ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସରକାରୀ ଏବଂ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ନିଜସ୍ୱ ଖତିଆନ ସକାଶେ ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକୁ ପଟ୍ଟା ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ ପ୍ରକାରେ ସମସ୍ତ ସରକାରୀ ଏବଂ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ପଟ୍ଟା ଅଭିଯାନରେ ସାମିଲ କରାଯାଇ ପଞ୍ଚାୟତରାଜ ଦିବସ ଅବସରରେ ଆନୁଷ୍ଠାନିକ ଭାବେ ଶିକ୍ଷାନୁଷ୍ଠାନମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି । ରାଜସ୍ୱ ବିଭାଗର ପୂର୍ବ ନିର୍ଦ୍ଦେଶ ମୁତାବକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ପ୍ରିୟରଞ୍ଜନ ପୃଷ୍ଟିଙ୍କ ପରିଚାଳନାରେ ଜିଲ୍ଲାର ସମସ୍ତ ତହସିଲରେ ଏହି ପଟ୍ଟା ପ୍ରଦାନ ଦିଗରେ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ପ୍ରତି ଜିଲ୍ଲାର ୨୧୫ ଗୋଟି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଏହି ପଟ୍ଟା ପ୍ରଦାନ ହୋଇଛି ଏବଂ ଆଗାମୀ ଦିନରେ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ନିଜସ୍ୱ ପଟ୍ଟା ସତ୍ତ୍ୱ ରହିବ ସେ ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ପର୍ଯ୍ୟାୟରେ ପଟ୍ଟା ପ୍ରଦାନ କରାଯିବାର ବ୍ୟବସ୍ଥା ଗ୍ରହଣ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ପୃଷ୍ଟି ସୂଚନା ପ୍ରଦାନ କରିଛନ୍ତି ।