jayashree

ଜନ ଔଷଧି ଯୋଜନାର ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

● ଓଡ଼ିଶାର ଦିବ୍ୟାଙ୍ଗ ହିତାଧିକାରୀ ଶ୍ରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
● ‘‘୮୫୦୦ ଜନ ଔଷଧି କେନ୍ଦ୍ର କେବଳ ସରକାରୀ କେନ୍ଦ୍ର ନୁହେଁ, ବରଂ ଦ୍ରୁତ ଗତିରେ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ସ୍ଥାନରେ ପରିଣତ ହେଉଛନ୍ତି’’
● ‘‘କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି’’
● ‘‘ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ’’

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜନ ଔଷଧି କେନ୍ଦ୍ରର ମାଲିକ ଏବଂ ହିତାଧିକାରୀମାନଙ୍କ ସହିତ କଥା ହୋଇଛନ୍ତି । ଜେନେରିକ ଔଷଧର ବ୍ୟବହାର ଏବଂ ଜନଔଷଧି ପରିଯୋଜନାର ଲାଭ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ପହିଲା ଠାରୁ ସାରା ଦେଶରେ ଜନ ଔଷଧି ସପ୍ତାହ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ‘‘ଜନ ଔଷଧି – ଜନ ଉପଯୋଗୀ’’ ରଖାଯାଇଛି । ଆଜିର କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ପାଟନାର ଜନ ଔଷଧି କେନ୍ଦ୍ର ହିତାଧିକାରୀ ସୁଶ୍ରୀ ହିଲଦା ଏନ୍ଥୋନୀଙ୍କ ସହ କଥା ହୋଇଥିଲେ । ଜନ ଔଷଧି କେନ୍ଦ୍ରର ଔଷଧ ବିଷୟରେ ସେ କେମିତି ଜାଣିବାକୁ ପାଇଲେ ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ । ଔଷଧର ଗୁଣବତ୍ତା ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ । ଜବାବରେ ହିତାଧିକାରୀ କହିଥିଲେ ଯେ, ପୂର୍ବରୁ ସେ ଔଷଧ ବାବଦକୁ ମାସିକ ୧୨୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ କରୁଥିଲେ, କିନ୍ତୁ ଏବେ ସେ ମାସିକ ମାତ୍ର ୨୫୦ ଟଙ୍କା ଖର୍ଚ୍ଚ କରି ସେହିସବୁ ଔଷଧ ପାଇପାରୁଛନ୍ତି । ଏଥିରୁ ତାଙ୍କୁ ବହୁତ ଲାଭ ହୋଇଛି । ସଞ୍ଚିତ ଅର୍ଥ ସେ ସମାଜ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରୁଥିବା କହିଥଲେ । ପ୍ରଧାନମନ୍ତ୍ରୀ ତାଙ୍କର ଏପରି ଭାବନାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ତାଙ୍କ ଭଳି ଲୋକଙ୍କ ପାଇଁ ଜନ ଔଷଧି କେନ୍ଦ୍ର ଉପରେ ଜନସାଧାରଣଙ୍କ ଭରସା ବୃଦ୍ଧି ପାଇବ । ସେ କହିଥିଲେ ଯେ, ଦେଶର ମଧ୍ୟବିତ୍ତ ଲୋକମାନେ ଏହି ଯୋଜନାର ଶ୍ରେଷ୍ଠ ସଦ୍ଭାବନା ଦୂତ ହୋଇପାରିବେ । ସମାଜର ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଆର୍ଥିକ ପରିସ୍ଥିତି ଉପରେ ରୋଗ ପ୍ରଭାବ ବିଷୟରେ ମଧ୍ୟ ସେ ଆଲୋଚନା କରିଥିଲେ । ଜନ ଔଷଧି କେନ୍ଦ୍ରର ଲାଭ ବିଷୟରେ ସମାଜର ଶିକ୍ଷିତ ବର୍ଗ ଆଲୋଚନା କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଭୁବନେଶ୍ୱରର ଦିବ୍ୟାଙ୍ଗ ହିତାଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସହିତ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଜନ ଔଷଧି ପରିଯୋଜନା ସମ୍ପର୍କରେ ତାଙ୍କର ଅଭିଜ୍ଞତା ବିଷୟରେ ପ୍ରଧାନମନ୍ତ୍ରୀ ଜାଣିବାକୁ ଚାହିଁଥିଲେ । ସେ ଚାହୁଁଥିବା ସବୁତକ ଔଷଧ ଜନ ଔଷଧି କେନ୍ଦ୍ରରେ ମିଳୁଛି କି ନାହିଁ ପ୍ରଧାନମନ୍ତ୍ରୀ ପଚାରିଥିଲେ । ଶ୍ରୀ ବେହେରା କହିଥିଲେ ଯେ, ତାଙ୍କର ଯେଉଁସବୁ ଔଷଧ ଦରକାର ସେସବୁ ସେ ଜନ ଔଷଧି କେନ୍ଦ୍ରରୁ ପାଇପାରୁଛନ୍ତି । ଫଳରେ ତାଙ୍କର ଔଷଧ ଖର୍ଚ୍ଚ ବାବଦକୁ ମାସିକ ୨ ହଜାରରୁ ୨୫ ଶହ ପର୍ୟ୍ୟନ୍ତ ଟଙ୍କା ସଞ୍ଚିତ ହୋଇପାରୁଛି, ସେ ନିଜ ମାତାପିତାଙ୍କ ପାଇଁ ମଧ୍ୟ ଏହି କେନ୍ଦ୍ରରୁ ଔଷଧ କିଣିଥାନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ଆରୋଗ୍ୟ ଓ କଲ୍ୟାଣ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ । ଶ୍ରୀ ବେହେରା ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ସାହସର ସହ ସମସ୍ୟାର ମୁକାବିଲା କରୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହୀଶୂରର ସୁଶ୍ରୀ ବବିତା ରାଓଙ୍କ ସହ କଥା ହୋଇଥିଲେ । ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଯୋଜନାର ପ୍ରଚାରପ୍ରସାର କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ନିବେଦନ କରିଥିଲେ ଯାହା ଫଳରେ ଅଧିକରୁ ଅଧିକ ଲୋକ ଏହାର ଲାଭ ପାଇପାରିବେ ।

ସୁରଟର ସୁଶ୍ରୀ ଉର୍ବଶୀ ନୀରବ ପଟେଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ଅବସରରେ ତାଙ୍କ ଅଞ୍ଚଳରେ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ପ୍ରଚାରପ୍ରସାର କରିବା ଲାଗି ସେ କରିଥିବା ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଜନ ଔଷଧି କେନ୍ଦ୍ରରେ ଅତି କମ ମୂଲ୍ୟରେ ସାନିଟାରୀ ପ୍ୟାଡ୍ ମିଳୁଛି, ଯାହାକୁ କିଣି ସେ ନିଜର ପ୍ରୟାସ ଜରିଆରେ ଅଧିକରୁ ଅଧିକ ଲୋକଙ୍କୁ ବାଣ୍ଟି ପାରୁଛନ୍ତି । ଜଣେ ରାଜନୈତିକ କର୍ମୀ ଭାବେ ତାଙ୍କର ସେବା ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସାଧାରଣ ଜୀବନରେ ସେବାର ଭୂମିକାକୁ ଏହା ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମାଗଣା ରାସନା ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ସ୍ବଚ୍ଛତାକୁ ନେଇ ସଚେତନତା ବୃଦ୍ଧି କରିବା ଦିଗରେ ପ୍ରୟାସ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ରାୟପୁରର ଶୈଲେଶ ଖଣ୍ଡେଲୱାଲ ଜନ ଔଷଧି ପରିଯୋଜନା ସହ ଜଡ଼ିତ ନିଜର ଯାତ୍ରା ସମ୍ପର୍କରେ କଥା ହୋଇଥିଲେ । ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ, ଏଠାରେ କମ ମୂଲ୍ୟରେ ଔଷଧ ମିଳିପାରୁଛି ଏବଂ ଏହି ବାର୍ତ୍ତା ସେ ନିଜର ସବୁ ରୋଗୀଙ୍କ ନିକଟରେ ପହଞ୍ଚାଇଥିଲେ । ଅନ୍ୟ ଡାକ୍ତରମାନେ ମଧ୍ୟ ଜନ ଔଷଧି କେନ୍ଦ୍ର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନ ଔଷଧି କେନ୍ଦ୍ର କେବଳ ଶରୀର ପାଇଁ ଔଷଧ କେନ୍ଦ୍ର ହୋଇ ରହିନାହିଁ, ବରଂ ଏହା ଜନସାଧାରଣଙ୍କ ମାନସିକ ଚାପ ଦୂର କରିବାର କେନ୍ଦ୍ରରେ ପରିଣତ ହୋଇଛି । ଲୋକମାନଙ୍କ ଅର୍ଥ ସଞ୍ଚୟ କରିବା ମାଧ୍ୟମରେ ଏହି କେନ୍ଦ୍ର ସେମାନଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି । ଏହି ଯୋଜନାର ଲାଭ ସମାଜର ସବୁ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପହଞ୍ଚି ପାରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ୨୧ କୋଟିରୁ ଅଧିକ ସାନିଟାରୀ ନାପକିନ୍ ବିକ୍ରି ହେବା ଏହା ଦର୍ଶାଉଛି ଯେ ଜନ ଔଷଧି କେନ୍ଦ୍ରଗୁଡ଼ିକ ସାରା ଦେଶରେ ମହିଳାମାନଙ୍କ ଜୀବନକୁ ସହଜ କରିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏବେ ସୁଦ୍ଧା ସାରା ଦେଶରେ ୮ ହଜାର ୫୦୦ ଜନ ଔଷଧି କେନ୍ଦ୍ର ଖୋଲା ଯାଇ ସାରିଛି । ଏହା କେବଳ ଆଉ ଏକ ସରକାରୀ କେନ୍ଦ୍ର ନୁହେଁ ବରଂ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବାର ସ୍ଥାନ ପାଲଟିଛି । ସେ କହିଥିଲେ ଯେ କର୍କଟ, ଯକ୍ଷ୍ମା, ମଧୁମେହ, ହୃଦରୋଗ ଭଳି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ୮୦୦ରୁ ଅଧିକ ଔଷଧର ଦର ସରକାର ନିୟନ୍ତ୍ରଣ କରିଛନ୍ତି । ସରକାର ଷ୍ଟଣ୍ଟିଂ ଦର କମାଇବା ଲାଗି ପଦକ୍ଷେପ ନେଇଛନ୍ତି ଯାହାଫଳରେ ଆଣ୍ଠୁ ପ୍ରତିରୋପଣ ଖର୍ଚ୍ଚ ନିୟନ୍ତ୍ରଣରେ ରହିଛି । ନାଗରିକମାନଙ୍କ ପାଇଁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେ ତଥ୍ୟ ଦେଇଥିଲେ । ସେ ସୂଚନା ଦେଇଥିଲେ ଯେ, ଏବେ ସୁଦ୍ଧା ୫୦ କୋଟିରୁ ଅଧିକ ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯାଇସାରିଛି । ୩ କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ପାଇସାରିଛନ୍ତି । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ଲୋକମାନଙ୍କର ୭୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ସଞ୍ଚୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ଜାତୀୟ ଡାଏଲିସିସ କାର୍ଯ୍ୟକ୍ରମ ଜରିଆରେ ୫୫୦ କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ଆଣ୍ଠୁ ପ୍ରତିରୋପଣ ଏବଂ ଔଷଧ ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ୧୩ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିଛି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ କିଛି ସପ୍ତାହ ପୂର୍ବରୁ, ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ଗରିବ ଓ ମଧ୍ୟବିତ୍ତ ପରିବାରର ପିଲାମାନଙ୍କୁ ଲାଭାନ୍ୱିତ କରିବ । ଘରୋଇ ମେଡ଼ିକାଲ କଲେଜର ଅଧା ସିଟ୍‌ରେ ସରକାରୀ ମେଡ଼ିକାଲ କଲେଜ ଭଳି ଖର୍ଚ୍ଚରେ ଶିକ୍ଷାଦାନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ ସୂଚନା ଦେଇଥିଲେ ।

Leave A Reply

Your email address will not be published.