jayashree

ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ : ୧୨୫୪ ପଞ୍ଚାୟତରେ ଚାଲିଛି ଭୋଟିଂ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଏହି ପର୍ଯ୍ୟାୟରେ ୨୭ଟି ଜିଲ୍ଲାର ୬୪ଟି ବ୍ଲକ ଅନ୍ତର୍ଗତ ୧୬୩ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟିଂ ହେବାକୁ ଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ମଇଦାନରେ ଅଛନ୍ତି ୬୬୭ ଜଣ ପ୍ରାର୍ଥୀ । ୧୨୫୪ଟି ପଞ୍ଚାୟତରେ ବିଭିନ୍ନ ପ୍ରାର୍ଥୀ ଓ ଦଳ ଭିତରେ ହେବ ଲଢ଼େଇ । ୧୭ ହଜାର ୮୯ଟି ବୁଥ୍‌ରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ଜଣ । ଆଜି ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ସମୟ ମତଦାନ ଚାଲିବ । ଅନ୍ୟପକ୍ଷରେ ୨୪ ତାରିଖରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଥମିଯିବ । ପ୍ରାର୍ଥୀ, ସମର୍ଥକ ଓ ବିଭିନ୍ନ ଦଳ ଏବେ ଶେଷ ପର୍ଯ୍ୟାୟ ଲଢ଼େଇ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଜଣାପଡିଛି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୫୭ ପ୍ଲାଟୁନ ଫୋର୍ସ, ୧୪୭୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସହ ଜିଲ୍ଲା ଓ ଥାନାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି । ମୋଟ ୯୧,୦୧୯୩ ବୁଥ୍‌ ମଧ୍ୟରୁ ୬୧,୩୦୦ ବୁଥ୍‌ରେ ଗତ ୩ଟି ଯାକ ପର୍ଯ୍ୟାୟରେ ଭୋଟ ସରିଯାଇଛି ।

ଗତ ୩ଟି ଯାକ ପର୍ଯ୍ୟାୟରେ ଯେତିକି ହିସାଂକାଣ୍ଡ ହୋଇଛି, ସେ ସବୁ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଚଳାଇଛି । ମତଦାନରେ ବାଧା ଦେଇଥିବା ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ଯାଜପୁରରୁ ୪୩ ଜଣ, ଢେଙ୍କାନାଳରୁ ୯, ଜଗତସିଂହପୁରରୁ ୬, ପୁରୀରୁ ୨୪ଜଣଙ୍କୁ ଗିରଫ କରିଥିବାର ସୂଚନା ରହିଛି । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ମତଦାନ ହାର ୭୮.୬% ଥିଲା ବୋଲି ଜଣାପଡିଛି ।

Leave A Reply

Your email address will not be published.