ରାଉରକେଲା, (ସସ୍ମିତା ପ୍ରଧାନ) : ଏନ୍ଆଇଟିର ପ୍ରାକ୍ତନ ପ୍ରଫେସର ତଥା ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଡ. ଅମୂଲ୍ୟ କୁମାର ପଣ୍ଡାଙ୍କ ପୁସ୍ତକ ‘ଇନଫ୍ଲୁଏନ୍ସ ଅଫ୍ ସ୍ପିରିଚୁଆଲିଟି ଅନ୍ ମାଇଁ ଲାଇଫ୍ ଜର୍ଣ୍ଣି’ର ଛେଣ୍ଡ ସ୍ଥିତ ଶିବାନନ୍ଦ ଆଶ୍ରମଠାରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ସ୍ୱାମୀ ବ୍ରହ୍ମସାକ୍ଷାତକାରନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁସ୍ତକକୁ ଲୋକାର୍ପିତ କରିବା ସହ ଆଲୋଚନା କରିଥିଲେ । ପ୍ରାରମ୍ଭରେ ପୁସ୍ତକର ଲେଖକ ଡ. ପଣ୍ଡା ପୁସ୍ତକ ସଂପର୍କରେ ଆଲୋଚନା କରି କହିଲେ ଯେ, ଜୀବନର ପ୍ରାରମ୍ଭରେ ଅଧ୍ୟାପନା ପରେ ଇଂଜିନିୟର ଭାବେ ରାଉରକେଲା ଇସ୍ପାତ କାରଖାନାରୁ ଜଣେ ଅଧିକାରୀ ଭାବେ ଅବସର ପରେ ନିଜ ଜୀବନର ସ୍ମୃତିକୁ ଲିପିବଦ୍ଧ ଓ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ତଥା ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପରେ କିପରି ତାଙ୍କର ଜୀବନ ଯାତ୍ରା ହୋଇଛି, ସେ ସଂପର୍କରେ ପୁସ୍ତକରେ ସନ୍ନିବେଷିତ ହୋଇଛି । ଯାହା ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର ସଂପାଦକ ରବିନ୍ଦ୍ର କୁମାର ପାଣ୍ଡବ, ଡାକ୍ତର କୃପାସିନ୍ଧୁ ନାୟକ, କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଇଂ ଜଳଧର ପ୍ରଧାନ, ଲାୟନ ବଳରାମ ଦାଶ ପ୍ରମୁଖ ପୁସ୍ତକ ସଂପର୍କରେ ମତରଖି ଥିଲେ । ଜୀବନର ଅଭିଜ୍ଞତା ଏହି ପୁସ୍ତକର ମୂଳପୁଞ୍ଜି । ଏହା ଇଂରାଜୀରେ ଲେଖା ଯାଇଥିବାରୁ ଏହା ଓଡିଶା ତଥା ଓଡିଶା ବାହାରେ ଲୋକାଦୃତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ କୁମାର ରାୟ, ଶ୍ରଦ୍ଧା ଷଡଙ୍ଗୀଙ୍କ ସମେତ ଆଶ୍ରମର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ବିଜୟାନନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଶାନ୍ତି ପାଠ ସହ ପ୍ରସାଦ ବିତରଣ କରାଯାଇଥିଲା ।