ମହିଳା ବିଶ୍ୱକପ୍‌ ୱାର୍ମଅପ୍‌ରେ ଭାରତ ଦ୍ୱାରା ୱେଷ୍ଟ୍‌ଇଣ୍ଡିଜ୍‌ ପରାସ୍ତ

ରାଙ୍ଗିଓରା : ବିଶ୍ୱକପ୍‌ ଖେଳିବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ‌ଅଭ୍ୟାସ ମ୍ୟାଚ୍‌ରେ ଦବ୍‌ଦବା ଦେଖାଇଛି । ଏପରିକି ଦୁଇଟିଯାକ ଅଭ୍ୟାସ ମ୍ୟାଚ୍‌ରେ ଚମତ୍କାର ବିଜୟ ହାସଲ କରିଛି । ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା‌କୁ ୨ ରନ୍‌ରେ ହରାଇଥିବା ଭାରତ ଗତକାଲି ଶେଷ ଅଭ୍ୟାସ ମ୍ୟାଚ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ୮୧ ରନ୍‌ରେ ମାତ୍‌ ଦେଇଛି ।
ଫଳରେ ଏହି ଦୁଇ ଅଭ୍ୟାସ ମ୍ୟାଚ୍‌ ଜିତି ବିଶ୍ୱକପ୍‌ ପୂର୍ବରୁ ଦଳର ମନୋବଳକୁ ଦୃଢ଼ କରିଛି । ଟସ୍ ଜିତି ପ୍ରଥମ ବ୍ୟାଟିଂ ନେଇଥିବା ଭାରତ ସ୍ମୃତି ମନ୍ଧାନା (୬୬ ରନ୍‌) ଏବଂ ଦୀପ୍ତି ଶର୍ମା (୫୧ ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ସମସ୍ତ ୱିକେଟ୍‌ ହରାଇ ୨୫୮ ରନ୍‌ କରିଥିଲା ।

ୟସ୍ତିକା ଭାଟିଆ (୪୧ ରନ୍‌) ଓ ଅଧିନାୟିକା ମିତାଲି ରାଜ (୩୦ ରନ୍‌) ମଧ୍ୟ ଭଲ ବ୍ୟାଟିଂ କରିଥିଲେ । ଜବାବରେ ଭାରତୀୟ ବୋଲରଙ୍କ ମାପ ଚୁପ ବୋଲିଂକୁ ସମ୍ନା କରିନପାରି ୱେଷ୍ଟଇଣ୍ଡିଜ୍‌ ୯ ୱିକେଟ୍‌ ବିନିମୟରେ ୧୭୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଝୁଲଣ ଗୋସ୍ୱାମୀ ୱିକେଟ୍‌ ପାଇନଥିଲେ ମଧ୍ୟ ୮ ଓଭରରେ ୨ ମେଡନ୍‌ ନେବା ସହ ମାତ୍ର ୧୪ ରନ୍‌ ଦେଇ କଞ୍ଜୁସ ବୋଲିଂର ନମୁନା ଛାଡ଼ିଥିଲେ । ପୂଜା ବସ୍ତ୍ରାକାର ୩, ମେଘନା ସିଂହ, ରାଜେଶ୍ୱରୀ ଗାଏକ୍ୱାଡ ଓ ଦୀପ୍ତି ଶର୍ମା ୨ ଲେଖାଏଁ ୱିକେଟ୍‌ ନେଇଥିଲେ । ସୂଚନାଯୋଗ୍ୟ ଯେ, ଭାରତ ୬ ତାରିଖରେ ପାକିସ୍ତାନ ବିପକ୍ଷରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ।

Leave A Reply

Your email address will not be published.