ବଲାଙ୍ଗିର ଜିଲ୍ଲାରେ ୧ ଲକ୍ଷ ୪୬ ହଜାର ୮୧୧ ଜଣ ଶିଶୁଙ୍କୁ ପଲ୍‌ସ୍‌ ପୋଲିଓ ବୁନ୍ଦା ପ୍ରଦାନ କରାଯିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷର ଜାତୀୟ ପଲ୍‌ସ୍‌ ପୋଲିଓ ଅଭିଯାନ ଜରିଆରେ ୫ ବର୍ଷରୁ କମ୍‌ ୧ ଲକ୍ଷ ୪୬ ହଜାର ୮୧୧ ଜଣ ଶିଶୁଙ୍କୁ ପଲ୍‌ସ୍‌ ପୋଲିଓ ବୁନ୍ଦା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ପୂର୍ବାହ୍ନରେ ବଲାଙ୍ଗିର ସହର ଶାସ୍ତ୍ରୀନଗର ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଜିଲ୍ଲାପାଳ ଚଞ୍ଚଳ ରାଣା ଶିଶୁ ମାନଙ୍କୁ ପଲ୍‌ସ୍‌ ପୋଲିଓ ବୁନ୍ଦା ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଆଜି ବଲାଙ୍ଗିର ଜିଲ୍ଲାରେ ଖୋଲାଯାଇଥିବା ୧୪୧୦ ଗୋଟି ପଲସ୍‌ ପୋଲିଓ କେନ୍ଦ୍ରରେ ୫ ବର୍ଷରୁ କମ୍‌ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ ଏବଂ ପୋଲିଓ ବୁନ୍ଦା ନେଇପାରିନଥିବା ବଳକା ଶିଶୁ ମାନଙ୍କୁ ୨୮ ଓ ୧ ତାରିଖ ଦିନ ଘରକୁ ଘର ଯାଇ ପୋଲିଓ ବୁନ୍ଦା ପ୍ରଦାନ କରାଯିବ । ଏଥି ସକାଶେ ଅଙ୍ଗନବାଡ଼ି, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିୟୋଜିତ କରାଯାଇଛି । ଏତଦ୍‌ବ୍ୟତୀତ ୧୦ ଗୋଟି ମୋବାଇଲ ୟୁନିଟ୍‌କୁ ମଧ୍ୟ ନିୟୋଜିତ କରାଯାଇଛି । ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ନେସ୍‌ନାଲ ପିସ୍‌ ୟୁନିସନ ଦ୍ୱାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସେହ୍ନଲତା ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଡି.କେ.ପତି, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧା ବାର୍ଲା, ଡା. କେ.ସି. ମହନ୍ତିଆ, ସୂଚନା ଓ ଲୋକ ସମ୍ପର୍କ ଉପନିର୍ଦ୍ଦେଶକ ଜୟଦେବ ପାଣିଗ୍ରାହୀ, ପଲ୍‌ସ୍‌ ପୋଲିଓ ରାଜ୍ୟ ପ୍ରତିନିଧି ଚକ୍ର ସାହୁ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ରୀତାଞ୍ଜଳି ମିଶ୍ର, ରାମାନୂଜ ପଣ୍ଡା, ପିଟରସନ୍‌ ଭୋଇ, ସଞ୍ଜୟ ଶତପଥୀ, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର, ଚେୟାରମେନ୍‌ ରବି ରଞ୍ଜନ ପୂଜାରୀ, ମେଡ଼ିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ଗୌରବ ପ୍ରଧାନଙ୍କ ସମେତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଷ୍ଟାଫ୍‌ ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଉପସ୍ଥିତ ରହି ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଆଜି ଅନୁଷ୍ଠିତ ପଲ୍‌ସ୍‌ ପୋଲିଓ ବୁନ୍ଦା ପ୍ରଦାନ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅବସରରେ ଶାସ୍ତ୍ରୀନଗର ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ନିର୍ମାଣ ହୋଇଥିବା ଏକ ଛୋଟ ଶିଶୁ ଉଦ୍ୟାନକୁ ଜିଲ୍ଲାପାଳ ଚଞ୍ଚଳ ରାଣା ଉଦ୍‌ଘାଟନ କରିଥିଲେ ।

Leave A Reply

Your email address will not be published.