ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ରାଟ ଅଶୋକଙ୍କ ଶିଳାଲିପିର ସ୍ୱାକ୍ଷର ବହନ କରୁଥିବା ଭଗ୍ନଦୁର୍ଗ ଗଞ୍ଜାମର ଜଉଗଡ଼ର ସ୍ମାରକୀ ସ୍ୱତନ୍ତ୍ର ଡାକ ଲଫାପା ଗତକାଲି ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କରକମଳରେ ଉନ୍ମୋଚିତ ହୋଇଛି ।
ପ୍ରକାଶ ଥାଉକି, ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ଭେ କ୍ରମେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହରଠାରୁ ୬ କିମି ଦୂର ପାଣ୍ଡିଆ ଗ୍ରାମ ନିକଟରେ ଐତିହାସିକ ଜଉଗଡ଼ ଅବସ୍ଥିତ । ସମ୍ରାଟ ଅଶୋକଙ୍କ ଅନୁଶାସନର ଶିଳାଲିପିର ସ୍ୱାକ୍ଷର ବହନ କରୁଥିବା ଏହି ଜଉଗଡ଼ ଐତିହାସିକ ପୀଠର ପୁନରୁଦ୍ଧାର ତଥା ଏହାର ବିଶେଷତ୍ୱକୁ ବିଶ୍ୱଦରବାରରେ ସ୍ଥାନୀତ କରିବା ପାଇଁ ବ୍ରହ୍ମପୁର ଡାକମଣ୍ଡଳ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଗଲା । ଜନମାନସରେ ଜଉଗଡ଼ର ଇତିହାସକୁ ଉଜ୍ଜୀବିତ କରିବା ପାଇଁ ବ୍ରହ୍ମପୁର ଡାକ ମଣ୍ଡଳ ଦ୍ୱାରା ଏକ ସ୍ୱତନ୍ତ୍ର ଡାକ ଲଫାପା ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ତରଣୀ କୁମାର ପଣ୍ଡାଙ୍କ ଦ୍ୱାରା ପ୍ରସ୍ତାବିତ ଓ ମୁଖ୍ୟ ମହା-ଡାକପାଳ ଓଡ଼ିଶା ପରିମଣ୍ଡଳ ଶୁଭେନ୍ଦୁ କୁମାର ସ୍ୱାଇଁଙ୍କ ଦ୍ୱାରା ଅନୁମୋଦିତ ତଥା ବ୍ରହ୍ମପୁର ମଣ୍ଡଳ ବରିଷ୍ଠ ଡାକ ଅଧୀକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପୌରୋହିତ୍ୟରେ ଛତ୍ରପୁର ମୁଖ୍ୟ ଡାକଘରଠାରେ ଅନୁଷ୍ଠିତ ଆନୁଷ୍ଠାନିକ ଏକ ଭବ୍ୟସମାରୋହରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉକ୍ତ ଡାକ ଲଫାପାର ଉନ୍ମୋଚନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା, ଛତ୍ରପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ, ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର କୁମାର ଦାଶ, ପ୍ରତିଭା ମହାବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶ, ବରିଷ୍ଠ ଐତିହାସିକ ତଥା ସଦସ୍ୟ ଇନ୍ଟାକ୍ ଅନିଲ ଧୀର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ୍ କୁମାର ସେଠୀ ଯୋଗ ଦେଇଥିବା ବେଳେ ଦକ୍ଷିଣ ଓଡ଼ିଶା ଡାକଟିକଟ ସଂଗ୍ରାହକ ସଂଗଠନର ସଭାପତି ଡଃ. ପ୍ରାଣଚାନ୍ଦ ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦେଇ ଜଉଗଡ଼ର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡାକଟିକଟ ସଂଗ୍ରାହକ କାଶୀନାଥ ସାହୁ, କେ. ଭେଙ୍କଟ ରାଓ, ରମେଶ ଚନ୍ଦ୍ର ପୁରୋହିତଙ୍କ ସମେତ ବହୁ ସାହିତ୍ୟପ୍ରେମୀ, ସଂସ୍କୃତିପ୍ରେମୀ, ଶିକ୍ଷକ, ଅଧ୍ୟାପକ, ଆଇନ୍ଜୀବୀ, ସମ୍ବାଦିକ, ବୁଦ୍ଧିଜୀବୀ ତଥା ୧ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ସହକାରୀ ଡାକ ଅଧିକ୍ଷକ ସୁଧାଂଶୁ କୁମାର ପାଢ଼ୀ ଓ ମନୋଜ କୁମାର ବେହେରା ବୈଷୟିକ ପରିଚାଳନା, ସହକାରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇଥିଲେ ।
ବିଜିନେସ୍ ଏକ୍ଜିକ୍ୟୁଟିଭ ଗୌରହରି ପଣ୍ଡା ସଭାମଞ୍ଚରେ ସଂଯୋଜନା ଓ ପରିଚାଳନା କରିଥିଲେ ଏବଂ ଛତ୍ରପୁର ମୁଖ୍ୟ ଡାକପାଳ ଅଶ୍ୱିନୀ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଛତ୍ରପୁର ମୁଖ୍ୟ ଡାକଘରର ସମସ୍ତ କର୍ମଚାରୀଙ୍କ ସମେତ ଶ୍ରୀରାମଚନ୍ଦ୍ରପୁର ଏ.ବି.ପି.ଏମ୍. ପି. କୁର୍ମେୟା ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଗୀତିକାର ପିତାମ୍ବର ପାତ୍ର ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଗାନ କରିଥିଲେ ।