ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜୀବିକା ସୃଜନ କ୍ଷେତ୍ରରେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍

ନୂଆଦିଲ୍ଲୀ, (ପିଆଇବି) : ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ରାମ ସିଂ ରାଠୱାଙ୍କ ଉପସ୍ଥିତିରେ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା । ଆଦିବାସୀ ମହିଳା କାରୀଗର, ବନ ଧନ ହିତାଧିକାରୀ ଏବଂ ଜୀବିକା ସୁଯୋଗ ସୃଷ୍ଟି କ୍ଷେତ୍ରରେ କାର୍ୟ୍ୟ କରୁଥିବା ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ହାଇବ୍ରିଡ୍ ମୋଡ଼ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଉପଲବ୍ଧି ହାସଲ କରିଥିବା ୭୫ ଜଣ ସଫଳ ଆଦିବାସୀ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା । ଆଦିବାସୀ ସମୁଦାୟ ମଧ୍ୟରେ ପରିବର୍ତ୍ତନ ଆଣିବା ଦିଗରେ ଯୋଗଦାନ ପାଇଁ ସେମାନଙ୍କୁ ସ୍ମରଣିକା ଓ ପ୍ରମାଣପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା ।
ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୟୂରଭଞ୍ଜର ଆଦିବାସୀ ମହିଳାମାନଙ୍କ ସହିତ କଥା ହୋଇଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଦିବାସୀ ବଞ୍ଚିତ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି ଟ୍ରାଇଫେଡ୍ ପକ୍ଷରୁ ପ୍ରୟାସ କରାଯାଇଥିବାରୁ ଶ୍ରୀ ଟୁଡୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଦେଶର ଆଦିବାସୀ ଲୋକମାନଙ୍କ ପାଇଁ ଜୀବିକା ସୁଯୋଗ ବଢ଼ାଇବା କ୍ଷେତ୍ରରେ ଟ୍ରାଇଫେଡ୍ ପକ୍ଷରୁ ହେଉଥିବା ପ୍ରୟାସରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ଜନଜାତି ବ୍ୟାପାର ସଚିବ ଅନିଲ କୁମାର ଝା କହିଥିଲେ ଯେ, ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଦିବାସୀ ସମୁଦାୟରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିବା ମହିଳାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ଖୁସିର ବିଷୟ । ସେ କହିଥିଲେ ଯେ ମନ୍ତ୍ରଣାଳୟର ବନ ଧନ ଯୋଜନା ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ । ଜନଜାତି ଜନସଂଖ୍ୟାଙ୍କ ମଧ୍ୟରେ ଜୀବିକା ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଟ୍ରାଇଫେଡର ଅଧ୍ୟକ୍ଷ ରାମସିଂହ ଜେଠୱା ଆଦିବାସୀ ମହିଳାମାନଙ୍କ ସହ ସେମାନଙ୍କ ସଂଘର୍ଷ, ଆହ୍ବାନ ଏବଂ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ । ଟ୍ରାଇଫେଡ ମହିଳାମାନଙ୍କୁ ସେମାନଙ୍କର ସର୍ବାଧିକ କ୍ଷମତା ହାସଲ କରିବା ଲାଗି ଆଗକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜନଜାତି ସଶକ୍ତିକରଣ ଦିଗରେ ଟ୍ରାଇଫେଡ୍ ଏକ ନୋଡାଲ ଏଜେନ୍ସି ଭାବେ କାର୍ୟ୍ୟ କରୁଛି । ଟ୍ରାଇଫେଡ୍ ପକ୍ଷରୁ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିକ ପଦକ୍ଷେପ ଗତ ଦୁଇ ବର୍ଷ ମଧ୍ୟରେ ହାତକୁ ନିଆଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଜରିଆରେ ଟ୍ରାଇଫେଡ୍ ୩୧୭.୧୩ କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିଛି । ସେହିପରି ରାଜ୍ୟ ପାଣ୍ଠିର ଉପଯୋଗ କରି ୧୫୪୨.୮୮ କୋଟି ଟଙ୍କାର ବନଜାତ ଦ୍ରବ୍ୟ ଏମଏସପିରେ କିଣାଯାଇଛି । ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଟ୍ରାଇଫେଡ୍ ୨୫ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୫୨, ୯୬୭ ବନ ଧନ ସ୍ବୟଂ ସହାୟକ ଗୋଷ୍ଠୀକୁ ମାନ୍ୟତା ଦେଇଛି । ଏଥିରୁ ୩୧୧୦ଟି ବନ ବିକାଶ କେନ୍ଦ୍ର ଗଠିତ ହୋଇଛି। ଫଳରେ ୯.୨୭ ଲକ୍ଷ ହିତାଧିକାରୀଙ୍କୁ ଜୀବିକା ମିଳିପାରିଛି ।

Leave A Reply

Your email address will not be published.