ଉପରାଷ୍ଟ୍ରପତିଙ୍କ ଦ୍ୱାରା “ଜଗନ୍ନାଥାଷ୍ଟକମ୍‌” ସଂଗୀତ ଲୋକର୍ପିତ

ବିଜୟୱାଡା, (କେପିଏନ୍‌ଏସ୍‌) : ଜଗତଗୁରୁ ଆଦିଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ବିରଚିତ ଏବଂ ଓଡ଼ିଶାର ଅଗ୍ରଣୀ ଆଧ୍ୟାତ୍ମିକ ଅନୁଷ୍ଠାନ “ଡିଭାଇନ କ୍ୟାପ୍‌ସୁଲ” ଦ୍ୱାରା ପ୍ରସ୍ତୁତ “ଜଗନ୍ନାଥାକଷ୍ଟମ୍‌”ର ସଂଗୀତ ସିଡ଼ିକୁ ଆଜି ବିଜୟୱାଡାର ସ୍ୱର୍ଣ୍ଣଭାରତୀ ସଭାଗାରରେ ଭାରତର ମହାମହିମ ଉପରାଷ୍ଟ୍ରପତି ଶ୍ରୀ ଏମ୍‌. ଭେଙ୍କୈୟା ନାଇଡୁ ଉନ୍ମୋଚନ କରି ଲୋକର୍ପିତ କରିଛନ୍ତି । ପ୍ରକାଶ ଥାଉକି, ଜଗନ୍ନାଥାଷ୍ଟକମ୍‌ର ଉକ୍ତ ସଂଗୀତକୁ ଓଡ଼ିଶାର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଯଜ୍ଞ ଦାଶ ସଂଗୀତ ନିଦ୍ଦେର୍ଶନା ଦେଇଥିଲା ବେଳେ ଭାରତବର୍ଷର ସୁନାମଧନ୍ୟ ତଥା ପ୍ରସିଦ୍ଧ କଣ୍ଠଶିଳ୍ପୀ ପଦ୍ମଶୀ ପଣ୍ଡିତ୍‌ ସୁରେଶ ୱାଦେକର କଣ୍ଠଦାନ କରିଛନ୍ତି । ଡିଭାଇନ୍‌ କ୍ୟାପ୍‌ସୁଲର ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମହାମହିମ ଉପରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଚେତନାର ବିଶେଷତ୍ୱ ପ୍ରତିପାଦନ କରିବା ସଂଗେ ସଂଗେ ଜଗନ୍ନାଥାଷ୍ଟକମ୍‌ ସଂଗୀତ ମାଧ୍ୟମରେ ଦେଶ ବିଦେଶରେ ଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି କହିଥିଲେ । ବିଶ୍ୱର ବର୍ତ୍ତମାନର ପରିସ୍ଥିତିରେ ଜଗନ୍ନାଥ ଚେତନା ଓ ଆଧ୍ୟାତ୍ମିକତା ହିଁ ପ୍ରକୃତପକ୍ଷେ ବିଶ୍ୱରେ ଶାନ୍ତି ଆଣିବାରେ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ଡିଭାଇନ୍‌ କ୍ୟାପ୍‌ସୁଲର ସମସ୍ତ କାର୍ଯ୍ୟକ୍ରମକୁ ମହାମହିମ ଉପରାଷ୍ଟ୍ରପତି ଉଚ୍ଚ ପ୍ରଂଶସା କରିଥିଲେ ଏବଂ ଉଚ୍ଚ ଆଧ୍ୟାତ୍ମିକ ସଂଗଠନର ଉତ୍ତୋରତ୍ତର ଉନ୍ନତି ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ । ତଦ୍‌ ସଂଗେ ସଂଗେ ଡିଭାଇନ୍‌ କ୍ୟାପ୍‌ସୁଲର ପ୍ରତିଷ୍ଠାତା ତଥା ଚେୟାର୍‌ମ୍ୟାନ୍‌ ଶ୍ରୀ ପ୍ରସେନ୍‌ଜିତ୍‌ ହରିଚନ୍ଦନଙ୍କର ଉଦ୍ୟମକୁ ଭୂୟସୀ ପ୍ରଂଶସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ତିରୁପତି ରାଷ୍ଟ୍ରିୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଡିଭାଇନ୍‌ କ୍ୟାପ୍‌ସୁଲର ଅନ୍ୟତମ ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ ସ୍ୱାଗତ ଭାଷଣ ଦେଇଥିଲେ । ସେ ତାଙ୍କ ଅଭିଭାଷଣରେ ଜଗନ୍ନାଥାଷ୍ଟକମ୍‌ରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରାୟ ସମସ୍ତ ଉପାଦାନ ଆଦିଶଙ୍କରଙ୍କ ଦ୍ୱାରା ବର୍ଣ୍ଣିତ ହୋଇଥିବା ବିଷୟରେ ସୂଚନା ପ୍ରଦାନ କରିଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କର ଆରାଧ୍ୟ, ଉତ୍କଳର ମଉଡ଼ମଣି ଓ ଆମମାନଙ୍କର ତଥା ଏ ପ୍ରାଣୀଜଗତର ସେ ପଥପ୍ରଦର୍ଶକ ବୋଲି ଜଗନ୍ନାଥାଷ୍ଟମ୍‌ରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ବର୍ଣ୍ଣନା କରିଥିବା ଶ୍ରୀ ଶତପଥୀ ଦର୍ଶାଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ପ୍ରସେନ୍‌ଜିତ୍‌ ହରିଚନ୍ଦନ ମହାମହିମ ଉପରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇବା ସଂଗେ ସଂଗେ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ଏବଂ ଜଗନ୍ନାଥାଷ୍ଟକମ୍‌ ସିଡ଼ିର ବିଶେଷତ୍ୱ ବିଷୟରେ ନିଜ ଭାଷଣରେ ଉଲ୍ଲେଖ କରିଥିଲେ । ସଂଗଠନର ଅନ୍ୟତମ ଉପଦେଷ୍ଟା ଶ୍ରୀ ବଦ୍ରିନାଥ ପଟ୍ଟନାୟକ ମହାମହିମ ଉପରାଷ୍ଟ୍ରପତିଙ୍କୁ ଗୀତଗୋବିନ୍ଦ ଖଣ୍ଡୁଆ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଉତ୍ସବରେ ଜଗନ୍ନାଥାଷ୍ଟକମ୍‌ର ସଂଗୀତ ନିର୍ଦ୍ଦେଣକ ଯଜ୍ଞ ଦାଶ ଜଗନ୍ନାଥ ସ୍ତୋତ୍ର ଏବଂ ଅଷ୍ଟକ ଗାନ କରିଥିଲେ । ପରିଶେଷରେ ଉପଦେଷ୍ଟା ପ୍ରଫେସର ଶ୍ରୀ ଶତପଥୀ ମହାମହିମ ଉପରାଷ୍ଟ୍ରପତି ତଥା ଉପସ୍ଥିତ ସମସ୍ତ ଜଗନ୍ନାଥ ପ୍ରେମୀ, ଭକ୍ତ, ବିଦ୍ୱାନ ଓ ସାଧୁସନ୍ଥମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.