ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ପୌର ନିର୍ବାଚନ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ନିର୍ବାଚନ ପୂର୍ବର ପ୍ରସ୍ତୁତି ଯଥା- କର୍ମଚାରୀମାନଙ୍କର ତାଲିମ୍, ନିର୍ବାଚନ ସାମଗ୍ରୀ ବିତରଣ, ବାଲାଟ୍ ପେପର୍ ପ୍ରସ୍ତୁତି, ଷ୍ଟ୍ରଙ୍ଗ୍ରୁମ୍ ସ୍ଥାପନ ଓ ମତଗଣନା ଇତ୍ୟାଦି କାର୍ୟ୍ୟଗୁଡ଼ିକ କିପରି ଭାବେ ସୁରୁଖୁରୁରେ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଭାବେ କମିଶନଙ୍କ ସଚିବ ରବିନ୍ଦ୍ରନାଥ ସାହୁ ଏବଂ ସ୍ୱତନ୍ତ୍ର ସଚିବ ରଘୁରାମ ଆର୍.ଆୟର ପାୱାର୍ ପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ବୈଠକରେ ଉପସ୍ଥିତ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ଅବଗତ କରାଇଥିଲେ । ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ କଡ଼ାକଡ଼ି ଭାବେ ଏହାକୁ ପାଳନ କରିବା ସହ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିମନ୍ତେ କମିଶନ ଗୁରୁତ୍ୱାରୋପ କରିଛନ୍ତି । ପୌର ନିର୍ବାଚନ ନିମନ୍ତେ ଦୁଇ ପ୍ରକାରର ବାଲାଟ୍ ପେପର୍ ଇଭିଏମ୍ରେ ରହିବ । କାଉନ୍ସିଲର୍ / କର୍ପୋରେଟର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପୀ ରଙ୍ଗର ବାଲାଟ୍ ପେପର୍ ଏବଂ ଅଧ୍ୟକ୍ଷ / ମେୟର୍ ପ୍ରାର୍ଥୀଙ୍କ ନିମନ୍ତେ ହଳଦିଆ ରଂଗର ବାଲାଟ୍ ପେପର୍ ନିର୍ବାଚନରେ ବ୍ୟବହାର କରାଯିବ । ପ୍ରତି ବୁଥ୍ରେ ଦୁଇଗୋଟି ଇଭିଏମ୍ ରହିବ । କାଉନ୍ସିଲର୍ / କର୍ପୋରେଟର ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ଏବଂ ଅଧ୍ୟକ୍ଷ / ମେୟର୍ ନିର୍ବାଚନ ପାଇଁ ଗୋଟିଏ ଇଭିଏମ୍ ରହିବ । ଭୋଟର୍ମାନେ ମତଦାନ କକ୍ଷ ମଧ୍ୟରେ ସହଜରେ ମତଦାନ କରିବା ପାଇଁ ଇଭିଏମ୍ କଣ୍ଟ୍ରୋଲ୍ ୟୁନିଟ୍ ଓ ବାଲାଟ୍ ୟୁନିଟ୍ ଉପରେ ଅଠାଥିବା ଷ୍ଟିକର୍ ଲଗାଯିବ । କାଉନ୍ସିଲର୍ / କର୍ପୋରେଟ୍ର ନିର୍ବାଚନ ପାଇଁ ଥିବା ଇଭିଏମ୍ର କଣ୍ଟ୍ରୋଲ୍ ୟୁନିଟ୍ ଓ ବାଲାଟ୍ ୟୁନିଟ୍ ଉପରେ ଗୋଲାପୀ ରଂଗର ଷ୍ଟିକର ଏବଂ ଅଧ୍ୟକ୍ଷ / ମେୟର୍ ନିର୍ବାଚନ ପାଇଁ ଥିବା ଇଭିଏମ୍ର କଣ୍ଟ୍ରୋଲ୍ ୟୁନିଟ୍ ଓ ବାଲାଟ୍ ୟୁନିଟ୍ ଉପରେ ହଳଦିଆ ରଂଗର ଷ୍ଟିକର ଲଗାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ / ପ୍ରାର୍ଥିନୀମାନଙ୍କ ନାମ ବାଲାଟ୍ ପେପର୍ରେ ଓଡ଼ିଆ ବର୍ଣ୍ଣମାଳାର କ୍ରମାନୁସାରେ ରହିବ । ପୌର ନିର୍ବାଚନ ବେଳେ ପ୍ରତ୍ୟେକ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରଙ୍ଗ୍ରୁମ୍ ପାଇଁ ୨୪ ଘଂଟିଆ କଡ଼ା ସୁରକ୍ଷା ସହ ସିସିଟିଭି, ଭୋଟଗଣତି ଓ ଫଳାଫଳ ଘୋଷଣା ବେଳେ ପୁଲିସ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିବା ସହ କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆର୍.କେ.ଶର୍ମା ସୂଚନା ଦେଇଛନ୍ତି । ଗତ ମାସରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକମାନେ ସଫଳତାର ସହ ଶେଷ କରିଥିବାରୁ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅଭିନନ୍ଦନ ସହ ଧନ୍ୟବାଦ ଜଣାଇଛନ୍ତି ।